ରାଜ୍ୟ ରାଜପଥରେ ବେଆଇନ୍ ବ୍ୟାରିୟର ଯୋଗୁଁ ବଢୁଛି ଦୁର୍ଘଟଣା |

42

କଟକ (ଉତ୍କଳ ନ୍ୟୁଜ ) ୨୦-୩-୨୦୨୪ : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବେଆଇନ୍ ବ୍ୟାରିୟର ଯୋଗୁଁ ବଢୁଛି ଦୁର୍ଘଟଣା ହେଲେ ପରିବହନ ବିଭାଗ ଓ ପୋଲିସ ନିରବ ରହୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସଂପ୍ରତି ଦୁର୍ଘଟଣା ପ୍ରବଣ ରାସ୍ତା ଭାବେ ପରିଚିତ ହୋଇଗଲାଣି । ଏହା ମନୁଷ୍ୟକୃତ ଅଟେ । ଜିଲାରେ ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଚିତ ଏହି ରାସ୍ତା ସଂପ୍ରତି ଆଉ ସୁରକ୍ଷିତ ହୋଇ ରହିନାହିଁ । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି ଯେଉଁଥି ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି । ବେଆଇନ ଅବରୋଧ ଭିତରେ ବେଆଇନ ବ୍ୟାରିଅର ଏକ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହେଲାଣି । ସଂପ୍ରତି ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବେଆଇନ ବ୍ୟାରିଅର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ କମ୍ପାନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ନିଜର ପ୍ରଚାର ପାଇଁ ବ୍ୟାରିଅର ନିର୍ମାଣ ସେଥିରେ ସଂସ୍ଥାର ନାମ ଲେଖିଦେବା ସହ ସ୍ଥାନୀୟ ପୁଲିସ ଷ୍ଟେସନର ନାମ ଲେଖିଦେଇ ରାସ୍ତାରେ ରଖିଦେଉଛନ୍ତି । ରାସ୍ତା ପାଶ୍ୱର୍ରେ ଦୋକାନ କରିଥିବା ବ୍ୟକ୍ତିବିଶେଷମାନେ ଏହାକୁ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ରଖିଦେଇ ରାସ୍ତାକୁ ଆଂଶିକ ଅବରୋଧ କରିଦେଉଛନ୍ତି । ଅବରୋଧ ସ୍ଥାନରେ ମନଇଚ୍ଛା ବ୍ୟବସାୟ କରୁଛନ୍ତି । ଏହାକୁ ଆଇନ ଅନୁମୋଦିତ ଅବରୋଧ ବୋଲି ସେମାନେ ଗ୍ରହଣ କରିନେଇଛନ୍ତି । ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ବାହାରିଲେ ଏହିପରି ଶହଶହ ବ୍ୟାରିଅର ଦେଖିବାକୁ ମିଳୁଛି । କିଏ ବ୍ୟାରିଅର ରଖିଦେଇ ରାସ୍ତା ଉପରେ ଟାୟାର ମରାମତି ଦୋକାନ କଲାଣି ତ ପୁଣି କିଏ ଚାଟ ବା ଲସି ଦୋକାନ ଖୋଲି ବ୍ୟବସାୟ କଲାଣି । ତେବେ ଏହି ବ୍ୟାରିଅର ଗୁଡ଼ିକ ଲଗାଇବା ପାଇଁ ଯେଉଁ ନିୟମ କାନୁନ୍ ରହିଛି ତାହାକୁ ପାଳନ କରାଯାଉଛି । ପରିବହନ ବିଭାଗ ଅଧିକାରୀ ସଂପୂର୍ଣ୍ଣ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଗଲା ପରି ଅନୁଭବ ଆସିଲାଣି । ଯାନବାହାନର ଗତି ମାପି ହେଉ ବା ହେଲମେଟ ପିନ୍ଧି ନଥିବା କାରଣରୁ ସାଧାରଣ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରି ରାଜକୋଷ ପୂର୍ଣ୍ଣ କରିବା ଛଡ଼ା ସଡ଼କ ସୁରକ୍ଷା କଥା ଭାବୁ ନାହାନ୍ତି । ଫଳରେ ପ୍ରତିଦିନ ନିରୀହ ଜୀବନ ଗୁଡ଼ିକ ବଳିପଡ଼ିବାରେ ଲାଗିଛନ୍ତି । ଯେଉଁ ବ୍ୟାରିଅର ଗୁଡ଼ିକ ରାସ୍ତା ଉପରେ ଅବିଚାରିତ ଭାବେ ରଖିଦିଆଯାଉଛି ତାହାଦ୍ୱାରା ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । କାରଣ ରାତ୍ରିରେ ବ୍ୟାରିଅରକୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ । ବ୍ୟାରିଅରରେ ରେଡିୟମ ଲଗାଯାଉନାହିଁ । ଫଳରେ ବାଇକ ଆରୋହୀ ଓ ଚାରିଚକିଆ ଯାନ ଚାଳକ ଜାଣି ନପାରି ବ୍ୟାରିକେଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ବ୍ୟାରିଅର ଲଗାଇବା ପାଇଁ ବିଭାଗୀୟ କର୍ତ୍ତର୍ୁପକ୍ଷଙ୍କର ଅନୁମୋଦନ ମଧ୍ୟ ଆବଶ୍ୟକ ରହିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ । ଭଦ୍ରକ-ଚାନ୍ଦବାଲି ରାସ୍ତାରେ ସ୍କୁଲ, ବଜାର, ହସପିଟାଲ ଆଦି ଯେଉଁଠାରେ ବ୍ୟାରିଅରର ଆବଶ୍ୟକ ରହିଛି ତାହା ଚିହ୍ନଟ କରାଯିବା ଆବଶ୍ୟକ । ମାର୍ଗଦର୍ଶକା ଅନୁଯାୟୀ ବ୍ୟାରିଅର ନିର୍ମାଣ କରାଯିବା ମଧ୍ୟ ଆବଶ୍ୟକ । ଯେଉଁ ବ୍ୟବସାୟୀ ସଂସ୍ଥା ଗୁଡ଼ିକ ବ୍ୟାରିକେଡ ପାଇଁ ଆଗ୍ରହୀ ଅଟନ୍ତି ସେମାନଙ୍କ ଠାରୁ ଆବଶ୍ୟକୀୟ ଆବେଦନ ପତ୍ର ଗ୍ରହଣ କରାଯାଇ ତାହା ତନଖି କରାଯାଇ ବ୍ୟାରିଅର ଦେବା ପାଇଁ କୁହାଯିବା ଆବଶ୍ୟକ । ଏହାଦ୍ୱାରା ସମସ୍ତେ ସୁରକ୍ଷିତ ରହିବା ସହ ସରକାରଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ । ବିଡ଼ମ୍ବନା ହେଉଛି ଏତେ କଥା ଭାବିବାକୁ କର୍ତ୍ତର୍ୁପକ୍ଷଙ୍କର ଆଗ୍ରହ କାହିଁ! ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |