ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ କାନ୍ତକବିଙ୍କ ପ୍ରତି ଅସମ୍ମାନକୁ ଜନ୍ମମାଟିରେ ବିରୋଧ |

108

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୪ : ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଗତ ୩ ତାରିଖରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ରାଜ୍ୟର ସର୍ବତ୍ର କାନ୍ତକବିଙ୍କ କାଳଜୟୀ ରଚନା ’ବନ୍ଦେ ଉତ୍କଳ ଜନନୀ’ ବି ପରିବେଷଣ କରାଯାଇଥିଲା । ତେବେ ସମ୍ମିଳନୀର ପ୍ରଥମ ଦିବସରେ ସଭା ମଞ୍ଚରେ ଏହି ଯଶସ୍ୱୀ କବି ତଥା ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଯେଉଁଭଳି ଭାବେ ଅସମ୍ମାନ ପ୍ରଦର୍ଶନ କରାଗଲା ତାକୁ ନେଇ ରାଜ୍ୟରେ ସର୍ବତ୍ର ବିରୋଧ ଓ ପ୍ରତିବାଦ ସ୍ୱର ଉଠିଛି । ରାଜ୍ୟର ବହୁ ବିଶିଷ୍ଟ କବି, ସାହିତ୍ୟିକ, ଭାଷାପ୍ରେମୀ ଓ ବୁଦ୍ଧିଜୀବୀ ମାନେ ଏଥିନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି କ୍ରମରେ ତାଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲା ତିହିଡିରେ ଏହି ଘଟଣାକୁ ଘୋର ବିରୋଧ ଓ ପ୍ରତିବାଦ ବି କରାଯାଇଛି । ମଞ୍ଚରେ ଖୋଦ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କ ଉପସ୍ଥିତିରେ ସଭା ସଞ୍ଚାଳକ କାନ୍ତକବିଙ୍କୁ ‘କଣ୍ଠକବି’ବୋଲି ବିକୃତ ଭାବେ ଉଚ୍ଚାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ତିହିଡିର ଭାଷାପ୍ରେମୀ ଓ ସାହିତ୍ୟିକ ମାନେ ମତବ୍ୟକ୍ତ କରିଛନ୍ତି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ହେଉଛନ୍ତି ଓଡିଆ ସାହିତ୍ୟର ଜଣେ ସଫଳ ଓ ଯଶସ୍ୱୀ ସାରସ୍ୱତ ସ୍ରଷ୍ଟା । ତାଙ୍କୁ ନେଇ ସମଗ୍ର ଓଡିଶାବାସୀ ଗର୍ବ କରନ୍ତି । ତିହିଡି ମାଟି ବି ତାଙ୍କ ଅମ୍ଳାନ ସୃଷ୍ଟି ଓ ସ୍ୱାକ୍ଷରକୁ ନେଇ ଗର୍ବ କରେ । ଓଡିଶା ଭାଷାର ପ୍ରଚାର, ପ୍ରସାର ଓ ବିକାଶ ନେଇ ସରକାର ଯେଉଁ ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ କରିଛନ୍ତି ତାହା ସ୍ୱାଗତଯୋଗ୍ୟ ମାତ୍ର ଆରମ୍ଭରୁ ଜଣେ ଯଶସ୍ୱୀ କବିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯିବା ଚରମ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ତିହିଡିରେ ବହୁ ଭାଷାପ୍ରେମୀ ଓ ବୁଦ୍ଧିଜୀବୀ ତଥା ସାହିତ୍ୟିକ ମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |