ତିହିଡ଼ି ବ୍ଲକ୍‌ର ମିଳିତ ଜନ ଶୁଣାଣି ଶିବିର |

39

କଟକ (ଉତ୍କଳ ନ୍ୟୁଜ ) ୧୨-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାର୍ଯ୍ୟାଳୟ ପରିସର ନୀଳମଣି ସଭା ଗୃହରେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୪ଟି ଅଭିଯାଗ ଆଗତ ହୋଇଥିଲା । ତନ୍ମଧ୍ୟରୁ ୪୯ଟି ବ୍ୟକ୍ତିଗତ ରହିଥିବା ବେଳେ ୫ଟି ସାମୂହିତ ଅଭିଯୋଗ ବୋଲି ଜଣାଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌ପି ବରୁଣ ଗୁଣ୍ଟୁୁପାଲି ଏହି ଶିବିରରେ ଯୋଗଦେଇ ଶୁଣାଣୀ କରିଛନ୍ତି । ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡ଼ିଓ ଜ୍ୟୋତିର୍ମୟ କର, ତହସିଲଦାର ଦେବୀ ପ୍ରସନ୍ନ ସାରସ୍ୱତ, ଡ଼େପୁଟି କଲେକ୍ଟର ତନ୍ମୟ କୁମାର ଜେନା ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ଗୁଡ଼ିକର ଆଶୁ ସମାଧାନ ପାଇଁ ଶିବିରରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ତେବେ ପୂର୍ବାପେକ୍ଷା ଆଉ ଅଭିଯୋଗ ହେଉନାହିଁ । ହିତାଧିକାରୀମାନେ ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନପାଇ ନିରାଶ ହେଉଥିବା କାରଣରୁ ଆଉ ଏହି ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବାକୁ ମନ ବଳାଉନଥିବା ସୂଚନା ଅଧିକାର କର୍ମୀ ନିର୍ମଳ ସେନାପତି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ବିଭିନ୍ନ ବିଭାଗର ତଥ୍ୟ ପାଇଁ ସୂଚନା ଅଧିକାର ଆଇନ୍ ବଳରେ ଆବେଦନ କରାଯାଉଥିଲେ ମଧ୍ୟ ଦୂର୍ନୀତି ପଦାରେ ପଡିଯିବା ଭୟରେ ଠିକଣା ସମୟରେ ତଥ୍ୟ ପ୍ରଦାନ କରାଯାଉନଥିବା ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |