ଅଗ୍ନିକାଣ୍ଡରେ ୫ ବଖରା ଘର ଭଷ୍ମିଭୁତ, ଦୁଇଟି ପରିବାର ସର୍ବଶାନ୍ତ।

59

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଅଗ୍ନିକାଣ୍ଡରେ ୫ ବଖରା ଘର ଭଷ୍ମିଭୁତ, ଦୁଇଟି ପରିବାର ସର୍ବଶାନ୍ତ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗ୍ରାମରେ ଘଟିଛି ଏପରି ଭୟାବହ ଅଗ୍ନିକାଣ୍ଡ। ସେକ୍ ମନସୁର୍ ଏବଂ ସେକ୍ ସକୁର୍ ନାମକ ଦୁଇଟି ବ୍ୟକ୍ତିଙ୍କ ତଥା ଦୁଇଟି ପରିବାରର ପ୍ରାୟ ୫ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ନିଆଁର ପ୍ରକୋପ ଏତେ ଥିଲାଯେ ଘରୁ କୌଣସି ଜିନିଷ ଉଦ୍ଧାର କରାଯାଇ ପାରିନାହିଁ। ଧାନ, ଚାଉଳ, ଟଙ୍କା ପଇସା, ଆସବାବପତ୍ର ଜରୁରୀ କାଗଜ ପତ୍ର ତଥା ଜମିଜମା କାଗଜପତ୍ର, ଆଧାର କାର୍ଡ, ସ୍କୁଲ୍ ସାର୍ଟିଫିକେଟ ସବୁ କିଛି ନିଆଁର ଆଁରେ ପାଉଁଶ ହୋଇ ଯାଇଛି। ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଚାନ୍ଦବାଲି ଏବଂ ଗଦି ଦୁଇଟି ଦମକଳ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହୋଇଥିଲେ ମଧ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନାହିଁ। ଶୀତ ଦିନ ହୋଇଥିବାରୁ ଏହି ଦୁଇଟି ପରିବାର କେମିତି କାଳତିପାତ କରିବେ ସେଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଏବଂ ସମାଜସେବୀ ସେକ୍ ମିସକିନ୍ ଦାବୀ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଯାହା ହୋଇ ଥାଉନା କାହିଁକି ଏ ଦୁଇଟି ଗରିବ ପରିବାର ସର୍ବଶାନ୍ତ ହୋଇ ଯାଇଛନ୍ତି। ସେମାନେ ପୁଣି କେମିତି ଅଣ୍ଟା ସଳଖି ଛିଡ଼ା ହେବେ ଚିନ୍ତାରେ ଦୁଇଟି ପରିବାର। ଏହା ରୋଷେଇ ଘର ଚୂଲି କିମ୍ବା ବିଦ୍ୟୁତ୍ ସର୍ଟ ସର୍କିଟରୁ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |