କାଁପଡାରେ ଚାଷୀ କ୍ଷେତମଜଦୂର ମିଳିତ ବୈଠକ |

75

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ କାଁପଡାରେ ଚାଷୀ କ୍ଷେତମଜଦୂର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଚାଷୀଙ୍କ ଠାରୁ ସରକାର ଧାନ କିଣିବା, ସମସ୍ତ ଚାଷ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ ପ୍ରଣୟନ କରିବା, ସମସ୍ତ ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା, କାଁପଡା ଅଞ୍ଚଳରେ ଜଳନିଷ୍କାସନ କରିବା, ମନରେଗା ଯୋଜନାରେ ବର୍ଷକୁ ସର୍ବନିମ୍ନ ୨ଶହ ଦିନର କାମ ଯୋଗାଇ ଦେବା ସହିତ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ମୋଦି ସରକାର ସରକାରୀ ସଂପତ୍ତିି ବିକ୍ରି ବନ୍ଦ କରିବା ଓ ସମ୍ବିଧାନର ସୁରକ୍ଷା ଆଦି ପ୍ରସଂଗରେ ଅଖିଳ ଭାରତ କୃଷକ ସଭା ଓ ଓଡିଶା କ୍ଷେତମଜଦୂର ୟୁନିୟନ କାଁପଡା ଶାଖା ପକ୍ଷରୁ ଅଖିଳ ଭାରତ କୃଷକ ସଭା କାଁପଡା ଶାଖା କାର୍ଯ୍ୟାଳୟ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଚାଷୀ ନେତା କୃଷ୍ଣଚନ୍ଦ୍ର ମଳିକଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, କୃଷକ ନେତା ଅଜୟ ମଳିକ, ଯୁବ ନେତା ଜ୍ୟୋତିର୍ମୟ ମଳିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଚାଷୀ ଓ କୃଷି ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଚାଷୀ ଓ ମୂଲିଆ ର ହକ୍ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ରେ ଦେଶବ୍ୟାପୀ ସାଇକେଲ, ମଟର ସାଇକେଲ, ଟ୍ରାକ୍ଟର ରାଲି ଓ ମିଳିତ ଟ୍ରେଡ଼ ୟୁନିୟନ ଓ ଫେଡେରେସନ ସମୂହ ଆହ୍ୱାନରେ ସଂଗଠିତ ହେବାକୁ ଥିବା ଫେବୃଆରୀ ୧୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ତିହିଡି ଅଞ୍ଚଳରେ ସଫଳ କରିବାକୁ କୃଷକ ଓ କ୍ଷେତମଜଦୂର ସଂଗଠନର ନେତୃତ୍ୱ ଏହି ବୈଠକରେ ଆହ୍ୱାନ ଜଣାଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |