ସପ୍ତମ କଟକ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ।

21

କଟକ (ଉତ୍କଳ ନ୍ୟୁଜ ) ୩୧-୦୧-୨୦୨୪ : ସମଗ୍ର କଟକ ଜିଲ୍ଲାରେ କୃଷି, ଉଦ୍ୟାନ ବିଭାଗ, ମତ୍ସ୍ୟ ଓ ପଶୁପାଳନ, ଜଳଛାୟା, ଗ୍ରାମୀଣ ରାସ୍ତା ଓ କୋଠାବାଡି, ଗ୍ରାମ୍ୟ ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ସେବା ଓ ପରିବାର କଲ୍ୟାଣ ଉପରେ ଗୁରୁତ୍ଵାରୋପ କରି ଉତ୍ତରଦାୟିତ୍ଵ ନିର୍ବାହପୂର୍ବକ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାକୁ ଗ୍ରାମାଞ୍ଚଳ ଲୋକମାନଙ୍କ ନିକଟରେ ପହଞ୍ଚାଇ ଜନ ପ୍ରତିନିଧିମାନେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରୟାସ ଜାରି ରଖିବେ ବୋଲି ଆଜି କଟକ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସପ୍ତମ ଜିଲ୍ଲାପରିଷଦ ବୈଠକରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ପରିଷଦର ମୁଖ୍ୟ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜ ବୈଠକରେ ଯୋଗଦେଇ ଜିଳ୍ଲାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ବିଶେଷକରି ଗ୍ରାମାଂଚଳର ବିକାଶ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ମତବ୍ୟକ୍ତ କରିଥିଲେ । ସମସ୍ତେ ଏକତ୍ରିତ ହୋଇ କାର‌୍ୟ୍ୟ କଲେ କଟକ ଜିଲ୍ଲା ଆହୁରି ଅଗ୍ରଗତୀ କରିପାରିବ । ଜିଲ୍ଲାର ଉନ୍ନତି ତଥା ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା ନିମନ୍ତେ ଜନହିତକର କାର୍ଯ୍ୟ କରିବା ତଥା ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବା ଭଳି ଗୁରୁ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ସେ କହିଲେ ଯେ ଯେକୌଣସି କାର୍ଯ୍ୟନିର୍ବାହ କରିବା ପୂର୍ବରୁ ତାହାର ଆନୁଷଙ୍ଗିକ ଦିଗକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାର୍ଯ୍ୟଶୈଳୀର ଅନୁଶୀଳନ ଓ ପ୍ରଗତିକୁ ତୁଳନାତ୍ମକ ବିଚାର କଲେ କାର୍ଯ୍ୟଧାରାରେ ପରିବର୍ତ୍ତନ ଅଣାଯାଇପାରିବ। ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାମାନେ ନିଜ ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ସମ୍ପୃକ୍ତ ସ୍ଥାନୀୟ ବିଧାୟକମାନଙ୍କ ସହିତ ସମନ୍ଵୟ ରକ୍ଷା କରି ବିକାଶର ଧାରାକୁ ବଜାୟ ରଖିବା ଆବଶ୍ୟକ । ଜିଲ୍ଲାପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ବୈଠକରେ ଅଧ୍ୟକ୍ଷତା କହିଲେ ଯେ ସମସ୍ତ ଗ୍ରାମାଞ୍ଚଳ ବିକାଶର ଗୁରୁଦାୟିତ୍ଵ ଜିଲ୍ଲାପରିଷଦ ଉପରେ ନ୍ୟସ୍ତ । ସଭ୍ୟ/ସଭ୍ୟାମାନେ ନିଷ୍ଠାପର ଭାବରେ କାର‌୍ୟ୍ୟ ସମ୍ପାଦନ କରି ଜନସାଧାରଣଙ୍କ ନିକଟତର ହୋଇପାରିଲେ ପ୍ରଗତିର ଧାରାକୁ ତ୍ୱରାନ୍ୱିତ କରାଯାଇପାରିବ । ଜିଲ୍ଲାପରିଷଦକୁ ଏକ ସୁଦୃଢ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବରେ ଗଢିତୋଳିବା ନିମନ୍ତେ ଆପଣମାନଙ୍କ ସଦିଚ୍ଛା ଓ ସହଯୋଗ ଏକାନ୍ତକାମ୍ୟ ବୋଲି ସେ ଆଶାପ୍ରକାଶ କରିଥିଲେ । ବୈଠକରେ କୃଷି, ଉଦ୍ୟାନ ବିଭାଗ, ମତ୍ସ୍ୟ ଓ ପଶୁପାଳନ, ଜଳଛାୟା, ଗ୍ରାମୀଣ ରାସ୍ତା ଓ କୋଠାବାଡି, ଗ୍ରାମ୍ୟ ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ସେବା ଓ ପରିବାର କଲ୍ୟାଣ ସମ୍ବନ୍ଧରେ ସୁବିସ୍ତୃତ ଆଲୋଚନା କରାଯାଇ କାର‌୍ୟ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର‌୍ୟ୍ୟନିର୍ବାହୀ ଶ୍ରୀ ସୁବାସ ଚନ୍ଦ୍ର ରାୟ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ସୁଭଦ୍ରା ଦାସ, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁଙ୍କ ସମେତ ଅଧୀକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ , ଅଧୀକ୍ଷଣ ଯନ୍ତ୍ରୀ, ଜଳସଂପଦ , ଅଧୀକ୍ଷଣ ଯନ୍ତ୍ରୀ, ଟିପିସିଓଡ଼ିଏଲ ଏବଂ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା,ପଞ୍ଚାୟତସମିତିର ଅଧ୍ୟକ୍ଷ ଅଧ୍ୟକ୍ଷ। ବୃନ୍ଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇଥିଲେ ।