ଜବର ଦଖଲ ଉଚ୍ଛେଦ କରିବାକୁ ଲଢେଇ କରି ହାରିଗଲେ କେଶବ ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ଭଙ୍ଗାଗଲା କେଶବଙ୍କ ପକ୍କା ଗୃହ |

948

କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୪ : ଜବର ଦଖଲ ଉଚ୍ଛେଦ କରିବାକୁ ଲଢେଇ କରି ହାରିଗଲେ ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଗୁଆମାଳ ଗାଁର କେଶବ ସେନାପତି । ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ଭଙ୍ଗାଗଲା କେଶବଙ୍କ ପକ୍କା ଗୃହ । ତାଙ୍କ ପକ୍କା ଗୃହର ପଶ୍ଚିମ ପାଶ୍ୱର୍ର ଉତ୍ତର-ଦକ୍ଷିଣ ଲମ୍ବର ୬ କଡି ହିସାବରେ ଏକ ଡିସିମିଲ୍ ଭଙ୍ଗା ଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାଜିଷ୍ଟ୍ରେଟ୍ ଭାବେ ତିହିଡି ତହସିଲଦାର ଦେବୀ ପ୍ରସନ୍ନ ସାରସତ୍ୱ, ଭଦ୍ରକ ସଦର ଏସଡିପିଓ ସୌରବ ହୋତାଙ୍କ ସମେତ ତିହିଡି ଥାନାର ଭାରପ୍ରାପ୍ତ ଥାନାଧିକାରୀ ଅରୁଦ୍ଧ୍ୱତୀ ବେହେରା ଓ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଦୁଇଟି ଜେସିବି ମେସିନ୍ ଜରିଆରେ ଉକ୍ତ ଜବର ଦଖଲ ଉଚ୍ଛେଦ କରାଯାଇଛି । ତେବେ କେଶବ ସେନାପତି ଏହାର ତିବ୍ର ନିନ୍ଦା କରିଛନ୍ତି । ପ୍ରଶାସନ ବିରୋଧରେ ଲଢେଇ କରିଥିବା ନେଇ ଆକ୍ରୋଶ ମୂଳକ ଭାବେ ତାଙ୍କ ପକ୍କା ଗୃହକୁ ଭାଙ୍ଗି ଦିଆଯାଇଛି ବୋଲି କହିଛନ୍ତି । ପୂର୍ବରୁ ତହସିଲଦାର, ଗ୍ରାମବାସୀ ଓ କେଶବ ସେନାପତିଙ୍କ ଉପସ୍ଥିତିରେ ମାପ୍‌ଚୂପ ସମୟରେ ଏପରି କୌଣସି ଜବର ଦଖଲ ହୋଇଥିବା ସ୍ପଷ୍ଟ ହୋଇନଥିଲା । ପକ୍ଷପାତିତା କରାଯାଇ ଅଭିଯୋଗ କରିବାର ମୁହଁ ବନ୍ଦ କରାଯିବା ପାଇଁ ଏପରି ଅନ୍ୟାୟ କରାଯାଇଥିବା କହିଛନ୍ତି । ସୂଚନା ମୁତାବକ, ତିହିଡି ତହସିଲ ଅଧିନ ଦୋଳସାହି-ବୋଡକ ରାସ୍ତାର ଗଣ୍ଡପଡା କିର୍ତ୍ତନ ମଣ୍ଡପ ଠାରୁ ଦଶମୌଜା କେନାଲ ପାରହୋଇ ଗଣେଶ୍ୱରପୁର ଶାସନ ଗାଁ ପର୍ଯ୍ୟନ୍ତ ଲମ୍ବିଥିବା ସରକାରୀ ରାସ୍ତାକୁ ଜବର ଦଖଲ କରାଯାଇଥିବା ଅଭିଯୋଗ ହୋଇଛି । ଶହେ ବର୍ଷର ପୁରୁଣା ରାସ୍ତାକୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅକ୍ତିଆର କରିବା ସହ ରାସ୍ତାକୁ ଲଗାଇ ଗୃହ ନିର୍ମାଣ ମଧ୍ୟ କରାଯାଇଛି । ଉକ୍ତ ଜବରଦଖଲ ଉଚ୍ଛେଦ କରାନଗଲେ ସମୂହ କ୍ଷତି ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଅଭିଯୋଗ ହୋଇଥିଲା । ଏପରିକି ତହସିଲ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ସହିତ ନ୍ୟାୟ ଦାବିରେ ବହୁବାର ପ୍ରତିବାଦ, ଅନଶନ, ଆମରଣ ଅନଶନ ମଧ୍ୟ କରାଯାଇଛି । ଲଢେଇର ମଙ୍ଗ ଧରିଥିଲେ କେଶବ ସେନାପତି ଏବଂ ତାଙ୍କ ସହିତ ସାମିଲ ହୋଇଥିଲେ ଗ୍ରାମବାସୀ । ତେବେ ୨୦୨୧ ମସିହାରେ ପ୍ରତିପକ୍ଷଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଅଧା ପଙ୍ଗୁ ହୋଇଥିଲେ କେବଶ । ଦୁଇ ବର୍ଷକାଳ ଚିକିତ୍ସା ପରେ ସଂପ୍ରତି ସାମୟିକଭାବେ ଚଳପ୍ରଚଳ କରି ପାରୁଛନ୍ତି । ଜବର ଦଖଲ ଉଚ୍ଛେଦ ଓ ଗଣ୍ଡଗୋଳକୁ ନେଇ ଏକାଧିକ ମାଲିମୋକଦ୍ଦମା ଏଯାବତ୍ ବିଚାରଧିନ ରହିଛି । ତେବେ ସେତେବେଳେ କେଶବ ସେନାପତି ଉକ୍ତ ରାସ୍ତାର କିଛି ଅଂଶ ଜବରଦଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ତିହିଡି ତହସିଲ କାର୍ଯ୍ୟାଳୟରେ ଏକ ଅବରୋଧ ମୋକଦ୍ଦମା ୪୪୨/୨୦୧୮-୧୯ ରୁଜୁ ହୋଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ପ୍ରତିପକ୍ଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏନେଇ ହାଇକୋର୍ଟରେ ଏକ ମାମଲା ୧୦୧୮୦/୨୩ ରୁଜୁ ହୋଇଥିଲା । ତେବେ କେଶବ ସେନାପତିଙ୍କ ପକ୍କା ଗୃହ ମଧ୍ୟରେ ଏକ ଡିସିମିଲ୍ ସରକାରୀ ରାସ୍ତା ରହିଥିବା ତଦନ୍ତରୁ ଜଣାଯିବା ପରେ ଏହାର ଉଚ୍ଛେଦ କରାଯାଇଛି । ଜବର ଦଖଲ ହୋଇଥିବା ଗୁଆମାଳ ମୌଜାର ସରକାରୀ ଖାତା ନମ୍ବର ୧୪୨୮, ପ୍ଲଟ ନମ୍ବର ୩୮୫୦ରେ ଏକ ଡିସିମିଲ୍ ଉଚ୍ଛେଦ କରାଯାଇଥିବା ଜଣାଯାଇଛି । କେଶବଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ନେଇ ଗାଁର କେତେକ ପୁରୁଖା ଲୋକ ମୁହଁ ଖୋଲିଛନ୍ତି । ଗ୍ରାମ୍ୟ ରାସ୍ତା ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗ ଭୁଲିଯାଇ ପ୍ରଶାସନ କେଶବଙ୍କ ମୁହଁ ବନ୍ଦ କରିବା ଲାଗି ଏପରି ଗୃହ ଭାଙ୍ଗିଥିବା କହିଛନ୍ତି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେଶବଙ୍କ ପକ୍କା ଗୃହ ମଧ୍ୟରେ ଏକ ଡିସିମିଲ୍ ଭଙ୍ଗା ଯାଇଥିବା କହିଛନ୍ତି ତହସିଲଦାର । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |