ଅଲେଖ ମଠରୁ ଚୋରୀ ଘଟଣା, ଏଗାରତମ ଅଭିଯୁକ୍ତ ପ୍ରଭାତ ନାଥ ଗିରଫ୍ |

89

କଟକ (ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୪ : ବର୍ଷେତଳେ ଭଦ୍ରକ ଜିଲ୍ଲା ତିହିଡି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ ତିହିଡି ଗାଁର ଅଲେଖ ମଠରୁ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରୀ ଘଟଣାରେ ଏଗାରତମ ଅଭିଯୁକ୍ତ ପ୍ରଭାତ ନାଥକୁ ଗିରଫ୍ କରିଛି ପୋଲିସ । ତିନିଦିନ ତଳେ ପ୍ରଭାତ ଖେରଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ପୋଲିସ ଉଠାଇ ଆଣିଥିଲା । ଥାନାରେ ପଚରା ଉଚୁରା ସମୟରେ ଚୋରୀରେ ସଂପୃକ୍ତ ଥିବାନେଇ ଠୋସ୍ ପ୍ରମାଣ ମିଳିବା ପରେ ସୋମବାର କୋର୍ଟ ଚାଲାଣ କରାଯାଇଛି । ପ୍ରଭାତ ନାଥ ବାଂଶଡା ଥାନାଧିନ ଖଦାଳପୋଖରୀ ଗାଁର ବୋଲି ଜଣାଯାଇଛି । ଉକ୍ତ ଚୋରୀ ଘଟଣାରେ ପୂର୍ବରୁ ପର୍ଯ୍ୟାୟକ୍ରମେ ୮ ଜଣଙ୍କୁ ପୋଲିସ ଗିରଫ୍ କରିଥିବା ବେଳେ ୨ ଜଣ କୋର୍ଟରେ ଆତ୍ମସମର୍ପଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, ସେଦିନ ଥିଲା ୨୦୨୩ ମସିହା ଫେବୃଆରୀ ମାସ ୪ ତାରିଖ ଶନିବାର । ମଠର ମହନ୍ତ ଗଣେଶ ବାବାଙ୍କ ସମେତ ସମସ୍ତ ଅନୁଗାମୀ ଜୋରନ୍ଦା ମେଳାରେ ଯାଇଥିଲେ । ୬ ତାରିଖରେ ଫେରିବା ପରେ ମଠର ସମସ୍ତ ତାଲା ଭଙ୍ଗା ଯାଇଥିବା ଜଣା ପଡିଥିଲା । ଦାନଦକ୍ଷିଣାରେ ମିଳିଥିବା ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରୀ ହୋଇଥିବା ଜଣାଯାଇଥିଲା । ପୂର୍ବତନ ଅନୁଗାମି ଜୟଦେବ ଦାସଙ୍କୁ ବାବା ସନ୍ଦେହ କରିଥିଲେ । ବାବାଙ୍କ ଅଭିଯୋଗ ମୂଳେ ପୋଲିସ ପ୍ରଥମେ ଜୟଦେବଙ୍କୁ ଧରିଥିଲା । ପଚରା ଉଚୁରା କରିବା ପରେ ବହୁ ତଥ୍ୟ ସଂଗ୍ରହ କରିଥିଲା ପୋଲିସ । ଜୟଦେବ ବାବାଙ୍କ ମଠରେ ପୂର୍ବରୁ କାମଦାମ କରୁଥିବା ବିଜିପୁର ଗ୍ରାମର ଅଖୁଜା ଓରଫ୍ ଶରତ ଦାସକୁ ଅସ୍ତ୍ର କରି ଚୋରୀ କରାଇଥିଲା । ଅଖୁଜା ମଧ୍ୟ ନିଜ ଶଳା ଜରିଆରେ ସେସବୁ ଟଙ୍କାଙ୍କୁ ଚୋରୀ କରିଥିବା ପୁଲିସି ଜାଣିବାକୁ ପାଇଥିଲା । ସେମାନଙ୍କୁ ଗିରଫ୍ କରି ପୋଲିସ କୋର୍ଟ ଚାଲାଣ କରି ତଦନ୍ତ ଚଳାଇଥିଲା । ଅଭିଯୁକ୍ତମାନେ ଚୋରୀ ଟଙ୍କାଗୁଡାକୁ ବନ୍ଧୁବାନ୍ଧବ ଘରେ ରଖି ବାହାର ରାଜ୍ୟରେ କାମଧନ୍ଦା ଆଳରେ ରହୁଥିଲେ । ପୋଲିସ ପର୍ଯ୍ୟାୟକ୍ରମେ ଖଦାଳପୋଖରୀ, ବିଜିପୁର ଓ ଜନ୍ତୁଆଳି ଗ୍ରାମର ଟୁକୁ ଓରଫ୍ ସଞ୍ଜୟ ନାଥ, ବଟ ଓରଫ୍ ବଟକୃଷ୍ଣ ଦାସ, ସର୍ବଣା ନାଥ, ମିଲନ ଦାସ, ସର୍ବଣା ନାଥର ମାଆ ସତ୍ୟଭାମା ନାଥ, ମିଲନ ଦାସର ପ୍ରେମିକା ରଶ୍ମିିତା ଦାସଙ୍କୁ ଗିରଫ୍ କରାଯାଇଥିବା ବେଳେ ବିଜିପୁର ଗ୍ରାମର ମାୟାଧର ଜେନା ଓ ଗୋବରା ଜେନା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଇତିମଧ୍ୟରେ କେସ କ୍ଲୋଜ ହୋଇଥିଲେ ମଧ୍ୟ ୱାରେଣ୍ଟି ବଳରେ ଏଗାରତମ ଅଭିଯୁକ୍ତ ପ୍ରଭାତ ନାଥକୁ ଗିରଫ୍ କରିଛି ପୋଲିସ । ତେବେ ଉକ୍ତ ଚୋରୀ ଘଟଣା ଅନ୍ୟତମ ଅଭିଯୁକ୍ତ ସନ୍ୟାସୀ ନାଥ ପୋଲିସ ଆଖିରେ ଧୂଳି ଦେଇ ଅନ୍ୟତ୍ର ରହୁଛି ଏବଂ ଖୁବ୍ ଶିଘ୍ର ତାକୁ ଗିରଫ୍ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି । ତେବେ ବିଭିନ୍ନ ଅଭିଯୁକ୍ତମାନଙ୍କ ଠାରୁ ଚୋରୀ ଟଙ୍କା ଓ ଉକ୍ତ ଟଙ୍କାରେ କିଣା ଯାଇଥିବା ଅଳଙ୍କାରକୁ ଜବତ୍ କରାଯାଇଛି ଯାହା ଆନୁମାନିକ ୨୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଚୋରୀ ପରେ କୌଣସି ଟଙ୍କା ଉଦ୍ଧାର ହୋଇନଥିଲା । ଚୋରୀ ଟଙ୍କା ଉଦ୍ଧାର କରାନଗଲେ ଶିଷ୍ୟମାନଙ୍କ ସହିତ ଥାନାରେ ଅନଶନରେ ବସିବା ଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଗଣେଶ ବାବା ଲିଖିତଭାବେ ଅବଗତ କରାଇଥିଲେ । ଏଠାରେ ସୂଚନା ଥାଉକି, ମଠ ମହନ୍ତ ଗଣେଶ ବାବାଙ୍କ କୌଣସି ବ୍ୟାଙ୍କରେ ଜମାଖାତା ନଥିଲା । ବର୍ଷ ବର୍ଷ ଧରି ଦାନଧର୍ମରେ ମିଳିଥିବା ଟଙ୍କା ଗଚ୍ଛିତ ରଖିଥିଲେ ବାବା । ବିଭିନ୍ନ ଅଞ୍ଚଳରୁ ଅଲେଖ ଧର୍ମାବଲମ୍ବୀ ଆସି ଏହି ମଠରେ ରହିଥା’ନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |