ବେଆଇନ ଗୋରୁ ବୋଝେଇ ଗାଡି ଜବତ, ୭ ଗୋରୁ ଉଦ୍ଧାର |

103

କଟକ (ଉତ୍କଳ ନ୍ୟୁଜ ) ୪-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଅଲ୍ଲୀନଗର ଠାରେ ରବିବାର ରାତିରେ ପେଟ୍ରୋଲିଂ ଗାଡି ଏକ ବେଆଇନ ଗୋରୁ ବୋଝେଇ ଗାଡି ଜବତ କରାଯାଇଛି । ଏକ ବୋଲେରୋ ପିକଅପ ଭ୍ୟାନରେ ଅତି ନିର୍ଦ୍ଦୟ ଭାବେ ୭ଟି ଗୋରୁଙ୍କୁ ଭଦ୍ରକ ଅଭିମୁଖେ ନିଆଯାଉଥିଲା । ପୋଲିସକୁ ଦେଖି କିଛି ଦୂରରୁ ଚାଳକ ଓ ହେଲପର ଗୋରୁ ବୋଝେଇ ଗାଡି ଛାଡି ଚମ୍ପଟ ମାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଗୋରୁଙ୍କ ସୁରକ୍ଷା ଦୃଷ୍ଟିରୁ ସେହି ରାତିରେ ସିମୁଳିଆ ଗୋଶାଳାକୁ ହସ୍ତାନ୍ତର କରାଯାଇଛି । ପୋଲିସ ଏ ନେଇ ଏକ ମାମଲା ନଂ-୮୮/୨୪, ଦଫା-୧୧(ଏ)(ଡି)(ଇ)ଏନିମଲ କ୍ରୁଏଲଟି ଏକ୍ଟରେ ବେଆଇନ ଗୋରୁ ଚାଲାଣ କରୁଥିବା ଗାଡି ଓଡି-୨୨-ଏଲ-୬୯୯୨ଟିକୁ ଜବତ କରିବା ସହ ଗାଡି ମାଲିକ ନାମରେ ମାମଲା ରୁଜୁ କରାଯାଇଛି । ସୂଚନାଥାଉକି ରବିବାର ରାତିରେ ଏପରି ବେଆଇନ ଗୋଚାଲାଣ ହେଉଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ କୌଣସି ସୂତ୍ରରୁ ସୂଚନା ପାଇଥିଲେ । ଉକ୍ତ ଗାଡିକୁ ଧରିବା ଲାଗି ସେ ଉଭୟ କମାରିଆ ଓ ଅଲ୍ଲୀନଗର ମୁଖ୍ୟ ରାସ୍ତାରେ ନାକା ବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାତି ପ୍ରାୟ ୨ଘଟିକା ସମୟରେ ଭଦ୍ରକ ଅଭିମୁଖେ ଯାଉଥିବା ଉକ୍ତ ଗାଡିଟି ଅଲ୍ଲୀନଗର ମୁଖ୍ୟରାସ୍ତାରେ ପୋଲିସକୁ ଦେଖି ଉଭୟ ଚାଳକ ଓ ହେଲପର ଚମ୍ପଟ ମାରିଥିଲେ । ଏହି ଚଢାଉରେ ପୋଲିସ ପଦାଧିକାରୀ ପି.କେ ଗିରି ଓ ଲକ୍ଷ୍ମଣ ମହାନ୍ତି ତଥା ଅନ୍ୟମାନେ ସାମିଲ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |