ଚୋରା କୋଇଲା ଚାଲାଣ ଅଭିଯୋଗରେ ଜୀବନଜ୍ୟୋତି ବଳ ଗିରଫ୍‌, ଗାଡି ସହ ୨୦ କ୍ୱିଣ୍ଟାଲ କୋଇଲା ଜବତ୍‌ |

120

କଟକ (ଉତ୍କଳ ନ୍ୟୁଜ) ୫-୦୪-୨୦୨୪ : ରାତିରେ ନୁହେଁ ବରଂ ଦିନ୍ ଦହାଡେ୍ ଚାଲୁଥିଲା କୋଇଲା ଚୋରା ଚାଲାଣ । ଆଉ ଖବର ପାଇ ମାଡି ବସିଲା ପୋଲିସ । ଖସି ଯିବାକୁ ଉଦ୍ୟମ କରି ଗାଁ ଭିତରକୁ କୋଇଲା ବୋଝେଇ ଗାଡିଟିକୁ ପୁରେଇ ଦେଲା । ଶେଷରେ ପୋଲିସ ହାତରେ ଧରା ବି ପଡିଗଲା । ଏଭଳି ସଫଳତା ହାସଲ କରିଛି ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ । ଶୁକ୍ରବାର ଦିବା ପ୍ରାୟ ୩.୩୦ ଘଟିକା ସମୟରେ ଚୋରା କୋଇଲା ବୋଝେଇ କରି ଏକ ପିକ୍ ଅପ୍ ଭ୍ୟାନ୍ ବିନ୍ଧା ଗାଁରୁ ବାହାରକୁ ଯିବାକୁ ଉଦ୍ୟମ କରୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ପେଟ୍ରୋଲିଂ ଗାଡିରେ ପିଛା କରିଥିଲା । ବିନ୍ଧା ଛକରେ ପହଂଚିଲା ବେଳକୁ ଗାଡିଟି ଦୃତ୍ ଗତିରେ ତିହିଡି ଅଭିମୁଖେ ମାଡି ଚାଲିଥିଲା । ତେବେ ପୋଲିସ ପିଛା କରୁଥିବା ଜାଣିପାରି ଚାଳକ ଜଣକ ଅତି ଚତୁରତା ସହିତ ସନ୍ଥପୁରା ଛକରୁ ବାମ ପାଶ୍ୱର୍ ଗାଁ ଭିତରକୁ ଗାଡି ପୁରେଇ ଦେଇଥିଲା । ଆଉ ଶେଷରେ ଗାଁ ଭିତରେ ଧରା ପଡିଗଲା । ଗାଡି ସହ ଚାଳକୁ ଥାନାକୁ ଆଣି ପଚରା ଉଚୁରା କରିବା ପାରେ ଗାଡିର ବୋଝେଇ କୋଇଲା ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଶେଷରେ ଚୋରା କୋଇଲା ଚାଲାଣ ଅଭିଯୋଗରେ ଗାଡି ଜବତ୍ କରାଗଲା ଏବଂ ଗାଡିରେ ପ୍ରାୟ ୨୦ କ୍ୱିଣ୍ଟାଲ କୋଇଲା ଥିବା ପୋଲିସ ଜାଣିବାକୁ ପାଇଛି । ଏଥିସହ ଚାଳକ ତଥା ଗାଡି(ଓଡି-୨୨-ୱାଇ-୫୩୦୪)ର ମାଲିକକୁ ପୋଲିସ ଗିରଫ୍ କରିଛି । ଗିରଫ ଚାଳକ/ଅଭିଯୁକ୍ତ ସନ୍ଥପୁରା ଗାଁର ରମେଶ ବଳଙ୍କ ପୁଅ ଜୀବନଜ୍ୟୋତି ବଳ(୨୫) ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଜୀବନଜ୍ୟୋତି ବଳ ଏକ ନିର୍ଦ୍ଦିଷ୍ଟ ସଂଗଠନର କର୍ମୀଭାବେ ଜଣାଶୁଣା ମାତ୍ର ତାଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରୁଜୁ ଛନ୍ଦି ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |