ସିନ୍ଦୋଳ ଶାସନରେ ଗଣ୍ଡଗୋଳ, ୮ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ |

109

କଟକ (ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୪: ଭଦ୍ରକ ଜିଲ୍ଲା ପୀରହାଟ ଥାନା ସିନ୍ଦୋଳ ପଞ୍ଚାୟତ ଅଧିନ ସିନ୍ଦୋଳ ଶାସନ ଗାଁରେ ଗଣ୍ଡଗୋଳ ଘଟିଛି । ଏନେଇ ୮ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଅଭିଯୋଗକାରୀ ଅରୁଣ ବାରିକଙ୍କ ଏତଲା କ୍ରମେ ତପନ ପାଣି, ସଶ୍ମିତା ପାଣି ଓ ମଣ୍ଟୁ ଓରଫ୍ ଦେବବ୍ରତ ନାୟକଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ୪୭/୨୪ ରୁଜୁ ହୋଇଥିବା ବେଳେ ଅପରପକ୍ଷ ସଶ୍ମିତା ପାଣିଙ୍କ ଅଭିଯୋଗ କ୍ରମେ ଅରୁଣ ବାରିକ, ଅଶୋକ ବାରିକ, ଆଲୋକ ବାରିକ, ବୃନ୍ଦାବନ ବାରିକ ଓ ସୁମନ୍ତ ବାରିକଙ୍କ ବିରୋଧରେ ଅନ୍ୟ ଏକ ମାମଲା ୪୮ /୨୪ ରୁଜୁ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଗତ ୨୩ ତାରିଖ ରାତି ପ୍ରାୟ ୯.୨୦ ଘଟିକାରେ ଅପରପକ୍ଷ ସଶ୍ମିତା ପାଣିଙ୍କ ସ୍ୱାମୀ ତପନ ପାଣି ପ୍ରଥମ ପକ୍ଷ ଅରୁଣ ବାରିକଙ୍କ ଘରକୁ ଡାକିଥିଲା । ଅରୁଣଙ୍କ ଭାଇ ଅଶୋକ ତାଙ୍କୁ କଣ କହିଛି ବୋଲି । ଘଟଣାକୁ ନେଇ ଅରୁଣ, ଭାଇ ଓ ବାପା ମିଳିତଭାବେ ତପନଙ୍କ ଘରକୁ ଯାଇଥିଲେ । ଘରେ ପହଞ୍ôଚବା କ୍ଷଣି ସେମାନେ ବେଦଣ୍ଡା ଯୁକ୍ତିତର୍କ କରିବା ସହି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ପରେ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ମାରଣାସ୍ତ୍ର ଧରି ଗୋଡାଇଥିଲେ । ଜୀବନ ବିକଳରେ ଏହି ପକ୍ଷ ଘରକୁ ଫେରିବା ସହିତ ଥାନାରେ ଦ୍ୱାରସ୍ଥ ହୋଇଥିବା ଏତଲାରେ ଦର୍ଶାଯାଇଛି । ସେହିପରି ସଶ୍ମିତା ପାଣିଙ୍କ ଅଭିଯୋଗ ଅନୁଯାଇ, କିଛିଦିନ ତଳେ ଅଶୋକ ବାରିକ ମୋବାଇଲରେ ଗାଁର କେତେକ ମହିଳାଙ୍କ ଭିଡିଓ ଉତ୍ତୋଳନ କରିଥିବା ସେ ଶୁଣିବାକୁ ପାଇଥିଲେ । ଏହାକୁ ନେଇ ସେ ତାଙ୍କ ସ୍ୱାମୀ ତପନଙ୍କୁ ସୂଚନା ଦେଇଥିଲେ । ପରେ ତପନ ଅପରପକ୍ଷଙ୍କୁ ଭେଟି ଆଲୋଚନା ପାଇଁ କହିଥିଲେ ଏବଂ ଅପରପକ୍ଷ ମଧ୍ୟ ତାଙ୍କ ଘରେ ପ୍ରାୟ ଏକ ଘଣ୍ଟା କାଳ ବସିଥିଲେ । ଉକ୍ତ ଘଟଣାକୁ ନେଇ ଗାଁର ମନ୍ଦିର ଦାଣ୍ଡରେ ବିଚାର ବସିଥିବା ବେଳେ ଅପରପକ୍ଷ ଉତ୍‌କ୍ଷିପ୍ତ ହୋଇ ସଶ୍ମିତାଙ୍କ ଚାପୁଡ ମାରିବା ସହିତ ଟଣାଓଟରା କରିବା ମାରଧର କରିବା ଏପରିକି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଉଭୟ ଘଟଣାକୁ ନେଇ ପୋଲିସ ଦୁଇଥର କ୍ଷେତ୍ରୀୟ ତଦନ୍ତ କରିବା ସହିତ ସଶ୍ମିତା ପାଣିଙ୍କ ଅଭିଯୋଗରେ ଦର୍ଶାଯାଇଥିବା ଭାଇରାଲ ଭିଡିଓ ପ୍ରସଙ୍ଗରେ ଖିଅ ଖୋଜୁଛି ପୋଲିସ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।