ରାମ ଜନ୍ମଭୂମି ପାଇଁ ସହୀଦ୍‌ଙ୍କୁ ଦେଶବାସୀ ଆଜି ଶ୍ରଦ୍ଧା ନିବେଦନ କରୁଛନ୍ତି-ମନମୋହନ ସାମଲ |

122

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ଅଯୋଧ୍ୟାରେ ପ୍ରଭୁ ଶ୍ରୀ ଶ୍ରୀ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଦିବସ ଅବସରରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଗଦି ବଜାରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଦିବସ ବ୍ୟାପୀ ବିଭିନ୍ନ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରେ ବିଭିନ୍ନ ମନ୍ଦିରରେ ଶୁଭ କଳସ ସ୍ଥାପନା ସହ ସନ୍ଧ୍ୟାରେ ଦୀପଦାନ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ସୁସଜ୍ଜିତ ରଥକୁ ନେଇ ୬ ପଞ୍ଚାୟତରେ ନଗର ପରିକ୍ରମଣ କରିଥିଲେ । ସନ୍ଧ୍ୟାରେ ସ୍ତମ୍ଭକାର ମୁକ୍ତିକାନ୍ତ ନାୟକଙ୍କ ସଂଚାଳନାରେ ଆୟୋଜିତ ସାଧାରଣ ସଭାରେ ‘ପାଞ୍ଚ ଶହ ବର୍ଷର ସଂଘର୍ଷମୟ ଇତିହାସ’ ଶୀର୍ଷକ ଆଲୋଚନା ଚକ୍ରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, ସାହିତ୍ୟିକ ଡ. ଅରୁଣ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦର ଜିଲା ସମ୍ପାଦକ ବସନ୍ତ ରାଉତ ଅତିଥିଭାବେ ଯୋଗଦେଇ ଆଜିର ଦିନ ଥିଲା ଭାରତବର୍ଷ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସ୍ୱାଧୀନତାର ଦିବସ ବୋଲି କହିଥିଲେ । ଦୀର୍ଘ ପାଞ୍ଚ ଶହ ବର୍ଷ ଧରି ଲମ୍ବା ସମୟର ସଂଘର୍ଷରେ ଯେଉଁ ହଜାର ହଜାର କରସେବକମାନେ ପ୍ରାଣଦାନ କରିଥିଲେ ଦେଶ ଆଜି ସେମାନଙ୍କୁ ଗଭୀର ଶ୍ରଦ୍ଧାନିବେଦନ କରୁଛି । ଛୋଟଛୋଟ ପିଲାମାନେ ‘ଜୟ ଶ୍ରୀରାମ’ ସଂଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ । ସଂଗ୍ରାମ ମହାନ୍ତି, ରାଜାରାମ ମହାକୁଡ଼ ମଞ୍ଚାସୀନ ଥିବା ବେଳେ ସୁଦର୍ଶନ ବିଶ୍ୱାଳ, ସମରେନ୍ଦ୍ର ବାରିକ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନାଦି ବାରିକ, ଦେବେନ୍ଦ୍ର ବାରିକ, ଅଶୋକ ରାଉତ, ଚିତ୍ତରଂଜନ ମଲିକ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଅଲେଖ ସେଠୀ, ସଂଜୟ ବାରିକ, ରତିକାନ୍ତ ନାୟକ, ପ୍ରଫୁଲ ରାଉତ, ଶରତ ନାୟକ, ସୁଶୀ ସୁନିଲତା ନାୟକ ପ୍ରମୁଖ ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |