ପାକିସ୍ଥାନ ଜେଲରେ ୫୮ ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ଭାରତ-ପାକିସ୍ତାନ ଯୁଦ୍ଧର ସୈନିକ ଆନନ୍ଦ ପତ୍ରୀ |

50

କଟକ (ଉତ୍କଳ ନ୍ୟୁଜ ) ୧୮-୦୩-୨୦୨୪: ୧୯୬୫ ମସିହା ଭାରତ- ପାକିସ୍ତାନ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗାଁର ସୈନିକ ଆନନ୍ଦ ଚନ୍ଦ୍ର ପତ୍ରୀ ପାକିସ୍ତାନ ସୈନ୍ୟଙ୍କ ଦ୍ୱାରା ଧରାପଡି ସେବେ ଠାରୁ ଯୁଦ୍ଧବନ୍ଦୀ ଭାବେ ଲାହୋର ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି । ୫୮ ବର୍ଷ ହେବ ବନ୍ଦୀ ହୋଇ ରହିଥିବା ଆନନ୍ଦଙ୍କ ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆରସି) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହ ଏହି ପ୍ରସଙ୍ଗରେ ଆବଶ୍ୟକ ହେଲେ ଆନନ୍ଦଙ୍କ ପରିବାର ବର୍ଗ ଓ ଜାତୀୟ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ସହାୟତା ନେବାକୁ ମଧ୍ୟ ଆଦେଶ କରିଛନ୍ତି । ୧୯୬୫ ମସିହାରୁ ଅଦ୍ୟାବଧି ପାକିସ୍ତାନ ଜେଲରେ ଯୁଦ୍ଧବନ୍ଦୀ ଥିବା ଭାରତୀୟ ଯବାନ ମୁକ୍ତ ହେବା ନେଇ ଆଶା ସଞ୍ଚାର ହୋଇଛି । ଯାହାକି ଏନଏଚ୍‌ଆରସିକ ପକ୍ଷରୁ ଆଦେଶ ପରେ ବନ୍ଦୀ ସୈନିକ ଆନନ୍ଦଙ୍କ ମୁକ୍ତି ପାଇଁ ବାଟ ଫିଟୁଥିବା କୁହାଯାଉଛି । ଆନନ୍ଦ ପତ୍ରୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଗ୍ରାମର ଅଧିବାସୀ । ସେ ଭାରତୀୟ ସେନା ନିଯୁକ୍ତି କେନ୍ଦ୍ର ଗୋଖେଲ ରୋଡ୍‌, କୋଲକତା ମାଧ୍ୟମରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ । ପ୍ରକାଶ ଥାଉକି, ସେ ୧୯୬୨ ମସିହାରେ ଇଣ୍ଡୋ-ଚାଇନା ଯୁଦ୍ଧରେ ଯୋଗ ଦେଇଥିଲେ । ଏହାପରେ ୧୯୬୫ ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧରେ ମଧ୍ୟ ଭାଗ ନେଇଥିଲେ । ସେବେ ଠାରୁ ସେ ପାକିସ୍ତାନର ଲାହୋର ଠାରେ ଥିବା କେନ୍ଦ୍ରୀୟ କେଲରେ "ଯୁଦ୍ଧବନ୍ଦୀ" ଭାବରେ ବହୁ ନିର୍ଯ୍ୟାତିତ ହୋଇ ଅନେକ କଷ୍ଟ ପାଉଛନ୍ତି ବୋଲି ଜଣାପଡିଛି । ଏହି ସମ୍ବେଦନଶୀଳ ବିଷୟଟି ୨୦୦୩ ଫେବୃଆରୀ ୭ ତାରିଖରେ ଗୃହ ସଚିବ, ଓଡିଶା ସରକାରଙ୍କ ଦ୍ୱାରା ଏକ ବିଜ୍ଞାପନ ମାଧ୍ୟମରେ ପ୍ରକାଶିତ ହୋଇଥିଲା । ଯାହାକି ପାକିସ୍ତାନର ଇସଲାମାବାଦରେ ଥିବା ଭାରତର ଉଚ୍ଚ କମିଶନରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ତେବେ ସେହି ବିଜ୍ଞାପନରେ ପ୍ରକାଶିତ ହୋଇଥିବା ଫଟୋଗ୍ରାଫଟି ଆନନ୍ଦ ପତ୍ରୀଙ୍କର ବୋଲି ତାଙ୍କ ପୁତ୍ର ବିଦ୍ୟାଧର ପତ୍ରୀ, ଯିଏ ବୃରିରେ ଜଣେ "ପୁରୋହିତ’ ଏବଂ କୋଲକତାରେ ବାସ କରୁଥିବା ବେଳେ ସେ ତାଙ୍କ ପିତାଙ୍କ ଫଟୋକୁ ଦେଖି ଚିହ୍ନି ପାରିଥିଲେ । ଏଥିସହ ଆନନ୍ଦଙ୍କ ଫୋଟ ତାଙ୍କ ପରିବାର ଲୋକେ ମଧ୍ୟ ଦେଖି ସେ ଆନନ୍ଦ ବୋଲି ଚିହ୍ନଟ କରିଥିଲେ । ପରେ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ଏନେଇ ବିଦ୍ୟାଧର ପତ୍ରୀଙ୍କୁ ସୂଚନା ଦେଇଥିଲେ । ଯେ ତାଙ୍କ ପିତା ପାକିସ୍ତାନ ଜେଲରେ ଅଛନ୍ତି । ଆନନ୍ଦ ପତ୍ରୀଙ୍କ ଗ୍ରାମ କଲ୍ୟାଣୀରେ ରହୁଥିବା ବରିଷ୍ଠ ଗ୍ରାମବାସୀଙ୍କ ଦ୍ୱାରା ମଧ୍ୟ ସେହି ବିଜ୍ଞାପନରେ ପ୍ରକାଶିତ ଫଟୋଟି ଆନନ୍ଦ ପତ୍ରୀଙ୍କ ବୋଲି ଚିହ୍ନଟ କରାଯାଇଥିଲା । ହେଲେ ଆନନ୍ଦଙ୍କ ମୁକ୍ତ ହେବା ପ୍ରକ୍ରିୟା ଆରମ୍ଭ ହୋଇପାରି ନ ଥିଲା । ତେଣୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ତଥା ଓଏସଏସ କେ. ରବି କୁମାର ଅଣ୍ଡର ସେକ୍ରେଟାରୀ ୨୦୨୩ ଅଗଷ୍ଟ ୩ ତାରିଖରେ ଚିଠି ମାଧ୍ୟମରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଜଏଣ୍ଟ ସେକ୍ରେଟାରୀଙ୍କ ପ୍ରାକ୍ତନ ସେବାଧିକାରୀ ଉନ୍ନୟନ ବିଭାଗକୁ ଆନନ୍ଦ ପତ୍ରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆବେଦନ କରିଥିଲେ । ଅନ୍ୟ ପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜାତୀୟ ମାନବାଧିକାର କର୍ମୀ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଗତ ୨୦୨୦ ରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଆୟୋଗ କେନ୍ଦ୍ର ଏକ୍ସଟନାଲ୍ ଆଫାୟାର୍ସ ବିଭାଗକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୨୦୨୧ ଜାନୁଆରୀ ୨୦ ତାରିଖରେ ଆଦେଶ କରିଥିଲେ । ତେବେ ଏଥିରେ କିଛି ଅଗ୍ରଗତି ନ ହେବାରୁ ବାଧ୍ୟ ହୋଇ ପୁନର୍ବାର ଏନଏଚ ଅର୍ଏନ୍‌?ସି ଙ୍କ ଠାରେ ଶ୍ରୀ ତ୍ରିପାଠୀ ୨୦୨୩ ରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଜାତିୟ ମାନବାଧିକାର ଆୟୋଗ ତାଙ୍କ ରାୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ ପୁନର୍ବାର ଉପରୋକ୍ତ ଆଦେଶ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ସୁଫଳ ମିଳି ନଥିବାରୁ ପୁନର୍ବାର ଏନ୍‌ଏଚ୍‌ଆରସି ଏହି ମାମଲାର ଶୁଣାଣି କରି ୨୦୨୪ ମାର୍ଚ୍ଚ ୮ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ୨୦୨୪ ଏପ୍ରିଲ ୧୫ ତାରିଖ ସୁଦ୍ଧା ଜଣାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ଆଦେଶ ପରେ ବନ୍ଦୀ ସୈନିକ ଆନନ୍ଦଙ୍କ ମୁକ୍ତି ପାଇଁ ଆଶା ସଞ୍ଚାର ହୋଇଥିବା କୁହାଯାଉଛି । ଦେଖିବାକୁ ବାକି ରହିଲା, ଦେଶ ପାଇଁ ଲଢେଇ କରିଥିବା ଭଦ୍ରକ ମାଟିର ଏହି ବୀର ଯବାନ କେବେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଘରକୁ ଫେରିବେ ଆଉ ତାଙ୍କ ପରିବାର ଯଥୋଚିତ ନ୍ୟାୟ ପାଇବେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |