ଉତ୍କଳ ଗୌରବ କୁଳବଦ୍ଧ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ।

19

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୪ : ଓଡ଼ିଆ ସ୍ୱାଭିମାନ, ଭାଷା, ଶିଳ୍ପ ବିକାଶ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରବିବାର ସକାଳ ୮.୩୦ ମି. ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିନୀତ ଭରଦ୍ୱାଜ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧି ପୀଠରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରି ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ଓଡ଼ିଶାର ପ୍ରଗତି ନିମନ୍ତେ ମଧୁବାବୁଙ୍କ ଅବଦାନକୁ ସ୍ମରଣ କରି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ରାଜ୍ୟ ପାଇଁ ମଧୁବାବୁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହ ମଧୁବାବୁଙ୍କ ସମାଧିପୀଠର ଅଧିକ ସୌନ୍ଦର୍ଯ୍ୟକରଣ ତଥା ଏହାର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପରେ ପରେ ଜିଲ୍ଲାପାଳ ନିକଟସ୍ଥ ମଧୁସୂଦନ ପାର୍କଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଏବଂ କ୍ୟାଣ୍ଟନମେଣ୍ଟ ଛକରେ ଥବା ଉତ୍କଳ ଗୌରବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେଠାରେ ମଧ୍ୟ ଆବଶ୍ୟକ ହେଉଥିବା ସୌନ୍ଦର୍ଯ୍ୟକରଣ ଏଵଂ ଆଲୋକିକରଣ ବ୍ୟବସ୍ଥା କରାଯିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ସଦର ଉପଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ୍‌, ତହସିଲଦାର ଶ୍ରୀ ସୁଜୟ କୁମାର ପତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, ସହକାରୀ ସୂଚନା ଅଧିକାରୀ ଶ୍ରୀମତି ସ୍ୱାଗତିକା ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ତଥା ମହାନଗର ନିଗମର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସୂଚନାଯୋଗ୍ୟ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପୁଣ୍ୟତିଥି ଅବସରରେ କଟକ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ,ପୁର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ଓଡିଶା ନିରାମୟ ଉପଦେଷ୍ଟା,ଡଃ ରଂଜନ ବିଶ୍ୱାଳ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କର୍ପୋରେଟର ବୃନ୍ଦ ଡାକ୍ତର ରବି ରଂଜନ ସାହୁ, କମରୁଲ ହୁସେନ, ସାହିତ୍ୟିକ ପ୍ରଫେସର ନଟବର ଶତପଥୀ,ଡ଼ଃ ସତ୍ୟ ରାୟ,ସାହିତ୍ୟିକ ଶ୍ରୀ ସଂଜିତ ପଟ୍ଟନାୟକ,ଆଇନଜୀବୀ ପ୍ରଶାନ୍ତ ନାୟକ, ପୁର୍ବତନ କର୍ପୋରେଟ ରମଜାନ ଖାଁଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି, ଆଇନଜୀବୀ, ବୁଦ୍ଧିଜୀବୀ ତଥା ବହୁ ମାନ୍ୟଗଣ୍ୟ ବିକ୍ତି ବିଶେଷ ଏବଂ ଅନୁଷ୍ଠାନ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।