ବକେୟା ବିଲ୍ ଆଦାୟ ନେଇ ଟିପିଏନଓଡିଏଲ ଓ ସରପଞ୍ଚଙ୍କ ମଧ୍ୟରେ ବୈଠକ, ବ୍ଲକର ପାନୀୟ ଜଳ ପ୍ରକଳ୍ପ ଓ ଷ୍ଟ୍ରିଟ ଲାଇଟ ବାବଦରେ ୯୭ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍ ବାକି ।

152

କଟକ (ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୪ : ବକେୟା ବିଲ୍ ଆଦାୟ ନେଇ ଟିପିଏନଓଡିଏଲ ଓ ସରପଞ୍ଚଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଷ୍ଟ୍ରିଟ ଲାଇଟ ଆଦି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ ବାବଦକୁ ୯୭ ଲକ୍ଷ ଟଙ୍କା ବାକି ରହିଛି । ତେବେ ଗ୍ରୀଷ୍ମ ପୂର୍ବରୁ ଏହି ବିଲ୍ କିପରି ଆଦାୟ କରାଯିବ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦିଆଯାଇ ପାରିବ ସେ ନେଇ ତିହିଡ଼ି ବ୍ଲକ ପରିସରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଟାଟା ପାୱାର(ଟିପିଏନଓଡିଏଲ)ର ଅଧିକାରୀମାନେ ମିଳିତ ହୋଇ ଏନେଇ ଆଲୋଚନା କରିଥିଲେ । ତିହିଡ଼ି ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସରପଞ୍ଚମାନେ ଟାଟା ପାୱାର ଅଧିକାରୀମାନଙ୍କୁ କମ୍ପାନୀର ଦୋଷ ଦୁର୍ବଳତା ସମ୍ପର୍କରେ ସୂଚେଇ ଦେଇଥିଲେ । ଷ୍ଟ୍ରିଟ ଲାଇଟ ନ ଜଳି ବିଦ୍ୟୁତ ବିଲ ଆସିବା, ପାଣି ପମ୍ପରେ ମିଟର ରିଡିଂ ସମୟରେ ପଞ୍ଚାୟତର କୌଣସି କର୍ମଚାରୀଙ୍କୁ ନ ଜଣାଇବା, ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ କନେକ୍ସସ ସମ୍ପର୍କୀତ କାର୍ଯ୍ୟରେ ଟାଟା କର୍ମଚାରୀମାନେ ସହଯୋଗ ନକରିବା ଓ ସର୍ବୋପରି ମାସରେ ଘୋଷଣା ପୂର୍ବକ ଏକାଧିକ ଥର ବିଦ୍ୟୁତ କାଟ କରାଯାଉଥିଲେ ହେଁ ବିଲରୁ ତାହାକୁ ନ କାଟିବା ଆଦି ଅଭିଯୋଗ କରାଯାଇଥିଲା । ଏପ୍ରିଲ ମାସରେ ସାନି କ୍ଷେତ୍ରୀୟ ତଦନ୍ତ କରାଯାଇ ଆବଶ୍ୟକ ସଂଶୋଧନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା । ବକେୟା ବିଲ ବାବଦରେ ଆଲୋଚନା କରାଯାଇ ଏବେକାର ବିଲ ବାବଦକୁ ଅର୍ଥ ପ୍ରଦାନ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ । ତେବେ ଯଦି ସମ୍ଭବ ହୁଏ ତେବେ ପୂର୍ବରୁ ଗଡ଼ି ଆସୁଥିବା ବିଲ ବାବଦରେ କେତେ କ’ଣ ଦିଆଯାଇ ପାରିବ ସେ ନେଇ ମଧ୍ୟ ନିଷ୍ପତ୍ତିି ନିଆଯିବ ବୋଲି ବିଡିଓ ସୂଚନା ଦେଇଥିଲେ । ଏହି ବୈଠକରେ ସରପଞ୍ଚ ପ୍ରଭାତ ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ଉଦ୍ଧବ ଚରଣ ନାୟକ, ଯଶୋଦା ମଲ୍ଲକ, ଲକ୍ଷ୍ମୀପ୍ରିୟା ସାମଲ, ସରପଞ୍ଚଙ୍କ ପ୍ରତିନିଧି ଗଣେଶ ବିଶ୍ୱାଳ ଓ ନିତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |