ତିହିଡିରେ ବିଭିନ୍ନ ସ୍ଥାନରେ ଜାଗରଯାତ୍ରା, ବୁଢା ମହାଦେବ, କୁମାରେଶ୍ୱର ଓ ଶଙ୍ଖଡେଶ୍ୱରଙ୍କ ପୀଠ ଲୋକାରଣ୍ୟ |

39

କଟକ (ଉତ୍କଳ ନ୍ୟୁଜ ) ୦୮-୦୩-୨୦୨୪ : ଭଦ୍ରକ ଜିଲ୍ଲାର ଅନେକ ପୂରାତନ ଶୈବ ପୀଠ ରହିଛି । ଆରଡିର ବାବା ଆଖଣ୍ଡଳମଣି ହୁଅନ୍ତୁ କି ତିହିଡିର ନୂଆଶାସନ ଗାଁର କୁମାରେଶ୍ୱର ମହାଦେବ, ଶଙ୍ôଖଡାର ଶଙ୍ଖଡେଶ୍ୱର ମହାଦେବ ହୁଅନ୍ତୁ କି ସୟାର ବୁଢା ମହାଦେବ କିମ୍ବା ଲିଙ୍ଗାଡି ଗାଁର ଲିଙ୍ଗେଶ୍ୱର ମହାଦେବ ଅବା ମହାଦେବଡିହର ପିମ୍ପଳେଶ୍ୱର ସବୁ ପୀଠଗୁଡିକ ଶହ ଶହ ବର୍ଷ ଐତିହ୍ୟ ଓ ପରମ୍ପରାରେ ସମୃଦ୍ଧ । ତେଣୁ ଭଦ୍ରକ ଜିଲ୍ଲାରେ ରହିଛନ୍ତି ସଂଖ୍ୟାଧିକ ଶୈବ ପୀଠ ଓ ଅସଂଖ୍ୟ ଶୈବ ଭକ୍ତ । ପ୍ରାଚୀନ ଐତିହ୍ୟରେ ସମୃଦ୍ଧ ଶୈବ ପୀଠ ହେଉଛି ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ବାଂଶବାଗ ଗାଁର ବୁଢା ମହାଦେବ ବା ମୁକ୍ତେଶ୍ୱର ମହାଦେବ । ଜନଶୃତି ଅନୁସାରେ ଏଠାରେ ଦେବ ଦେବ ମହାଦେବଙ୍କ ଆବିର୍ଭାବ ହୋଇଥିଲା ଆଜକୁ ପ୍ରାୟ ୫ ଶହ ବର୍ଷ ତଳେ । ବର୍ତ୍ତମାନର ଶୈବ ପୀଠ ଥିବା ସ୍ଥାନରେ ସେତେବେଳେ ଏକ ରାଢୀ ପରିବାର ବସବାସ କରୁଥିଲେ । ସେମାନଙ୍କ ଘରେ ଥିବା ଢିଙ୍କି ଶାଳରେ ମାଳିଆଣୀ ନାମ୍ନୀ ଜଣେ ବୃଦ୍ଧା ଚୂଡା କୁଟୁଥିଲେ । ବର୍ତ୍ତମାନ ଶିବ ଲିଙ୍ଗ ଥିବା ସ୍ଥାନଟିକୁ ବୃଦ୍ଧା ଢିଙ୍କି ଖୋଳଭାବେ ବ୍ୟବହାର କରୁଥିଲେ । ଶୁଣାଯାଏ ବୃଦ୍ଧା ଯେତିକି ଧାନ ପଣୁଥିଲେ ତାହାର ଦୁଇଗୁଣା ଚୂଡା ଉକ୍ତ ଖୋଳରୁ ବାହାରୁଥିଲା । ପରେ ବାଂଶବାଗ ଗାଁର ମଲ୍ଲିକ ପରିବାରକୁ ମହାଦେବଙ୍କ ସ୍ୱପ୍ନାଦେଶ ଦେଇ ନିଜର ଅସ୍ତିତ୍ୱ ସମ୍ପର୍କରେ କହିବା ସହ ପୂଜାର୍ଚ୍ଚନା କରିବାକୁ କହିଥିଲେ । ସୟା ପାଢୀସାହିର ମୁକ୍ତେଶ୍ୱର ପାଢୀ ନାମକ ଜଣେ ବ୍ରାହ୍ମଣଙ୍କ ସହାୟତାରେ ପୂଜା କରିବା ସହ ତାଙ୍କ ନାମ ଅନୁସାରେ ତାଙ୍କୁ ମୁକ୍ତେଶ୍ୱର ମହାଦେବ ନାମରେ ନାମିତ କରିବାକୁ ମଧ୍ୟ ସ୍ୱପ୍ନରେ ଆଦେଶ ହୋଇଥିଲା । ପ୍ରଥମେ ଏକ ଧୂଳିଆ ଘରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଉଥିଲା । ପରେ ଗ୍ରାମବାସୀଙ୍କ ସହାୟତାରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିଦିନ ଠାରୁ ସେଠାରେ ପୂଜା ପାଇ ଆସୁଛନ୍ତି ମୁକ୍ତେଶ୍ୱର ମହାଦେବ । ଜାଗରଯାତ୍ରାରେ ବାବାଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ସେହିପରି ଷାଟିବାଟିରେ ଗଙ୍ଗେଶ୍ୱର ମହାଦେବ, ମହାଦେବସାହିର ମହେଶ୍ୱର, ମହରମପୁରରେ ମହାଲିଙ୍ଗେଶ୍ୱର, ତିହିଡିରେ ସ୍ୱପ୍ନେଶ୍ୱର ଓ ବଟେଶ୍ୱର, ହରିପୁରରେ ଷେଣ୍ଡେଶ୍ୱର, ବଡଗାଲୋରେ ବକ୍ରେଶ୍ୱର, ଗଳଗଣ୍ଡପୁରରେ ଗଜନ୍ଦ୍ରେଶ୍ୱର, ଝିଙ୍କିରିଆରେ ଅମରେଶ୍ୱର, କାଳିମେଘାରେ ନିଳକଣ୍ଠେଶ୍ୱର, ଅଲ୍ଲୀନଗରରେ ମହାଦେବ, କମାରିଆରେ କୃଷ୍ଣେଶ୍ୱର, ଆରୁହାରେ ମୁକ୍ତେଶ୍ୱର ସହିତ ଦୋଳସାହି, ଗୁଆମାଳ, ଚାରିତରଫ, ନରେନ୍ଦ୍ରପୁର, ପୀରହାଟ ଆଦି ସ୍ଥାନରେ ମହାସମାରୋହରେ ମହାଶିବରାତ୍ରୀ ପାଳନ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |