ଭଦ୍ରକ ତ୍ୟାଗଭୂମି ପକ୍ଷରୁ ଫଗୁମିଳନ ଓ କବିତା ପାଠୋତ୍ସବ, ବସନ୍ତର ବର୍ଣ୍ଣବିଭାରେ କବିତାର ରମଣୀୟତା ପ୍ରକଟିତ।

70

କଟକ (ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୪ : ଋତୁରାଜ ବସନ୍ତର ନୈସର୍ଗିକ ସୁଷମା ଓ ଫୁଗୁ ଫଗୁଣର ବର୍ଣ୍ଣ ବୈଚିତ୍ର‌୍ୟ କେବଳ ସଂସ୍କୃତ କି ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିନାହିଁ, ଯୁଗେଯୁଗେ କବିମାନେ ବାସନ୍ତିକ ପ୍ରକୃତିର ମନୋଜ୍ଞ ରୂପଶୋଭାରେ ବିମୋହିତ ହୋଇଛନ୍ତି। କାରଣ କବି ଓ କଳାକାର ସର୍ବଦା ସୌନ୍ଦର୍ଯ୍ୟପ୍ରିୟ। ଫଗୁଣ ମଣିଷର ସୌନ୍ଦର୍ଯ୍ୟବୋଧର ପ୍ରତୀକ। କବିର ଅନ୍ତର୍ଚେତନାରେ ଥିବା ସୌନ୍ଦର୍ଯ୍ୟବୋଧ ବାହ୍ୟ ସୌନ୍ଦର୍ଯ୍ୟର ଉପାଦାନରେ ରମଣୀୟ ବର୍ଣ୍ଣବିଭାର ସଂରଚନା କରିଥାଏ ବୋଲି ଭଦ୍ରକ ଜିଲ୍ଲା ସାଂସ୍କୃତିକ ସମ୍ମେଳନ ତ୍ୟାଗଭୂମି ପକ୍ଷରୁ ସୋମବାର ଅପରାହ୍ଣରେ ଜଗନ୍ନାଥପୁରସ୍ଥିତ ତ୍ୟାଗଭୂମି ଭବନ ପରିସରରେ ଆୟୋଜିତ ସାରସ୍ୱତ ଫଗୁମିଳନ ଆଲୋଚନା ଓ କବିତା ପାଠୋତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସମ୍ମେଳନର ଉପଦେଷ୍ଟା ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ବିଶିଷ୍ଟ କବି ଡକ୍ଟର ହୃଷୀକେଶ ମଲ୍ଲିକ ଯୋଗଦେଇ ରାଧାକୃଷ୍ଣ, ଶ୍ରୀଚୈତନ୍ୟ, ହୋଲିଖେଳ ଓ ଫଗୁମିଳନର ମହନୀୟ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଓ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ ଯୋଗଦେଇ ଓଡ଼ିଆ କାବ୍ୟଧାରାରେ ବସନ୍ତର ରମଣୀୟ ବର୍ଣ୍ଣବୈଚିତ୍ର‌୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବରେଣ୍ୟ ଅତିଥି ଭାବେ ଇଂ. ଅରୁଣ କୁମାର ପାତ୍ର, ଡାକ୍ତର ଆର.କେ ନାୟକ, ଅଖିଳମୋହନ ପାଢ଼ୀ ଓ ବିପ୍ଳବ ରଞ୍ଜନ ପତି ପ୍ରମୁଖ ଯୋଗଦେଇ ବାସନ୍ତିକ ମିଳନ ଜୀବନ ପାଇଁ ଅପରିହାର୍ଯ୍ୟ ମତ ଦେଇଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। କବୟତ୍ରୀ ସଂଯୁକ୍ତା ବଳ ନାୟକ, ମନୋରମା ରାୟ, ଦୀପ୍ତିମୟୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଫଗୁ କବିତା ପାଠୋତ୍ସବରେ କବି ଦେବେନ୍ଦ୍ରନାଥ ମହାଳିକ, ବିଜୟ କୁମାର ବହଳୀ, ଶାନ୍ତନୁ କୁମାର ରାଉତ, ଅଧ୍ୟାପିକା ଉଷାରାଣୀ ଜେନା, ଡାକ୍ତର ଅନୀଲ ଦାସ, ମୁକୁନ୍ଦଦେବ ନାୟକ, ମୁସ୍ତାକ ଗହ୍ୱର, ସେକ ଅବଦୁଲ ଦୟାନ, ବାବୁଲାଲ ଦାସ, ମମତାରାଣୀ ଦାସ, ଦମୟନ୍ତୀ ନାଥ, ସଂଯୁକ୍ତା ଯାଦବ, ରଶ୍ମିତା ଦାସ, ମିନାକ୍ଷୀ ନାୟକ ଓ ଚିନ୍ମୟ ସ୍ୱାଇଁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଚନ୍ଦ୍ରଶେଖର ନାୟକ, ଶ୍ରୀହର୍ଷ ସ୍ୱାଇଁ, ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଅମ୍ବିକାବଲ୍ଲଭ ସ୍ୱାଇଁ, ଗୋବର୍ଦ୍ଧନ ସାମଲ, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ, ଅକ୍ଷୟ ଜେନା, ନାରାୟଣ ପାଢ଼ୀ, ଅମୂଲ୍ୟ କୁମାର ଦାସ, ରମାକାନ୍ତ ପାଲ, ପ୍ରଶାନ୍ତ ବେହେରା, ବିଜୟ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଗଠନ ସମ୍ପାଦକ ସୁଧାକର ରାଉତ, ଲୋକନାଟ୍ୟ କଳାକାର ଗୌରାଂଗ ବାରିକ୍‌, ବରିଷ୍ଠ ସଦସ୍ୟ ଅଶୋକ କୁମାର ଦ୍ୱିବେଦୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ସମ୍ପାଦକ ଅଧିବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |