ଝାଡପଟା ମେଳନ ଭାଇଚାରାର ସମ୍ପର୍କ ବଜାୟ ରଖିଛି |

66

କଟକ (ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧିନ ଝାଡପଟା ମେଳନ ଭାଇଚାରାର ସମ୍ପର୍କ ବଜାୟ ରଖିଛି । ବିଗତ ୨ ଶହ ବର୍ଷରୁ ଉର୍ଦ୍ଧ ହେବ ଏଠାରେ ଏକ ମନୋରମ ଘଞ୍ଜ ଜଙ୍ଗଲ ପରିବେଶରେ ଏହି ମେଳନ ପାଳନ ହୋଇ ଆସୁଅଛି । ଏକାଦଶୀ ତିଥିରେ ରାଧାକୃଷ୍ଣ ବିଗ୍ରହ ନିଜ ବିଜେ ସ୍ଥଳିରୁୁ ବାହାରି ବିମାନରେ ଅବସ୍ଥାନ କରିଥିଲେ । ବିଭିନ୍ନ ଗାଁ ପରିକ୍ରମା କରି ଚାଚିରୀ ଖାଇବା ପରେ ଦ୍ୱାଦଶୀ ତିଥିରେ ମେଳନ ଆରମ୍ଭ ହୋଇଥିଲା । ବିମାନଧାରୀ ଙ୍କ ସହ ଠାକୁରବାଡିଆ ଗାଁ ଗଣ୍ଡା ବୁଲିବା ସହ ଠାକୁରଙ୍କ ଚାଚିରୀ ଖାଇବା ଆମ ସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଏକ ନିଆରା ସମ୍ପର୍କ ସୃଷ୍ଟି କରିଥାଏ । ପରମ୍ପରା ଓ ବିଶ୍ୱାସମତେ ଝାଡପଟା ମେଳନ ପାଳନ କରାଯାଇଥାଏ ଏବଂ ଏଠାରେ କିଏ ପୁରୁଷ କିଏ ମହିଳା ସମସ୍ତଙ୍କ ମଧ୍ୟରେ ଆବିଳତା ଦେଖା ଦେଇଥାଏ । ପରସ୍ପର ମଧ୍ୟରେ ଅବିଳ ଖେଳି ପବିତ୍ର ହୋଲି ପାଳିବା ସହ ଶ୍ରଦ୍ଧାଳୁମାନେ ମେଳନ ପଡିଆରେ ଅବସ୍ଥାପିତ ହୋଇଥିବା ବିମାନରେ ବିଗ୍ରହମାନଙ୍କୁ ଭୋଗ ଲଗାଇବା ସହ ଅବିର ସମର୍ପଣ କରି ସାନିଦ୍ଧ୍ୟ ଲାଭ କରିଥାନ୍ତି । ଦୋଳପୂର୍ଣ୍ଣମୀ ରାତିରେ ଏହି ମେଳନ ଆରମ୍ଭ ହୋଇ ମଙ୍ଗଳବାର ଅପରାହ୍ନରେ ସମାହିତ ହୋଇ ଯାଇଛି । ସକାଳ ସୁଦ୍ଧା ଶ୍ରୀଧରଜୀୟୁ, ଶ୍ୟାମସୁନ୍ଦର ଜୀୟୁ, ରଘୁନାଥ ଜିୟୁ, ରାଧାମାଧବ ଜୀୟୁ, ଦାମୋଦର ଜୀୟୁ(୧) ଓ ଦାମୋଦର ଜୀୟୁ(୨) ଏବଂ ମଦନମୋହନ ଜୀୟୁ ୭ଟି ଠାକୁର କ୍ରମିକରେ ଆସିଥାନ୍ତି । ପରେ ୪୫ରୁ ଉର୍ଦ୍ଧ ଶ୍ରୀଜିୟୁମାନେ ଶୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରିବା ସହ ମେଳନ ପଡିଆକୁ ପ୍ରବେଶ କରିଥା’ନ୍ତି । ପାରମ୍ପରିକ ରୀତିରେ ମୃଧଙ୍ଗ, ଘଣ୍ଟା ଓ ଝାଞ୍ଜ ବଜାଇ ଠାକୁଆବାଡିଆମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ବିମାନ ଗୁଡିକକୁ ନେଇଥା’ନ୍ତି । ପାରମ୍ପରିକ ଅବିର ବୋଳାବୋଳି ହୋଇ ସମ୍ପର୍କର ସେତୁ ବାନ୍ଧିଥା’ନ୍ତି । ପୂର୍ବ ଶତୃତାକୁ ଭୁଲି ସଭିଏଁ ଏହି ହୋଲିରେ ସାମିଲ ହୋଇଥାନ୍ତି । ମଙ୍ଗଳବାର ସକାଳ ୭ ଘଟିକାରୁ ଆରମ୍ଭ ହୋଇଥିବା ଏହି ମେଳନ ଅପରାହ୍ନ ପ୍ରାୟ ୩ ଘଟିକାରେ ପାଣିଭଣ୍ଡାର ବୁଢା ମହାଦେବ ବିମାନ ଆସିବା ପରେ ସମାହିତ ହୋଇଯାଇଛି । ଏହି ମେଳନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପରସ୍ପର ମଧ୍ୟରେ ଅବିର ଖେଳ ହୋଇଥାଏ । ଟନ୍ ଟନ୍ ଅବିର ଏହି ମେଳନରେ ବ୍ୟବହାର ହୋଇଥିବା ବେଶ ବାରି ହୋଇଛି । ମେଳନ କମିଟିର ସଭାପତି ରଘୁନାଥ ମହାନ୍ତି, ସମ୍ପାଦକ ବିଚିତ୍ର ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ଶଶିକାନ୍ତ ମିଶ୍ର, ସୁରେଶ ମହାନ୍ତି, ପ୍ରସନ୍ନ ପାଢୀ, ହୃଦାନନ୍ଦ ପାଣିଗ୍ରାହୀ, ଉପେନ୍ଦ୍ର ମହାନ୍ତିଙ୍କ ସମେତ ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିଲେ । ତିହିଡି ବ୍ଲକର ଅନ୍ୟ ମେଳନ ଅପେକ୍ଷା ଏହି ମେଳନରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଯୋଗ ଦେଇଥିବା ବେଶ ବାରି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।