ଦୁର୍ଘଟଣାକୁ କେନ୍ଦ୍ରକରି ପୋଲିସ ପବ୍ଲିକ୍ ମୁହାଁମୁହିଁ, ପୋଲିସ ମାଡରେ ୪ ଆହତ |

136

କଟକ (ଉତ୍କଳ ନ୍ୟୁଜ ) ୮-୦୨-୨୦୨୪ : ଭଦ୍ରକ ଜିଲ୍ଲା ବନ୍ତ ଥାନାଧିନ ଶ୍ରୀବନ୍ତପୁରରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ପୋଲିସ ପବ୍ଲିକ ମୁହାଁମୁହିଁ ହୋଇଛନ୍ତି ଏବଂ ପୋଲିସ ମାଡରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ମୁତାବକ, ନୋ ଏଣ୍ଟ୍ରି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ଶ୍ରୀବନ୍ତପୁରରୁ ଯାଉଥିବା ବେଳେ ତାରିଣୀ ମନ୍ଦିର ନିକଟରେ ଜଣେ ସ୍କୁଲ ପିଲାକୁ ଧକ୍କା ଦେଇଥିଲା । ଗାଡିକୁ ଅଟକାଇବାକୁ ଲୋକେ ଉଦ୍ୟମ କରିଥିଲେ ହେଲେ ଗାଡିଟି ଖସି ପଳେଇ ଯାଉଥିବା ବେଳେ ଲୋକେ ଗୋଡେଇ ଗୋଡେଇ ଧରି ପୋଲିସ ଜିମା ଦେଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହେବା ସହିତ ରାସ୍ତା ଅବରୋଧ କରାଯାଇଥିଲା । ଇତିମଧ୍ୟରେ ପୋଲିସ ତଦନ୍ତ କରିଛି ଏବଂ ଗାଡି ଜବତ୍ କରିବା ସହିତ ଚାଳକକୁ ମଧ୍ୟ ଥାନାରେ ଅଟକ ରଖିଛି ବୋଲି ଯେତେ ବୁଝାଇଥିଲେ ମଧ୍ୟ କେହି ଶୁଣିନଥିଲେ । ଘଟଣା ପରେ ମଧ୍ୟ ଲୋକେ ରାସ୍ତା ଅବରୋଧ କରିଥିବା ନେଇ ପୋଲିସ ପବ୍ଲିକ ମଧ୍ୟରେ କଥା କଟକଟି ସହ ହାତାହାତି ହୋଇଥିବାର ଭିଡିଓ ଭାଇରାଲ ହେଉଛି । ମଦୁଆ ପୋଲିସ ଟଙ୍କା ନେଇ ଆଇରନ୍ ଓ ବୋଝେଇ ଗାଡି ପାଶ କରାଯାଉଛି ବୋଲି ଲୋକେ ଯୁକ୍ତିତର୍କ କରିଥିଲେ । ଯାହାକ ନେଇ ବିବାଦ ଉଗ୍ରରୂପ ନେଇଥିଲା । ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ଠେଲାପେଲା କରୁଥିବା ଭିଡିଓରେ ଦୃଶ୍ୟମାନ ହେଉଥିବା ବେଳେ ପୋଲିସ ଆକ୍ରୋଶ ମୂଳକ ଭାବେ ମାଡ ମାରିଥିବା ଏବଂ ପୋଲିସ ମାଡରେ ୪ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କିଛି ସମୟ ପାଇଁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |