ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ବ୍ଳକ ପ୍ରଶାସନ ପକ୍ଷରୁ ୧୪୮ ଜଣଙ୍କୁ ସମ୍ବର୍ଦ୍ଧନା |

118

କଟକ (ଉତ୍କଳ ନ୍ୟୁଜ ) ୦୩-୦୨-୨୦୨୪ : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ଅବସରରେ ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୪୮ ଜଣ କବି, ଲେଖକ ତଥା ଓଡିଆ ଭାଷା ସାହିତ୍ୟ ଅନୁରାଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ନାରାୟଣ ଚନ୍ଦ୍ର ବାରିକ ଓ ଇଂ ଅଭୟ ସୂତାର, ଅନ୍ୟତମ ଅତିଥି ସ୍ତମ୍ଭକାର ବିଭୂତି ଭୂଷଣ ସେନାପତି ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ । ପୂର୍ବାହ୍ନ ୧୧ଟାରେ ପ୍ରାଦେଶିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଏହି ଅବସରରେ କବି ବିପ୍ଳବ ରଞ୍ଜନ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ପି.ହୃଷିକେଶ, ସଂଜିତ୍ ବଳ, ବିଶ୍ୱମୈତ୍ରୀ ନାୟକ, ଅମୂଲ୍ୟ ସେନାପତି, ରମେଶ ଦାସ, ରଶ୍ମିତା ମହାନ୍ତି, ଗୋଲକ ପ୍ରସାଦ ବୈୟାରୀ, ଜଗବନ୍ଧୁ ମହାନ୍ତି, କୁନିକବି ବିମଳାଶ୍ରିତା ବାରିକ୍‌, ଦୁର୍ଗା ପ୍ରସନ୍ନ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ ତିହିଡ଼ି ବ୍ଲକର ୧୪୮ଜଣ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ବିଡିଓ ମାନସ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ମନରେଗା ସହକାରୀ ସୁଧାଂଶୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |