ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ଚାରିଦିନ ଧରି ପଲିଶ୍ରୀ ମେଳା ଆୟୋଜିତ ।

17

କଟକ (ଉତ୍କଳ ନ୍ୟୁଜ ) ୦୧-୦୨-୨୦୨୪ : କଟକ,୩୧ ଜାନୁଆରୀଠାରୁ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ପରିସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ଅବସରରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଗ୍ରାମାଞ୍ଚଳମାନଙ୍କର ସାମଗ୍ରୀ ଏହି ମେଳାରେ ବିକ୍ରୟ କରାଯିବା ସହ ସ୍ଥାନୀୟ ଲୋକଙ୍କର ଆର୍ଥିକ କାରବାର ମଧ୍ୟ ବୃଦ୍ଧି ପାଇବା ଆଶା ନେଇ କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଉଦ୍ୟମରେ ଏହି ମେଳା ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟ।ଳୟ ସହଭାଗିତାରେ ଅନୁଷ୍ଠିତ ହେଉଛି। ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ବିନୀତ ଭରଦ୍ୱାଜ, ବିଧାୟକ ଶ୍ରୀ ବେହେରା ଏବଂ ବରେଣ୍ୟ ଅତିଥି ମାନଙ୍କ ସହ ସ୍ମୃତିପୀଠ ଠାରେ ଅବସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏହି ମେଳାର ଶୁଭାରମ୍ଭ କରିଥିଲେ।ଏହି ଶୁଭାରମ୍ଭ ପରିଦର୍ଶନରେ ନିଜର ଖୁସିବ୍ୟକ୍ତ କରି ସ୍ମୃତିପୀଠରେ ଏହିଭଳି କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ଏଠାରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ହାତକୁ ନିଆଯିବ। ଆଜିର ଏହି ଶୁଭାରମ୍ଭ ଅବସରରେ ଜିଲ୍ଲା ପରିଷଦ ଉପସଭାପତି,ଶ୍ରୀମତୀ ସୁଭଦ୍ରା ଦାସ, ସ୍ମୃତି ସଂସଦ ବରିଷ୍ଠ ସଭ୍ୟ ଶ୍ରୀ ପୀତବାସ ମହାପାତ୍ର, ବରିଷ୍ଠ ନାଗରିକ ଶ୍ରୀ ବନମାଳୀ ଦାସ,୫୭ ନଂ ୱାର୍ଡ କର୍ପୋରେଟର ପୂର୍ଣ୍ଣିମା ସାହୁ,ପୁର୍ବତନ କର୍ପୋରେଟର ତଥା ସ୍ମୃତି ସଂସଦର ସଭ୍ୟ, ଶ୍ରୀ ପ୍ରମୋଦ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିଧାୟକଙ୍କ ମାର୍ଗଦର୍ଶନରେ ଚାରି ଦିନ ଧରି ଆୟୋଜିତ ହେବାକୁଥିବା ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିବାବେଳେ ସଦର ଉପଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ,ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଶୁଭାରମ୍ଭ ଅବସରରେ ଯୋଗ ଦେଇଥିଲେ।