କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ |

17

କଟକ (ଉତ୍କଳ ନ୍ୟୁଜ ) ୨-୦୨-୨୦୨୪ : କଟକର ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଆଗେଇ ଚାଲିଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ମା’ଙ୍କ ଦର୍ଶନ କରି ଦିବ୍ୟ ଅନୁଭୂତି ଲାଭ କରିବେ ଓ ଦର୍ଶନ ସେମାନଙ୍କ ପାଇଁ ସ୍ମରଣୀୟ ହୋଇପାରିବ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିନୀତ ଭରଦ୍ୱାଜ (ଆଇଏଏସ୍‌) ଆଜି ମା କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ସହ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତୀ କାର୍ଯ୍ୟର ସମୀକ୍ଷା କରିବା ସହ ଏ ସମ୍ବନ୍ଧରେ ସମ୍ପୃକ୍ତ ଯନ୍ତ୍ରୀଙ୍କଠାରୁ ପଚାରି ବୁଝିଥିଲେ । ତେବେ ନିର୍ମାଣ କାର୍ଯ୍ୟର ଗୁଣବତାକୁ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ପ୍ରକାଶଥାଉକି, ମୁଖ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଧିକ ସମୟ ଆବଶ୍ୟକ ହେଉଥିବାରୁ ଆନୁଷଙ୍ଗିକ କାର୍ଯ୍ୟ ଯଥା ଦୀପ, ଫୁଲ ଓ ଭୋଗ ଦୋକାନର ସ୍ଥାନାନ୍ତରଣ ସହ ମନ୍ଦିର ବେଢା ଓ ତତ୍‌ସଂଲଗ୍ନ ଅଂଚଳର ଫ୍ଲୋରିଂ କାର୍ଯ୍ୟ ଆସନ୍ତା ଏକ ମାସ ମଧ୍ୟରେ ଶେଷ କରିବାକୁ ସେ ଓବିସିସିର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ସେ ନିଜେ ପୁନର୍ବାର ଆସି କାର୍ଯ୍ୟ ଅଗ୍ରଗତୀର ସମୀକ୍ଷା କରିବା ନେଇ ସମ୍ପୃକ୍ତ ଯନ୍ତ୍ରୀଙ୍କୁ କହିଥିଲେ । ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ଉପଜିଲ୍ଲାପାଳ କଟକ ସଦର ଶ୍ରୀ କମଲଜିତ୍ ଦାସ୍‌, କଟକ ସଦର ତହସିଲଦାର ଶ୍ରୀ ସୁଜୟ ପତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହ ମା’ଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା । ଆଜି ପୂର୍ବାହ୍ନରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ସମ୍ପାଦକ ଶ୍ରୀ ଭିକାରୀ ଚରଣ ଦାସ୍‌, ୟୁନେସ୍କୋର ଓଡ଼ିଶା ଶାଖା ସମ୍ପାଦକ ଶ୍ରୀ ଦ୍ୱିପାୟନ ପଟ୍ଟନାୟକଙ୍କ ସମେତ ଧର୍ମେଶ ନାୟକ, ନରେଶ ସାହୁ, ଦେବାଶିଷ ରାୟ, ଦେବେନ୍ଦ୍ର କାହାଳି, ରବିନ୍ଦ୍ର ବେହେରା, ବିଜୟ ନାୟକ, ମୀନକେତନ ଦାସ, କେଦାର ବେହେରା ଓ ସୁଦୀପ୍ତ ପଟ୍ଟନାୟକ ସମେତ କର୍ମକର୍ତାମାନେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।