ନିଆରା ପରମ୍ପରା, ବିମାନ କାନ୍ଧେଇ ମହିଳାମାନଙ୍କ ମେଲଣ ଯାତ୍ରା |

96

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୪ : ଶ୍ରୀଶ୍ରୀ ରାଧାମାଧବ ଜୀୟୁ ସେବକମାନଙ୍କର ନିଆରା ପରମ୍ପରା, ଯେଉଁଠି ପ୍ରଥମ ଥର କରି ମହିଳାମାନେ ଠାକୁର ବିମାନ କାନ୍ଧେଇ ମେଲଣକୁ ଯାଇଥିଲେ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଦେଶଦୋଳ ମେଲଣରେ ଏପରି ପରିଲକ୍ଷିତ ହୋଇଛି । ବାମନବିନ୍ଧା ପଞ୍ଚାୟତ ଖେଦରପୁର ଗାଁର ଶ୍ରୀଶ୍ରୀ ରାଧାମାଧବ ଜୀୟୁ ପକ୍ଷରୁ ଚଳିତ ବର୍ଷ କେବଳ ମହିଳାମାନେ ବିମାନ କାନ୍ଧେଇ ମେଲଣକୁ ଯାଇଥିବା ଜଣାଯାଇଛି । ଏହି ଗାଁର ଶ୍ରୀଶ୍ରୀ ରାଧାମାଧବ ଜୀୟୁଙ୍କ ୩୨ତମ ଫଗୁ ପୂର୍ଣ୍ଣିମା ଦେଶଦୋଳ ଓ ମେଲଣ ଅବସରରେ ରାଧାମାଧବ ମନ୍ଦିର ପରିସରରୁ ପରିବାରର ମହିଳାମାନେ ବିମାନ କାନ୍ଧେଇ ପୀରହାଟ କାଳୀପଡିଆସ୍ଥିତ ମେଲଣକୁ ଯାଇଥିଲେ । ମହିଳାମାନେ ବିମାନକୁ କାନ୍ଧେଇ ଥିବାବେଳେ ପୁରୁଷମାନେ ଘଣ୍ଟା, ଝାଞ୍ଜ, ମୃଥଙ୍ଗ, ଢୋଲ ଓ କଂସାଳ ଆଦି ବଜେଇ ବେଶ ଧୂମ୍‌ଧାମରେ ମେଲଣକୁ ଯାଇଥିଲେ । ଏହାକୁ ଦେଖିବା ଲାଗି ଗାଁରୁ ମେଲଣ ପଡିଆ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଜମିଥିଲା । ପ୍ରତିବର୍ଷ ଏହିପରି ପରମ୍ପରା ବଜାୟ ରଖିବା ଲାଗି ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି । ଅନିତା ମହାନ୍ତିି, ରଶ୍ମିରେଖା ମହାନ୍ତି, ପୂଜା ମହାନ୍ତି, ଶତାବ୍ଦୀ ମହାନ୍ତି, ମୋନାଲୀସା ମହାନ୍ତି, ବିନୁ ମହାନ୍ତି, ସୀମା ମହାନ୍ତି, ଲିପି ମହାନ୍ତି, ସୁଚ୍ଚିସ୍ମିତା ମହାନ୍ତି, ସିଦ୍ଧି ମହାନ୍ତି, କ୍ରିଷ୍ଣା ମହାନ୍ତି, ସାଇଶ୍ରୀ ମହାନ୍ତି, ଶୁଭଶ୍ରୀ ମହାନ୍ତି, ସୁଜିତା ମହାନ୍ତି ପ୍ରମୁଖ ଠାକୁର ବିମାନକୁ କାନ୍ଧେଇବା ସହିତ ନାଚିନାଚି ମେଲଣକୁ ଯାଇଥିଲେ । ମୁଖ୍ୟ ସେବକ ସଚ୍ଚିଦାନନ୍ଦ ମହାନ୍ତି ଓ ବିଜୟ ମହାନ୍ତିଙ୍କ ସମେତ ବାଇଧର, ହାଡିବନ୍ଧୁ, ଶୁଭେନ୍ଦୁ, ଟିକୁ ଓ ମୁରଲୀ ପ୍ରମୁଖ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |