ସରକାରୀ ଜମିରେ ବେଆଇନ୍ ଗୃହ ଉଚ୍ଛେଦ କଲା ତହସିଲ ପ୍ରଶାସନ |

92

କଟକ (ଉତ୍କଳ ନ୍ୟୁଜ ) ୧୨-୪-୨୦୨୪ ; ସରକାରୀ ଜମି ଉପରେ ବେଆଇନ୍ ଗୃହ ନିର୍ମାଣ ମହଙ୍ଗା ପଡିଲା । ପୋଲିସ ଉପସ୍ଥିତିରେ ଉଚ୍ଛେଦ କଲା ତହସିଲ ପ୍ରଶାସନ । ଭଦ୍ରକ ଜିଲ୍ଲା ତିହିଡି ତହସିଲ ସୟା ପଞ୍ଚାୟତ ଅଧିନ ବିରିହରପୁର(କାଞ୍ଜିପଦା)ରେ ୩୫ ଜଣ ଭୂମିହିନଙ୍କୁ ଲିଜ୍ ପଟ୍ଟା ମିଳିଥିଲା । ବିଳମ୍ବ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ଜାଗା ଚିହ୍ନଟ କରିବା ସହିତ ରାସ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର ଉକ୍ତ ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ସୁବାଶ ଚନ୍ଦ୍ର ମଳିକ ଓ ଗୀତାଞ୍ଜଳୀ ମଳିକ ପ୍ରମୁଖ ରାତିଅଧିଆ ପକ୍କା ଖୁଣ୍ଟ ପକାଇ ଅସ୍ଥାୟୀ ଗୃହ ନିର୍ମାଣ କରିଥିଲେ । ଯାହାକୁ ନେଇ ଭୂମିହିନମାନେ ତିହସିଲଦାରଙ୍କ ସମେତ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ତହସିଲଦାରଙ୍କ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରାଯାଇ ସେମାନଙ୍କ ବିରୋଧରେ ଜବର ଦଖଲ କେଶ ନମ୍ବର ୧୦୨୬/୨୪ ରୁଜୁ କରା ଯାଇ ଉଚ୍ଛେଦ ହେବା ନିମନ୍ତେ କ , ଖ ଓ ଗ ଫର୍ମ ଇସ୍ୟୁ କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବର ଦଖଲକାରୀ ଉଚ୍ଛେଦ ହୋଇ ନଥିବାରୁ ତହସିଲ ପ୍ରଶାସନ ବାଧ୍ୟହୋଇ ଶୁକ୍ରବାର ଉକ୍ତ ଗୃହକୁ ଉଚ୍ଛେଦ କରିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଭୂମିହିନ । ବିନା ଦ୍ୱିଧାରେ ଏଣିକି ସେମାନେ ଘର ତିଆରି କରି ରହିପାରିବେ ବୋଲି କହିଛନ୍ତି । ଉଚ୍ଛେଦ ପ୍ରକ୍ରିୟାରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ସମେତ ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ, ଆରଆଇ ମୀନକେତନ ଦାସ ଓ ଗୋଲକ ମୁର୍ମୁ ଏବଂ ପୋଲିସ ପଦାଧିକାରୀ ଉପସ୍ଥିତ ଥିଲେ । ସୂଚନା ମୁତାବକ, ୧୯୯୮ ମସିହାରେ ସୟା ମୌଜା ଅଧିନ ବିରିହରପୁର(କାଞ୍ଜିପଦା)ରେ ୩୫ ଜଣ ଭୂମିହିନଙ୍କୁ ଲିଜ୍ ପଟ୍ଟା ମିଳିଥିଲା । ତେବେ ଜାଗା ଚିହ୍ନ ନେଇ ଭୂମିହିନମାନେ ବାରମ୍ବାର ପ୍ରସାଶନର ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ । ଶେଷରେ ପୋଲିସ ଉପସ୍ଥିତିରେ ତହସିଲ ପ୍ରଶାସନ ପକ୍ଷରୁ ଗତ ୦୯.୦୨.୨୪ରିଖରେ ପଞ୍ଚାନନ ସେଠୀ, ଶ୍ୟାମସୁନ୍ଦର ନାଥ, ମିରା ନାୟକ, ବାଞ୍ଛାନିଧି ମହାନ୍ତି, ସରସ୍ୱତୀ ନାୟକ, ଗୋଲକ ଚନ୍ଦ୍ର ସେଠୀ, ରସିକ ନାୟକ ଓ ବାବାଜୀ ପାତ୍ର ପ୍ରମୁଖ ୮ ଜଣ ଭୂମିହିନଙ୍କୁ ସେମାନଙ୍କ ଜାଗା ଚିହ୍ନ କରାଯିବା ସହିତ ଏକ ରାସ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ଗତ ତା ୧୬.୦୩.୨୪ରିଖରେ ଜବର ଦଖଲକାରୀ ଉକ୍ତ ରାସ୍ତାକୁ ଅବରୋଧ କରିବା ସହିତ ରାତିଅଧିଆ ଅସ୍ଥାୟୀ ଗୃହ ନିର୍ମାଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |