କୋହ୍ଲ ବଜାରରେ ବେଆଇନ୍ ନିର୍ମାଣକୁ ଉଚ୍ଛେଦ ଦାବିରେ ସାମ୍ବାଦିକ ସମ୍ମିଳନୀ |

142

କଟକ (ଉତ୍କଳ ନ୍ୟୁଜ ) ୨୯-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ତଥା କୋହ୍ଲ ଆରଆଇ ସର୍କଲ ଅଧିନସ୍ଥ କୋହ୍ଲ ବଜାରରେ ସରକାରୀ ଜମି ଉପରେ ଏକ ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରିବା ଦାବିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । କୋହ୍ଲ ବଜାର ନିକଟରେ ଥିବା ଜୟନ ଯୋରି କିସମ ଖାତା ନମ୍ବର ୬୯୯ରେ ଥିବା ଖସଡା ୧୩୧୧ ଉପରେ ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା ଏକ ପକ୍କା ଘର ନିର୍ମାଣ କରିଥିଲେ । ଉକ୍ତ ନିର୍ମାଣକୁ ବିରୋଧ କରି ଗୋବର୍ଦ୍ଧନ ନାୟକ, ଗୌତମ ମୁଦୁଲି, ବିମ୍ବାଧର ପରିଡା, ମନୋରଞ୍ଜନ ଜେନା ପ୍ରମୁଖ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇ ଥିଲେବି ରାଜନୈତିକ ଚାପରେ ପ୍ରଶାସନ ନିରବି ଯାଇଥିଲା । ଶେଷରେ ଗୋବର୍ଦ୍ଧନ ନାୟକ ଓ ଅନ୍ୟମାନେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ କରିଥିଲେ । ରିଟ୍‌ପିଟିସନ୍ ନମ୍ବର ୬୫୮୪/୨୩ ମୂଳେ ବିଚାର କରି ହାଇକୋର୍ଟ ଦୁଇଜଣିଆ ଖଣ୍ଡପୀଠ ଗତ ତା ୦୫.୦୨.୨୪ରିଖରେ ଉକ୍ତ ବେଆଇନ୍ ଅବରୋଧକୁ ଉଚ୍ଛେଦ କରିବା ପାଇଁ ତିହିଡି ତହସିଲଦାରଙ୍କୁ ଆଦେଶ ଦେଇଛନ୍ତି । ଉକ୍ତ ଆଦେଶ ମୁତାବକ ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ କୋହ୍ଲ ଆରଆଇ ମାପଚୁପ କରିଥିଲେ । ତେବେ ତିନିଦିନ ବିତି ଯାଇଥିଲେ ମଧ୍ୟ ବେଆଇନ୍ ନିର୍ମାଣ ଉଚ୍ଛେଦ କରିବା ଦିଗରେ ତିହିଡି ତହସିଲ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଅଭିଯୋଗକାରୀମାନେ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ତହସିଲ ପ୍ରଶାସନ କାର୍ଯ୍ୟକାରୀ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେମାନେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେର୍ଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ତିହିଡି ତହସିଲଦାରଙ୍କ ନିକଟରେ ଦାବୀ କରିଛନ୍ତି । ଅନ୍ୟପଟେ ବଜାରରେ କରାଯାଇଥିବା ଜବର ଦଖଲରେ ତାଙ୍କ ସହିତ ଅନ୍ୟ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ସମାନ ପଦକ୍ଷେପ ତହସିଲଦାର ନିଅନ୍ତୁ ବୋଲି ଜବର ଦଖଲକାରୀ ନିତ୍ୟାନନ୍ଦ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |