ଶୁଭମ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ |

54

କଟକ (ଉତ୍କଳ ନ୍ୟୁଜ ) ୦୮-୦୩-୨୦୨୪ : ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ଠାରେ ନେହେରୁ ଯୁବକେନ୍ଦ୍ର ସହଯୋଗରେ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ପଂଚାୟତ କାର୍ଯ୍ୟାଳୟ ଠାରୁ ବାହାରି ବିଭିନ୍ନ ଗ୍ରାମ ଏବଂ ବଜାର ପରିକ୍ରମା କରିଥିଲା । ଏଥିରେ ସ୍ଥାନୀୟ ଅଂଚଳର ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇ ହାତରେ ପ୍ଲାଗ କାର୍ଡ ଧରି ସଶକ୍ତ ଗଣତନ୍ତ୍ର ପାଇଁ ଭାରି ମତଦାନ କରିବା ପାଇଁ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ପରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ହୃଷିକେଶ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର କମଳା କାନ୍ତ ସ୍ୱାଇଁ । ମୁଖ୍ୟ ବକ୍ତାଭାବେ ଆନନ୍ଦ ବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, ସମିତି ସଭ୍ୟ ଜୟ ପ୍ରକାଶ ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନା, ସମାଜସେବୀ ଶଙ୍କର୍ଷଣ ଦାସ ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଗଣତନ୍ତ୍ରର ମହାନ ପର୍ବରେସାମିଲ ହୋଇ ନିଶ୍ଚୟ ନିଜ ମନ ପସନ୍ଦର ପାର୍ଥୀମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏପରିକି ଭୋଟର ମାନେ ଭୟ ନ କରି ଓ ଲାଞ୍ଚ ନନେଇ ଆଗ୍ରହର ସହିତ ଭୋଟ ଦେଲେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସୁଦୃଢ ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ସମସ୍ତେ ଯେପରି ନିଶ୍ଚିତ ଆଗାମୀ ନିର୍ବାଚନରେ ଭୋଟ ଦେବେ ସେଥିପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ଅତିଥିମାନଙ୍କ ପରିଚୟ ସହିତ କାର୍ଯ୍ୟକ୍ରମର ଅଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳ ର ବିଭିନ୍ନ ଅଂଚଳରୁ ମହିଳା ଓ ଯୁବକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ସେହିପରି ସ୍ୱେଛାସେବୀ ମାନେ ବୋଡ଼କ ପଂଚାୟତର ବିଭିନ୍ନ ଗ୍ରାମ କୁ ଯାଇ ଘର ଘର ବୁଲି ଲୋକଙ୍କୁ ଭୋଟ ଦେବା ପାଇଁ ଶପଥ ପାଠ କରାଇଥିଲେ । ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଟ ସଦସ୍ୟ ଆନନ୍ଦ ଚନ୍ଦ୍ର ବେହେରା, ଆନ୍ଦନ ଚନ୍ଦ୍ର ପଲାଇ, ଦେବେନ୍ଦ୍ର ଭଞ୍ଜ, ରତିକାନ୍ତ ବାରିକ, ସନାତନ ଜେନା, ବାବାଜୀ ଚରଣ ଭଞ୍ଜ, ଶ୍ରୀକାନ୍ତ ସାମଲ ଓ ଦୀନବନ୍ଧୁ ପତି ପ୍ରମୁଖ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |