ବିଏନଏମଏ କଲେଜରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ।

68

କଟକ (ଉତ୍କଳ ନ୍ୟୁଜ ) ୩୧-୦୧-୨୦୨୪ : ସାମାଜିକ ପରିବର୍ତ୍ତନର ପ୍ରେଖ୍ୟାପଟରେ ଛାତ୍ରୀମାନେ ବହୁ ଦିଗରୁ ସଶକ୍ତ ହେବାର ଆବଶ୍ୟକତା ରହିଛି। ମୁଖ୍ୟତଃ ଉଚ୍ଚଶିକ୍ଷା ଲାଭ ନିମନ୍ତେ ଛାତ୍ରୀମାନଙ୍କୁ ଅନ୍ୟତ୍ର ଯିବାକୁ ପଡୁଛି। ନାରୀମାନେ ଯେତେ ସଶକ୍ତ ଓ ଆତ୍ମନିର୍ଭରଶୀଳ ହେଲେହେଁ ସେମାନଙ୍କୁ ଅନେକ ସମୟରେ ଅସାମାଜିକତାର ଶିକାର ହେବାକୁ ପଡ଼ୁଛି। ସେଥିପାଇଁ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା କୌଶଳ ଜାଣିବା ଆଜି ସମୟର ଆହ୍ବାନ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ଉଚ୍ଚମାଧ୍ୟମିକ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ୧୬ ତାରିଖରୁ ଚାଲୁଥିବା ୮ ଦିନିଆ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ବୁଧବାର ଅନୁଷ୍ଠିତ ଉଦଯାପନ ଉତ୍ସବରେ ଅତିଥି ମତବ୍ୟକ୍ତ କରିଛନ୍ତି। କଲେଜର ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ାଙ୍କ ସଭାପତିତ୍ବରେ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ତପନ କୁମାର ନାୟକ, ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଶ୍ବରଞ୍ଜନ ଦାସ ଓ ପ୍ରାକ୍ତନ ସଂଯୋଜକ ଅଧ୍ୟାପକ ସରୋଜ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଶିବିରରେ ପ୍ରଦତ୍ତ ପ୍ରଶିକ୍ଷଣ କୌଶଳକୁ ଆୟତ୍ତ କରିବାକୁ ପରାମର୍ଶ ଦେଇଥିଲେ। ଶିବିରର ସଂଯୋଜିକା ଅଧ୍ୟାପିକା ପ୍ରିୟଙ୍କା ସାହୁଙ୍କ ସଂଚାଳନାରେ ଅନୁଷ୍ଠିତ ଶିବିରରେ ଛାତ୍ରୀ ଲିଜା ମହାଳିକ, ଉର୍ବଶୀ ବେହେରା, ଲୀନା ମଲ୍ଲିକ, ପୂଜାଶ୍ରୀ ପାଲ୍ ପ୍ରମୁଖ କୌଶଳ ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅମିୟରଞ୍ଜନ ଦାସ ଓ ବୈଷ୍ଣବ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ୮ଦିନିଆ ଶିବିରର ପ୍ରଶିକ୍ଷିକା ଭାବେ ମଧୁସ୍ମିତା ନାୟକ, ଜ୍ୟୋତିପ୍ରଭା ଜେନା ଓ ପ୍ରିୟଦର୍ଶନୀ ନାୟକ କୌଶଳ ଶିକ୍ଷା ପ୍ରଦାନ କରିଥିଲେ। ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |