ସ୍ୱାମୀଙ୍କ ଦ୍ୱିତୀୟ ବିବାହ ବିରୋଧରେ ଥାନାରେ ଦ୍ୱାରସ୍ଥ ହେଲେ ମହିଳା |

109

କଟକ (ଉତ୍କଳ ନ୍ୟୁଜ ) ୮-୦୪-୨୦୨୪ : ସ୍ୱାମୀଙ୍କ ଦ୍ୱିତୀୟ ବିବାହ ବିରୋଧରେ ଥାନାରେ ଦ୍ୱାରସ୍ଥ ହେଲେ ସୂଦୁର ନୟାଗଡରୁ ଆସିଥିବା ମହିଳା । ଦୁଇ ବର୍ଷ ତଳେ ବୈଦ୍ଦିକ ଋତିନୀତିରେ ବିବାହ କରି ସ୍ୱାମୀ ନିଜ ଘରକୁ ଆଣିଲେ । ବିବାହର କିଛିଦିନ ପରେ ସ୍ୱାମୀ ସମେତ ଶାଶୁ, ଶ୍ୱଶୁର ଓ ନଣଦ ମିଳିତ ଭାବେ ଯୌତୁକ ଦାବିକରି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଲେ । ଶେଷରେ ମାଡମାରି ଘରୁ ବି ବିଦା କରିଦେଲେ । ବିଚାରା ମହିଳା ବାପଘରେ ଆଶ୍ରୟ ନେଲେ । କିଛିଦିନ ପରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ସ୍ତ୍ରୀର ଅନୁପସ୍ଥିତିରେ ସ୍ୱାମୀ ଦ୍ୱିତୀୟ ବିବାହ କଲେ ଯାହାକୁ ନେଇ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ପରିସରରେ । ନୟାଗଡ ଜିଲ୍ଲା ବାରବାଟି ଅଞ୍ଚଳର ଅଲେଖ ସ୍ୱାଇଁଙ୍କ ଝିଅ ପ୍ରିୟଙ୍କା ସ୍ୱାଇଁ ନାମ୍ନୀ ଜଣେ ମହିଳା ଏଭଳି ଅଭିଯୋଗ କରିଛନ୍ତି । ଗତ ତା ୧୪.୦୬.୨୨ରିଖରେ ସେ ତିହିଡି ଥାନାଧିନ ଦହପାଣିଆ ଗ୍ରାମର ଖଗେଶ୍ୱର ଦାସଙ୍କ ପୁଅ ସୁମନ ଦାସଙ୍କୁ ବୈଦ୍ଦିକ ଋତିରେ ବିବାହ କରିଥିଲେ । ବିବାହର ମାତ୍ର କିଛିଦିନ ପରେ ଯୌତୁକ ଦାବିକରି ସ୍ୱାମୀ ସୁମନ ସମେତ ପରିବାରର ଅନ୍ୟମାନେ ତାଙ୍କୁ ନାନାଦି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପ୍ରିୟଙ୍କା ୭ ମାସର ଗର୍ଭବତୀ ଥିବାବେଳେ ତାଙ୍କ ସ୍ୱାମୀ ସୁମନ ଭୁବନେଶ୍ୱର ବସଷ୍ଟାଣ୍ଡରେ ଛାଡି ଦେଇ ଆସିଥିଲେ । ଅନ୍ୟ ଉପାୟ ନପାଇ ପ୍ରିୟଙ୍କ ନିଜ ବାପ ଘରକୁ ଚାଲି ଯାଇଥିଲେ । କିଛିମାସ ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପ୍ରିୟଙ୍କାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସୁମନ ଅନ୍ୟତ୍ର ବିବାହ କରି ହାଇଦ୍ରାବାଦରେ ରହୁଥିବା ସେ ଜାଣିବାକୁ ପାଇଛନ୍ତି । ତାଙ୍କର ଫୋନ୍ ମଧ୍ୟ ସୁମନ ଉଠାଉ ନାହାଁନ୍ତି । ଆର୍ଥିକ ଅନାଟନରେ କାଳାତିପାତ କରୁଥିବା ପ୍ରିୟଙ୍କା ଜଗତସିଂହପୁର ତିର୍ତ୍ତେର୍ାଲ ଅଞ୍ଚଳର ‘ବ୍ୟାସ ଫାଉଣ୍ଡେସନ’ର ସହଯୋଗରେ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ‘ବ୍ୟାସ ଫାଉଣ୍ଡେସନ’ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସମେତ ସଭାପତି ଡ.ସିଦ୍ଧେଶ୍ୱର ପଣ୍ଡା, ଉପସଭାପତି ରଶ୍ମିତା ନାୟକ, କୋଷାଧ୍ୟକ୍ଷ ତଥା ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ ଦାସ, ସଭ୍ୟ ସଂଗ୍ରାମ ନାୟକ ଓ ସାମ୍ବାଦିକ ସୁରକ୍ଷା ସମିତିର ଉପଦେଷ୍ଟା ରମାକାନ୍ତ ରାଉଳ ଏବଂ ପ୍ରିୟଙ୍କାଙ୍କ ମାଆ ବୁରେଇ ସ୍ୱାଇଁ ପ୍ରମୁଖ ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କୁ ଭେଟି ଏତଲା ଦେଇଥିଲେ । ପରେ ସୁମନଙ୍କ ଘରକୁ ଯାଇଥିଲେ । ସେଠାରେ ସୁମନ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ନଥିବା ବେଳେ ସୁମନଙ୍କ ବାପା ମାଆ ପ୍ରିୟଙ୍କାଙ୍କୁ ଚିହ୍ନି ପାରିଥିଲେ ଏବଂ ତାଙ୍କ ପୁଅ ଅନ୍ୟତ୍ର ବିବାହ କରିଥିବା ମଧ୍ୟ କହିଥିଲେ । ସେଠାରୁ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ପୋଲିସ ଆଗକୁ କି ପ୍ରକାର ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |