ତିହିଡି ଓ ପୀରହାଟ ଥାନା ପାଇଁ ଚୋରା କୋଇଲା ଚାଲାଣ ରୋକିବା ଏକ ଚ୍ୟାଲେଞ୍ଜ !

21

କଟକ (ଉତ୍କଳ ନ୍ୟୁଜ ) ୧୭-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତିହିଡି ଓ ପୀରହାଟ ଥାନା ପାଇଁ ଚୋରା କୋଇଲା ଚାଲାଣ ରୋକିବା ଏକ ଚ୍ୟାଲେଂଚ ହୋଇ ପଡିଛି । ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବା ପୋଲିସର ପ୍ରଥମ ଦାୟିତ୍ୱ । ଏଥିସହ ଆସନ୍ନ ନିର୍ବାଚନ ଲାଗି ଉଭୟ ଥାନାର ଥାନାବାବୁ ଚିନ୍ତିତ ଥିବା ବେଳେ ସାମାଜିକ ସ୍ତରରେ ବ୍ୟାଧି ସାଜିଥିବା ଏହି ଚୋରା କୋଇଲା ଚାଲାଣ ରୋକିବା ବଡ ସମସ୍ୟା ହୋଇ ଉଭା ହୋଇଛି । ସେହିପରି ଗାଁ ଗଣ୍ଡାରେ ଚୋରା ମଦ କାରବାର, ଧଳାଜହର ସହିତ ଛୋଟବଡ ଚୋରୀ, ଦୋକାନ ବଜାର ଏପରିକି ରାସ୍ତାଘାଟରେ ଚୋରୀ ଓ ଡକାୟତି, ରାଜନୈତିକ ବିବାଦ ଓ ଗଣ୍ଡଗୋଳ, ନାବାଳିକା ଅପହରଣ, ପ୍ରେମ ଜନିତ ବିବାଦ, ଜାଗାବାଡି ବିବାଦ, ପୂର୍ବ ଶତୃତାକୁ ନେଇ ବିବାଦ ଆଦିକୁ ରୋକିବା ମଧ୍ୟ ପୋଲିସର ଚିନ୍ତାର କାରଣ ସାଜିଛି । ତିହିଡି ଥାନାରେ ନୂତନଭାବେ ଯୋଗଦାନ କରିଥିବା ଥାନାଧିକାରୀ ପ୍ରସନ୍ନ କୁମାର ନାୟକ ଏହି ଅଞ୍ଚଳ ପାଇଁ ସମ୍ପୂର୍ଣ୍ଣ ନୁଆ ହୋଇଥିବା ବେଳେ ଓ ପୀରହାଟ ଥାନାଧିକାରୀ ଅଜୟ କୁମାର ମୁର୍ମୁ ବାସୁଦେବପୁର ଅଞ୍ଚଳରୁ ଆସିଛନ୍ତି । ଏହି ଅଞ୍ଚଳର ସାପ୍ରଂତିକ ସ୍ଥିତିକୁ ପରଖି ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉଭୟ ଥାନାଧିକାରୀଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି । ଅନ୍ୟପଟେ ତିହିଡି ବ୍ଲକଟି ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ପରି ତିନୋଟି ନିର୍ବାଚନ ମଣ୍ଡଳୀରେ ଅର୍ନ୍ତଭୁକ୍ତ । ସ୍ଥଳପଥ ମଧ୍ୟ ନଚ୍ଛିବିନ୍ଧାରୁ ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ସେପଟେ ବୋଡକରୁ ନୂଆନନ୍ଦ ଓ ବାହାବଳପୁର ପର୍ଯ୍ୟନ୍ତ ଲମ୍ବିଛି । ରାଜନୈତିକ ପାଣିପାଗ ଠାରୁ ଆରମ୍ଭ କରି ଦାଦାଗିରି କରୁଥିବା ଅସାମାଜିକ ବ୍ୟକ୍ତି, ଦାଗିଚୋର ଓ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ଏବଂ ଏତଲାକାରୀଙ୍କ ଅଭିଯୋଗକୁ ସମ୍ମାନ ଦେବାସହ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ମଧ୍ୟ ପ୍ରତି ମୂହିର୍ତ୍ତରେ ସମସ୍ୟାରୂପେ ଦଣ୍ଡାୟମାନ । ଦୈନିକ ଚିରାଚରିତ ଅଭିଯୋକୁ ବାଦ୍ ଦେଲେ ଏହି ଦୁଇ ଥାନାଞ୍ଚଳରେ ଚୋରା କୋଇଲା ଚାଲାଣ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି । ଦୈନିକ ଟ୍ରିପ୍ ଚୋରା କୋଇଲା ବାହାରକୁ ଚାଲାଣ ହେଉଛି । ଏଥିରେ ନିୟୋଜିତ ଅସାମାଜିକ ବ୍ୟକ୍ତିମାନେ କଥାକଥାକେ ଗଣ୍ଡଗୋଳ କରିବା, ଟଣାଓଟରା କରିବା, ନିଶାସକ୍ତ ହୋଇ ଗାଁରେ ଗାଳିଗୁଲଜ୍ କରି ସାମାଜିକ ମାହୋଲକୁ ନଷ୍ଟଭ୍ରଷ୍ଟ କରୁଛନ୍ତି । ଧାମରା ବନ୍ଦରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବା ରେଳପଥରେ ଚଳନ୍ତା ରେଳରୁ ଆଙ୍କୁଡା ଲଗାଇ ଶହଶହ ବସ୍ତା କୋଇଲା କଢା ଯାଉଛି । ରେଳଧାରଣା ପାର୍ଶ୍ଵବର୍ତ୍ତୀ ଗାଁ ଗଣ୍ଡାର କେତେକ ଅସାଧୁ ଯୁବକ ଓ ପେଶାଦାର ଚୋରମାନେ ରାତାରାତି ସେଗୁଡିକ ବସ୍ତାରେ ପୁରାଇ ମାଫିଆମାନଙ୍କ ଜରିଆରେ ବାହାରକୁ ଚାଲାଣ କରିଥାନ୍ତି । ପୂର୍ବରୁ ଏହି ଚୋରା କୋଇଲା ଚାଲାଣକୁ ନେଇ କେତେକ ସ୍ଥଳରେ ବିବାଦ ଦେଖା ଦେଇଥିଲା । ପୋଲିସର ସହଯୋଗ ନ ରହିଲେ ଏପରି ଚାଲାଣ ହେବା ଅବସମ୍ଭାବୀ ବୋଲି ବିଭିନ୍ନ ସମୟରେ ନାରାବାଜି ହେଉଥିଲା । ଉକ୍ତ ଘଟଣାରେ କେତେକ ପୋଲିସ କର୍ମଚାରୀ ସେମାନଙ୍କ ସହ ସଲାସୁତୁରା ହୋଇଥିବା ପଦାକୁ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ ସାମୟିକଭାବେ ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଥିଲା । ହେଲେ ଚୋରା କୋଇଲା ଚାଲାଣ ବନ୍ଦ ହୋଇନଥିଲା । ବିଗତ କିଛିମାସ ତଳେ ଆରପିଏଫ ପକ୍ଷରୁ ଏକ ବଡଧରଣର ଧରପଡଗଡ ହୋଇଥିଲା । ଚୋରା କୋଇଲା ଚାଲାଣକାରୀଙ୍କ ସହିତ କେତେକ ତଳିଆ କର୍ମଚାରୀ ଜଡିତ ଥିବାନେଇ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ରେଳ କରିଡୋରରେ ଚାଲିଲା ପୋଷ୍ଟମର୍ଟମ । ଚୋରା କୋଇଲା ଚାଲାଣକାରୀଙ୍କ ନିଦ ହଜି ଯାଇଥିଲା । ଏହାରି ଭିତରେ ମାତ୍ର କିଛି ସପ୍ତାହ ପରେ ସଂପ୍ରତି ଚୋରା କୋଇଲା ଚାଲାଣ ଆରମ୍ଭ ହୋଇ ଗଲାଣି । ସାଇକେଲ ଓ ବାଇକ୍ ଜରିଆରେ ଚୋରମାନେ ମାଫିଆମାନଙ୍କ ଠିକଣା ସ୍ଥଳରେ କୋଇଲା ପହଁଞ୍ଚାଇ ବେଶ ଲାଭବାନ୍ ହୋଇ ପାରୁଛନ୍ତି । ବିନା ପୁଞ୍ଜିରେ ଏହି ଚୋରା କାରବାରରେ ରାତିଏ ଗଲେ ହାତିଏ ଆଣିବାର ଲୋଭରେ ସଂପ୍ରତି ସାମାଜିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଚୋରୀରେ ସଂପୃକ୍ତ ଲୋକେ ଆଜିର ଦିନରେ ଲକ୍ଷପତି ଏପରିକି ମାଫିଆମାନେ କୋଟିପତି ହୋଇଥିବା ନିସନ୍ଦେହ । ପୂର୍ବରୁ ସାଇକେଲ ମରାମତି କରିବାକୁ ସକ୍ଷମ ନଥିବା ବ୍ୟକ୍ତି ଆଜିର ଦିନରେ ଏକାଧିକ ବ୍ରାଣ୍ଡେଡ୍ ବାଇକ୍ ଚଳାଇବା ଏବଂ ଚାରିଚକିଆ ମୋଟର ଯାନ ଚଳାଇବା କିଛି ନୂଆ ନୁହଁ । ଏହି ଚୋରା କୋଇଲା ଚାଲାଣ ରୋକାଯାଇ ପାରିଲେ ସାଧାରଣ ଜନତା ଟିକିଏ ଆଶ୍ୱସ୍ଥିଲାଭ କରନ୍ତେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |