ଆଦାନୀ ବିରୋଧୀ ପଦଯାତ୍ରା ଦ୍ୱିତୀୟ ଦିନରେ, କର୍ପୋରେଟ ଲୁଟ ବିରୋଧରେ ହେବ ମହାସଂଗ୍ରାମ |

78

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ଭଦ୍ରକ ଗାନ୍ଧୀ ପଡ଼ିଆ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରୁ ବାହାରିଥିବା ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ତିହିଡ଼ି ବ୍ଳକ ଗଦି ଠାରେ ପହଁଚିଛି । ତିହିଡିରୁ ଶୋଭାଯାତ୍ରାକାରୀମାନେ ହାତରେ ଜାତୀୟ ପତାକା ଓ ଫ୍ଲାଗକାର୍ଡ ଧରି ଏକ ସୁସଜ୍ଜିତ ଶୋଭାଯାତ୍ରାରେ ବହାରିଥିଲେ । ଆଦାନୀ ପୋର୍ଟରେ ଭଦ୍ରକ ଲୋକଙ୍କୁ କେତେ ଚାକିରି ଦେଇଛ, ଧାମରା ପୋର୍ଟର ଲାଭ ପଇସା କେତେ, ଓଡ଼ିଶାବାସୀ ପାଇଛନ୍ତି କଣ, ସ୍ଥାନୀୟଲୋକଙ୍କ ଆୟ ପୋର୍ଟରୁ କେତେ ବଢ଼ିଛି ବୋଲି ଶୋଭାଯାତ୍ରୀ ମାନେ ସ୍ଲୋଗାନ ଦେଇଥିଲେ । ଶୋଭାଯାତ୍ରୀମାନଙ୍କୁ ଗଦି ବଜାରରେ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ସମ୍ବର୍ଦ୍ଧନା ଦେଇଥିଲେ । ସମ୍ବର୍ଦ୍ଧନା ପ୍ରତିଉତ୍ତରରେ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ, ଭାରତ ଏକ କୃଷି ପ୍ରଧାନ ଦେଶ ଓ ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଏଠାରେ ଚାଷୀଙ୍କ ସ୍ୱାର୍ଥରେ ଅଣଦେଖା କରାଯାଇ କମ୍ପାନୀ ଓ କର୍ପୋରେଟମାନଙ୍କୁ ଗୁରୁତ୍ୱ ଦିଆଯାଇ ଚାଷୀଙ୍କୁ ଉପେକ୍ଷା କରାଯାଉଛି । ଚାଷୀଙ୍କୁ ସେମାନଙ୍କ ନାର୍ଯ୍ୟ ଦାବୀରୁ ବଞ୍ôଚତ କରାଯାଉଛି । ଦେଶରେ ବଡ଼ ବଡ଼ କର୍ପୋରେଟକୁ ଲକ୍ଷ ଲକ୍ଷ କୋଟିର ସହାୟତା ଦିଆ ଯାଉଛି । କିନ୍ତୁ ସାଧାରଣ ଲୋକଙ୍କୁ ମୁଠାଏ ଚାଉଳ, ୫ ଶହ ଟଙ୍କା ଭତ୍ତା ଦିଆଯାଇ ସେମାନଙ୍କୁ ମାଗଣା ଖିଆର ପ୍ରଚାର କରାଯାଉଛି । ସାଧାରତନ୍ତ୍ର ଦିବସ ଯାଏ ଏହି ଯାତ୍ରା ଏଇଥି ପାଇଁ ହେଉଛି ଯେ, ଆମ ଦେଶରେ ଏବେ ସାଧାରତନ୍ତ୍ର ବିପଦରେ । ତେଣୁ କମ୍ପାନୀରାଜ କବଳରୁ ସାଧାରଣତନ୍ତ୍ରକୁ ବଞ୍ଚାଇବା ସହ ଆଦାନିର ଓଡ଼ିଆ ବିରୋଧୀ ମନୋଭାବ ଓ ଶୋଷଣ ବିରୋଧରେ ଏହି ପଦଯାତ୍ରା ଚାଲିଛି । ପୀରହାଟ ବଜାରରେ ଲୋକଙ୍କ ସମ୍ବର୍ଦ୍ଧନା ଉତ୍ତର ଦେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଲେ ଯେ, ନବୀନ ପଟ୍ଟନାୟକ କର୍ପୋରେଟଙ୍କ ସ୍ୱାର୍ଥରେ ସବୁ କାମ କରୁଛନ୍ତି । ଓଡ଼ିଶାର ଜନଗଣଙ୍କ ସ୍ୱାର୍ଥ ତାଙ୍କ ପାଇଁ ଆଦୈ ପ୍ରାଥମିକତା ନୁହେଁ । ଏହି ସତ୍ୟର ପ୍ରଚାର ପାଇଁ ଏହି ଚାରିଦିନର ପଦ ଯାତ୍ରା । ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ନବୀନଙ୍କୁ ସମାଲୋଚନା କରି କହିଲେ ଯେ ନବୀନ ଙ୍କ ନେତୃତ୍ୱ ରେ ହିଁ ଓଡ଼ିଶା ର ଅସ୍ମିତା, ଅସ୍ଥିତ୍ ସମାପ୍ତ ହୋଇଯିବ । ଅଣଓଡ଼ିଆଙ୍କୁ ଓଡ଼ିଶାର ଶାସନ ମଙ୍ଗ ଦେବାରେ ନବୀନ ଭଗିରଥ ପାଲଟିଛନ୍ତି । ଆଜିର ପଦ ଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ଡଃ. କୁଳମଣୀ, ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀ, ଜିଲ୍ଲା ସଂଯୋଜକ ସତ୍ୟ ନାୟକ, କଟକ ସଂଯୋଜକ ବିଚିତ୍ର ପଣ୍ଡା, ନୟାଗଡ଼ ସଂଯୋଜକ ପ୍ରସନ୍ନ ପ୍ରଧାନ, ଢେଙ୍କାନାଳ ସଂଯୋଜକ ପ୍ରହଲ୍ଲାଦ ସାହୁ, ଜଗତସିଂହପୁର ସହସଂଯୋଜକ ଅଶୋକ ଶାନ୍ତି ପ୍ରମୁଖ ଯୋଗଦେଇଥିଲେ । ସେହିପରି ଗଦି ଠାରେ ସୁଦର୍ଶନ ସ୍ୱାଇଁ, ବସନ୍ତ ନାୟକ, କଂଗ୍ରେସ ମିଡିଆ ସଂଯୋଜକ ସୁବାସ ଚନ୍ଦ୍ର ନାୟକ, ପୃଥିରାଜ ନାୟକ, ଦୀପକ ଭୋଇ, ବୁଦ୍ଧିଆ ବିଶ୍ୱାଳ ଓ ପ୍ରକାଶ ସ୍ୱାଇଁ ପ୍ରମୁଖ ସ୍ୱାଗତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |