ଘରୋଇ ଫାଇନାନ୍ସ ସଂସ୍ଥାର ଯୋର ଜୁଲମକୁ ନେଇ ଅସନ୍ତୋଷ ବ୍ୟାପୁଛି |

69

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଦିନ ଥିଲା ଯେତେବେଳେ ଗାଁ ଗହଳିରେ ଗାଁ ମହାଜନ ମାନେ ଲୋକଙ୍କ ସୁବିଧା ଅସୁବିଧାରେ ଆର୍ôଥକ ଋଣ ଦେଇ ମନଇଚ୍ଛା ସୁଧମୂଳ ଆଦାୟ ନାନା ଅନ୍ୟାୟ ଅତ୍ୟାଚାରର ପଥ ବାଛି ନେଉଥିଲେ । ଏବେ ସାରା ରାଜ୍ୟର ଗାଁ ଗହଳରେ ଛତୁ ଫୁଟିବା ଭଳି ଗଢି ଉଠିଥିବା ଘରୋଇ ଫାଇନାନ୍ସ ସଂସ୍ଥା ମାନେ ଋଣ ଆଦାୟ ଲାଗି ସମାନ ବାଟ ଆପଣାଇଛନ୍ତି । ଗାଁ ଗହଳିର ଅଶିକ୍ଷିତ ଓ ଅସଚେତନ ମହିଳା ମାନଙ୍କୁ ବୋକା ବନାଇ ଗ୍ରୁପ ମାଧ୍ୟମରେ ସହଜ ଓ ସୁବିଧାରେ ଅର୍ଥ ଲଗାଣ କରୁଛନ୍ତି । ବିଭିନ୍ନ ଉପାୟରେ ଏହି ସଂସ୍ଥାମାନେ ସାମାନ୍ୟ କିଛି କାଗଜପତ୍ର ଉପରେ ନିର୍ଭର କରି ଏହି ଋଣ ପ୍ରଦାନ କରିଥାନ୍ତି ଏବଂ କାଗଜପତ୍ରର ଗୁରୁତ୍ୱ ନଥିବାରୁ ଅନେକ ଏହି ସଂସ୍ଥାରୁ ଋଣ ନେବାକୁ ସହଜ ମଣିଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଧାର୍ଯ୍ୟ ସୁଧଠାରୁ ଢେର ଅଧିକ ସୁଧ ନେଉଥିଲେ ବି ଋଣୀ ଏହି ଅର୍ଥଲଗାଣକାରୀ ସଂସ୍ଥାର କୌଶଳକୁ ବୁଝି ନପାରି ଶୋଷଣର ଶିକାର ହୋଇଥାନ୍ତି । କେବଳ ସେତିକିନୁହେଁ ଅର୍ଥ ଆଦାୟ ପାଇଁ ଏହି ସଂସ୍ଥାର କର୍ମଚାରୀ ଓ ଋଣ ନେଇଥିବା ମହଳା ଗ୍ରୁପର ମହିଳା ମାନଙ୍କ ଦ୍ୱାରା ଯୋର ଜୁଲମ କରି ଅର୍ଥ ଆଦାୟ କରିଥାନ୍ତି । କେତେକ କ୍ଷେତ୍ରରେ ଆଇନର ଉର୍ଦ୍ଧ୍ୱକୁ ଯାଇ ବେନିୟମ ବାଟକୁ ମଧ୍ୟ ଆପଣାଇଥାନ୍ତି । ସଂପ୍ରତି ତିହିଡି ଅଞ୍ଚଳରେ ୩୦ରୁ ଉର୍ଦ୍ଧ୍ୱ ଘରୋଇ ଫାଇନାନ୍ସ ସଂସ୍ଥା ସମଗ୍ର ବ୍ଲକରେ ହଜାର ହଜାର ମହିଳା ଗ୍ରୁପକୁ ଋଣ ଲଗାଣ କରିଛନ୍ତି । ପୂର୍ବରୁ କିସ୍ତି ଆଦାୟ ପାଇଁ ସଂସ୍ଥାମାନଙ୍କର ଯୋର ଜୁଲମର ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଉଦାସୀନ ରହି ଆସିଛନ୍ତି । ଫଳରେ ଋଣ ଲଗାଣକାରୀ ସଂସ୍ଥା ମାନଙ୍କର ଦୌରାତ୍ମ୍ୟ ବଢି ବଢି ଚାଲିଛି । ସଦ୍ୟତମ ଘଟଣା ଏହି ବ୍ଲକ ଅନ୍ତର୍ଗତ ନୟାନନ୍ଦ ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ସ୍ୱର୍ଣ୍ଣପ୍ରଭା ଦାସ ଗ୍ରାମଶକ୍ତି ଓ ପିନକେୟାର ସଂସ୍ଥାରୁ ମୋଟ ୮୦ ହଜାର ଟଙ୍କା ଋଣ କରିଥିଲେ ଏବଂ କିସ୍ତି ମଧ୍ୟ ପରିଶୋଧ କରିଆସୁଥିଲେ । ଫେବୃଆରୀ ମାସରେ ଶ୍ରୀମତୀ ଦାସ ଅସାବଧାନତା ବଶତଃ ନିଆଁରେ ପୋଡି ହୋଇ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏବଂ ପରିବାର ଆର୍ଥିର୍କ ସଙ୍କଟ ଦେଇ ଗତି କରୁଥିବା ବେଳେ ମାତ୍ର ଗୋଟିଏ କିସ୍ତି ପରିଶୋଧ କରିପାରି ନଥିଲେ । ଫଳରେ ଗ୍ରୁପର ମହିଳାମାନେ ଟଙ୍କା ଆଦାୟ ପାଇଁ ତାଙ୍କ ଘରେ ପହଞ୍ଚି ପାଟିତୁଣ୍ଡ ଗାଳିଗୁଲଜ କରିବା ସହିତ ତାଙ୍କ ଘରେ ତାଲା ମାରି ଓ ତାଙ୍କ ସ୍ୱାମୀଙ୍କ ମୋଟର ସାଇକେଲ ନେଇ ଯାଇଥିଲେ । ଘଟଣାକୁ ନେଇ ମହିଳାଙ୍କ ସ୍ୱାମୀ ଅଶୋକ ଦାସ ଗତ ୧୮.୦୩.୨୪ରିଖରେ ଥାନାରେ ଏତଲା ଦେଇଥିଲେ । ପରେ ୨୮ ତାରିଖରେ ଥାନାରେ ଭଦ୍ରଲୋକଙ୍କ ମାଧ୍ୟମରେ ଏକ ଆପୋଷ ବୁଝାବଣା ହୋଇଥିଲା ଏବଂ ପରଦିନ ମୋଟର ସାଇକେଲ ଫେରସ୍ଥ ସହ ଘରର ତାଲା ଖୋଲିଦେବା ଏବଂ ଦୁଇମାସ ମଧ୍ୟରେ ବକେୟା କିସ୍ତି ପରିଶୋଧ କରିବା ଲାଗି ନିଷ୍ପତି ହୋଇଥିଲା । ମାତ୍ର ଅଶୋକ ସେଦିନ ଗଲାବେଳକୁ ମୋଟର ସାଇକେଲ ତ ମିଳିଲାନି ମାଡମାରି ଗ୍ରାମରୁ ତଡିଦେଲେ । ପରେ ଘରକୁ ଯିବାରୁ ମାରଣାସ୍ତ୍ର ଧରି ଗୋଡେଇଲେ ଯାହାକୁ ନେଇ ଗତ ୩୦ ତାରିଖରେ ଅଶୋକ ପୂନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ତଳିଆ କର୍ମଚାରୀ ଆଜିକାଲି କହି ଟାଳି ଦେଉଥିବା ବେଳେ ଗତକାଲି ଆଇଆଇସି ପ୍ରସନ୍ନ କୁମାର ନାୟକ ହସ୍ତକ୍ଷେପ କରିବା ପରେ ଗତକାଲି ସେ ତାଙ୍କର ମୋଟର ସାଇକେଲ ଫେରି ପାଇଛନ୍ତି ଏବଂ ଘରେ ମଧ୍ୟ ରହୁୁଛନ୍ତି । କେତେକ ପରିବାର ଏହି ସଂସ୍ଥାଗୁଡିକ ପାଇଁ ସର୍ବସ୍ୱାନ୍ତ ହୋଇ ଘର ବି ଛାଡିଥିବା ନଜିର ରହିଛି । ଏଭଳି ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ବିରୋଧରେ ସରକାର, ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ସାଧାରଣ ଗରିବ ଗୁରୁବା ଶୋଷଣର ଶିକାର ହୋଇ ଚାଲିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |