ମୋଦି ସରକାରଙ୍କ ପ୍ରତାରଣା ଓ ଚାଷୀ ହତ୍ୟା ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକରେ ମହାପଞ୍ଚାୟତ।

92

କଟକ (ଉତ୍କଳ ନ୍ୟୁଜ ) ୦୪-୦୩-୨୦୨୪ : ଐତିହାସିକ ଚାଷୀ ଆନ୍ଦୋଳନରେ ମୋଦି ସରକାର ଦେଇଥିବା ଲିଖିତ ପ୍ରତିଶୃତିର ପ୍ରତାରଣା ଓ ୨୦୨୪ ଦିଲ୍ଲୀ ଚାଷୀ ଆନ୍ଦୋଳନ ଉପରେ ଅମିତ ଶାହାଙ୍କ ଅଧିନରେ ଥିବା ଦିଲ୍ଲୀ ପୋଲିସ ଓ ବିଜେପି ଶାସିତ ହରିୟାଣା ପୋଲିସର ଭୟଙ୍କର ଆକ୍ରମଣ ଓ ଚାଷୀ ହତ୍ୟା ବିରୁଦ୍ଧରେ ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ମହାପଞ୍ଚାୟତ ସଂଗଠିତ ହୋଇ ଯାଇଛି । ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ୍ ସଂସଦରେ ପ୍ରଣୟନ କରିବା, ଚାଷୀ ହତ୍ୟା ବନ୍ଦ କରିବା, ଚାଷୀ ଆତ୍ମହତ୍ୟା ରୋକିବା, ଚାଷୀ କରିଥିବା ସମସ୍ତ ପ୍ରକାରର କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା, ଅତିଧନୀ ଲୋକଙ୍କ ଉପରେ ସଂପତ୍ତି କର ଲାଗୁ କରିବା, କୃଷିର କର୍ପୋରେଟକରଣ ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ,କୃଷି ଯନ୍ତ୍ରପାତି ଓ କୃଷି ଉପକରଣ ଉପରୁ ଜିଏସଟି ପ୍ରତ୍ୟାହାର, ବିଦ୍ୟୁତର ଘରୋଇକରଣ ବନ୍ଦ କରିବା, ଜାତୀୟ ସଂପତ୍ତି ବିକ୍ରି ବନ୍ଦ କରିବା, ସମ୍ବିଧାନର ସୁରକ୍ଷା, ଆମ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡିକର ସାଂପ୍ରଦାୟିକରଣ ବନ୍ଦ କରିବା, ଶିକ୍ଷାର କେନ୍ଦ୍ରୀକରଣ, ସାଂପ୍ରଦାୟୀକରଣ, ବ୍ୟବସାୟୀକରଣ, ଗୈରୀକରଣ ବନ୍ଦ କରିବା ଆଦି ଦାବିନେଇ ଭଦ୍ରକ ଜିଲ୍ଲାର ଚାଷୀମାନେ ସଂଯୁକ୍ତ କୃଷକ ମୋର୍ଚ୍ଚା ବ୍ୟାନର ତଳେ ଏକଜୁଟ ହୋଇ ବନ୍ତ ଛକ ଠାରୁ ଏକ ବିଶାଳ ଲାଲ୍ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କୃଷକ ମହାପଞ୍ଚାୟତରେ ସାମିଲ ହୋଇଥିଲେ । ଏହି କୃଷକ ମହାପଞ୍ଚାୟତରେ ବରିଷ୍ଠ ଚାଷୀ ନେତା ଚନ୍ଦ୍ରଶେଖର ନାୟକ ଓ ବିମ୍ବାଧର ବାରିକ୍, ସୁଶାନ୍ତ ଯେନା ମିଳିତ ଭାବେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନ୍ୟତମ ରାଜ୍ୟ ଆବାହକ ତଥା ଅଖିଳ ଭାରତ କୃଷକ ସଭା ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ ଯୋଗଦେଇ ଦେଶବିକାଳି ମୋଦି ସରକାରଙ୍କୁ ଗାଦିଚ୍ଯୁତ କରିବା ପାଇଁ ଚାଷୀମାନେ ସାଧାରଣ ନିର୍ବାଚନରେ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ। ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲ୍ଲା ସଂପାଦକ ବିମ୍ବାଧର ବାରିକ୍, ପ୍ରଭାସ ମହାପାତ୍ର, ବରିଷ୍ଠ ଚାଷୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ନାରାୟଣ ଦାଶ, ମଳୟ ଭୋଇ, ଅନନ୍ତ ମହାନ୍ତି, ବିଷ୍ଣୁ ଦାଶ, ରାମଚନ୍ଦ୍ର ଶଙ୍ଖୁଆ, ରମେଶ ସାହୁ, ଗୟାଧର ସାହୁ, ଜୟନୁଲ ଆବେଦିନ, ଜୟୀରାମ ଦାସ , କାହ୍ନୁ କିଶୋର ସାହୁ, ବ୍ରହ୍ମାନନ୍ଦ ପରିଡା, କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଏସ୍ଏଫ୍ଆଇ ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ରମେଶ ଯେନା, କାଳନ୍ଦୀ ପାତ୍ର, ନବକିଶୋର ବେହେରା, ବିରବର ପାତ୍ର, ସନ୍ଥ ଚରଣ ବିଶ୍ବାଳ, ଯୁବନେତା ପ୍ରତାପ ସେଠୀ ପ୍ରମୁଖ ବକ୍ତବ୍ଯ ରଖି ଚାଷୀ ସପକ୍ଷବାଦୀ ବିକଳ୍ପ କୃଷି ନୀତି- ୨୦୨୪ ପାଇଁ ଚାଷୀ ବିରୋଧୀ ମୋଦି ସରକାର ଓ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଚାଷୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷକ ନେତା ଅଭିରାମ ବଳ, ଯୁବନେତା ଦିଲିପ ନାୟକ, ଜ୍ୟୋତିର୍ମୟ ମଳିକ ପ୍ରମୁଖ ସାମିଲ ହୋଇଥିଲେ । ଏହି କୃଷକ ମହାପଞ୍ଚାୟତରେ ଭଦ୍ରକ ଜିଲ୍ଲାର ଶତାଧିକ ଚାଷୀ, ଭାଗଚାଷୀ ଓ କ୍ଷେତମଜଦୂର ପ୍ରମୁଖ ସାମିଲ୍ ହୋଇଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |