“ସାଂସଦ ଓ ବିଧାୟକମାନେ ବେତନଭୋଗୀ ଆମେ କାହିଁକି ସ୍ୱେଚ୍ଛାସେବୀ”, ସିଆଇଟିୟୁ ନେତୃତ୍ୱରେ ଆଶା କର୍ମୀଙ୍କ ବ୍ଲକ ସ୍ତରୀୟ ସମ୍ମିଳନୀ ଓ ମହିଳା ଦିବସ ପାଳିତ |

90

କଟକ (ଉତ୍କଳ ନ୍ୟୁଜ ) ୧୧-୦୩-୨୦୨୪ : “ସାଂସଦ ଓ ବିଧାୟକମାନେ ବେତନଭୋଗୀ ଆମେ କାହିଁକି ସ୍ୱେଚ୍ଛାସେବୀ” । ସିଆଇଟିୟୁ ନେତୃତ୍ୱରେ ଆଶା କର୍ମୀଙ୍କ ବ୍ଲକ ସ୍ତରୀୟ ସମ୍ମିଳନୀ ଓ ମହିଳା ଦିବସ ପାଳନ ଅବସରରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଓଡ଼ିଶା ଆଶା କର୍ମୀ ଆସୋସିଏସନ୍‌, ସିଆଇଟିୟୁ ନେତୃତ୍ୱରେ ଭଦ୍ରକ ଜିଲ୍ଲା ତିହିଡି ଡାକବଙ୍ଗଳା ଠାରେ ଶ୍ରମିକ ନେତା ସାଥୀ ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଆଶାକର୍ମୀଙ୍କ ବ୍ଲକ ସ୍ତରୀୟ ସମ୍ମିଳନୀ ସହିତ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ତିହିଡି ବଜାର ପରିକ୍ରମା କରାଯାଇଥିଲା । “ସାଂସଦ ଓ ବିଧାୟକମାନେ ବେତନଭୋଗୀ ଆମେ କାହିଁକି ସ୍ୱେଚ୍ଛାସେବୀ” ବୋଲି ପ୍ରଶ୍ନ କରିଥିଲେ ଆଶାକର୍ମୀ । କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ରାଜ୍ୟ ସରକାରଙ୍କ ଆଶାକର୍ମୀଙ୍କୁ ଭଣ୍ଡେଇବା ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ମୋଦୀ ସରକାରଙ୍କ ବେଟି ବଚାଅ ଓ ବେଟି ବଢ଼ାଅ ସ୍ଲୋଗାନ ପାଣିର ଗାର ହୋଇଥିଲା ବେଳେ ମଣିପୁର ଠାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ମହିଳା ନିର୍ଯ୍ୟାତନା ତିବ୍ରତ୍ତର ହୋଇଛି । ସେହିଭଳି ରାଜ୍ୟରେ ନବୀନ ସରକାର ମାଆକୁ ସମ୍ମାନ ଓ ଗାଁକୁ କାମର ଦେଉଥିବା ନାରା ଆଜି ଧୁଆଁ ବାଣ ସଦୃଶ ହୋଇଛି । ଉଭୟ ସରକାର ମହିଳା ସଶକ୍ତିକରଣ ନାମରେ ଦିଣ୍ଡିମ ପିଟୁ ଥିଲାବେଳେ ମହିଳା ମାନେ ଗାଁଏ ଗାଁଏ ଆଜି ଋଣ ଜାଲରେ ଛନ୍ଦି ହୋଇ ଛଟ ପଟ ହେଉଛନ୍ତି ତ କେହି କେହି ଆତ୍ମହତ୍ୟା କରୁଛନ୍ତି । ଆଶାକର୍ମୀ ଭଳି ମହିଳା କର୍ମଜୀବୀ ମାନେ ଦିର୍ଘ ୧୮ ବର୍ଷ ହେଲା ସ୍ୱେଚ୍ଛାସେବୀ ଭାବେ କାମ କଲାବେଳେ ଏ ଯାବତ୍ ସ୍ଥାୟୀ କର୍ମଚାରୀ ର ମାନ୍ୟତା ନ ପାଇବା ମହିଳା ସମାଜ ପାଇଁ ସରକାର ଦ୍ୱୟ ଘୋର ଅବିଚାର କରି ଚାଲିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ । କେନ୍ଦ୍ର ମୋଦୀ ସରକାର ୧୦ ବର୍ଷ ମଧ୍ୟରେ ଆଶା କର୍ମୀଙ୍କୁ ଟଙ୍କାଟିଏ ଦେଇ ନଥିବାବେଳେ ରାଜ୍ୟ ସରକାରଙ୍କ ୨୫ ଶହ ଟଙ୍କା ବୃଦ୍ଧି ଧୁଆଁ ବାଣ ବୋଲି ସଂଗଠନ ତରଫରୁ ଅଭିଯୋଗ କରିଥିଲେ । ଆଶା କର୍ମୀଙ୍କ ପ୍ରତି କେନ୍ଦ୍ର ମୋଦୀ ସରକାରର ଚରମ ଅବହେଳା ସାଙ୍ଗକୁ ଶ୍ରମିକ ବିରୋଧିନୀତି ବିରୋଧରେ ଆଗାମୀ ସାଧାରଣ ନିର୍ବାଚନରେ ମୋଦୀ ହଟାଅ ଦେଶ ବଞ୍ଚାଅ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଥିଲା ବେଳେ ରାଜ୍ୟ ସରକାରଙ୍କୁ ସମ୍ମୁଚିତ ଶିକ୍ଷା ଦେବାକୁ ଆହ୍ୱାନ ଦିଆ ଯାଇଛି । ମହିଳା ସୁରକ୍ଷା ,ନାରୀ ମୁକ୍ତି ଓ ନାରୀ ସମାନତା ପାଇଁ ଆମକୁ କାର୍ଯ୍ୟ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଏକ ୨୫ଜଣିଆ ବ୍ଲକ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ବିଷ୍ଣୁ ଦାସ, ସମ୍ପାଦକ ଭାବେ ଶ୍ରଦ୍ଧାଞ୍ଜଳି ନାୟକ, କୋଷାଧ୍ୟକ୍ଷ ଭାବେ ସେବତୀ ରାଉଳ ନିର୍ବାଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ ସଂଗଠନର ରାଜ୍ୟ ଉପ ସଭାପତି ସୁରେଶ ସ୍ୱାଇଁ, ଶ୍ରମିକ ନେତା ମଳୟ ଭୋଇ ଓ ନାରାୟଣ ଚନ୍ଦ୍ର ଦାସ, ନିର୍ମଳ ଦଳାଇ, ସତ୍ୟବ୍ରତ କୁଣ୍ଡ ଓ ଦିଲୀପ ନାଥ ପ୍ରମୁଖ ବକ୍ତବ୍ୟ ଦେଇଥିଲା ବେଳେ ଅନ୍ନପୂର୍ଣ୍ଣା ଦାସ, ମମତା ରାଣୀ ଜେନା, ଭାରତୀ ପଣ୍ଡା,ପ୍ରମିଳା ବିଶ୍ୱାଳ, ସୁଷମା ଓଝା, ସୌଦାମିନୀ ନାୟକ, କନକଲତା ମହାଳିକ ଓ ମେନକା ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |