କଟିଆ ମୁଣ୍ଡା ହତ୍ୟାକାଣ୍ଡର ଦୁଇଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |

19

କଟକ (ଉତ୍କଳ ନ୍ୟୁଜ ) ୧୭-୦୨-୨୦୨୪ : ମସିହାରେ ଭଦ୍ରକ ସହର ସନ୍ନିକଟ ଗେଲଟୁଆ ପଂଚାୟତ ବଗମରା ଆଦିବାସୀ ସାହି କଟିଆ ମୁଣ୍ଡା ହତ୍ୟାକାଣ୍ଡର ଗିରଫ ହୋଇଥିବା ସେହି ଗ୍ରାମର ବନମାଳି ମୁଣ୍ଡାଙ୍କ ପୁତ୍ର ବେତାଳ ଓରଫ ଅନାମ ମୁଣ୍ଡା (୨୫) ଓ ତାଙ୍କ ସାନ ଭାଇ ମୁନାର ଶାଶୁ ଘନ ମୁଣ୍ଡାଙ୍କ ପତ୍ନୀ ଲୁସୁରି ମୁଣ୍ଡା(୪୯) ଙ୍କୁ ଆଜୀବନ ଜେଲ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ୍ ଆଶିଷ କୁମାର ତ୍ରିପାଠି ରାୟ ଏପରି ଶୁଣାଇଛନ୍ତି । ବିବରଣିରୁ ପ୍ରକାଶ ଯେ, ଅଭିଯୁକ୍ତ ବେତାଳ ମୁଣ୍ଡାର ପତ୍ନୀ ଚମ୍ପା ଜଣେ ମସ୍ତିଷ୍କ ବିକୃତ ମହିଳା ଥାଇ ଘରୁ କେଉଁ ଆଡ଼େ ପଲାଇ ଯାଇଥିଲା । ସେ ଓ ଲୁସୁରି ମୁଣ୍ଡା ଉଭୟ ତାଙ୍କ ଗ୍ରାମରେ କଟିଆ ମୁଣ୍ଡକୁ ସନ୍ଦେହ କରିଥିଲା ଯେ ସେ ଚମ୍ପାକୁ ଆଣି ଘରେ ରଖିଛି । ତେଣୁ ୨୦୨୦ ମସିହା ଅକ୍ଟୋବର ୧ ତାରିଖ ଦିନ ୩ଟା ବେଳେ ତାଙ୍କ ପଡୋଶୀ କଟିଆ ମୁଣ୍ଡା ଘରକୁ ଯାଇ ତାଙ୍କ ସ୍ତ୍ରୀ କୁଆଡେ ଗଲା ବୋଲି ପଚାରି ଥିଲା ଓ ସେ ମନା କରିବାରୁ ତାଙ୍କୁ ଘରୁ ଘୋସାରି ଆଣି ପିଟା ମରା କରିଥିଲେ । ସେ ଜୀବନ ବିକଳରେ ଘରୁ ଦଉଡି ପଲାଇ ପଡୋଶୀ ମିର୍ଜା ମୁଣ୍ଡା ଘରେ ପସି ଯାଇଥିଲା । ତାକୁ ଉଭୟ ଘରୁ ଘୋସାରି ଆଣି ଏକ ଅର୍ଜୁନ ଗଛରେ ପ୍ଳାଷ୍ଟିକ ଦଉଡିରେ ବାନ୍ଧି ନିର୍ମମ ଭାବେ ବାଡ଼ିରେ ପିଟି ଥିଲେ । କଟିଆର ପତ୍ନୀ ଗୀତା ସେଠାକୁ ଯାଇ ନିଜ ସ୍ୱାମୀକୁ ସେମାନଙ୍କ କବଳରୁ ଉଦ୍ଧାର କରି ଘରକୁ ଆଣିଥିଲା । ପୁଣି ରାତି ୧୦ଟାରେ ଉଭୟ ଅଭିଯୁକ୍ତମାନେ କଟିଆ ମୁଣ୍ଡା ଘରକୁ ଯାଇ ଘୋସାରି ଘୋସାରି ନେଇ ଆସିଥିଲେ.ତା ପରଦିନ ସକାଳେ କଟିଆର ମୃତ ଦେହ ନିକଟସ୍ଥ ବଗମରା ଛକରେ ମିଳିଥିଲା । ଏ ବିଷୟରେ ଲିଖିତ ଆକାରରେ ଗୀତା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ କଟିଆର ଶବ ଉଦ୍ଧାର କରିବା ସହ କେସ ୫୮୧/୨୦ ଦଫା-୩୦୨ ଓ ୩୪ରେ ଏକ ମାମଲା ରୁଜୁ କରି ଉଭୟ ଅଭୁଯୁକ୍ତଙ୍କୁ ଗିରଫ କରି କୋର୍ଟ ପଠାଇ ଦେଇଥିଲା । ସେହି ଦିନ ଠାରୁ ଉଭୟ ଅଭିଯୁକ୍ତ ବିଚାରାଧିନ ବନ୍ଦୀ ଭାବରେ ଭଦ୍ରକ ଜେଲରେ ଅଟକ ଅଛନ୍ତି । ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ ବି ପାରିପାର୍ଷିକ ସାକ୍ଷକୁ ଗ୍ରହଣ କରି ମାନ୍ୟବର କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ, ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |