ଓଡିଆ ସଂସ୍କୃତିର ନିଆରା ପରମ୍ପରା ସପ୍ତାପୂଜା |

58

ତିହିଡି, ୧୫.୦୬: ଓଡିଆ ସଂସ୍କୃତିର ନିଆରା ପରମ୍ପରା ସପ୍ତାପୂଜା । କଳିଯୁଗର ସାକ୍ଷାତ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃଣ୍ମୟୀ ବା ଦାରୁ ମୂର୍ତ୍ତୀ ଗଢାଯାଇ ଗାଁ ଗଣ୍ଡାରେ ପୂଜାର୍ଚ୍ଚନା କରାଯାଇଥାଏ । କେତେକ ସ୍ଥଳରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ମଧ୍ୟ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ଚାଷ କାମ ଆରମ୍ଭ ପୂର୍ବରୁ ଚାଷୀ ଭଗବାନଙ୍କ ଶରଣାପନ୍ନ ହେବା ନେଇ ଏକମାତ୍ର ମାଧ୍ୟମ ଗାଁ ଗଣ୍ଡାରେ ଏହି ସପ୍ତାପୂଜା । ଯାହା ଭକ୍ତଙ୍କ ମାନସିକ ପୂରଣ କରିବାରେ ସହାୟକ ହୋଇଥାଏ ବୋଲି ଶାସ୍ତ୍ର ମତ ରହିଥିବା ବେଳେ ଏହା ମଧ୍ୟ ପୂର୍ବ ପୁରୁଷରୁ ବିଶ୍ୱାସ ରହି ଆସୁଅଛି । ସପ୍ତାହଯାକ ପ୍ରଭୁ ଜଗନ୍ନାଥଙ୍କ ଭାଗବତ ପାରାୟଣ ଶ୍ରବଣ କରି ରଥକୁ ବିଜେ କରନ୍ତି ବୋଲି ମଧ୍ୟ ଶାସ୍ତ୍ର ମତ ରହିଛି । ଏହି ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି । ରଜ ପର୍ବରେ କଳସ ଅଭିଷେକ କରାଯିବା ସହ ବିଗ୍ରହ ପୂଜା ଆରମ୍ଭ ହୋଇଥାଏ । ପ୍ରତ୍ୟେହ ଭାଗବତ ପାରାୟଣ ସହ ଭଜନ ସଂଧ୍ୟା ଅନୁଷ୍ଠିତ ହେଉଅଛି ।୧୮୬୭ ମସିହାରୁ କୁବେରା ପଞ୍ଚାୟତ ଅଧିନ କୁବେରା ଗ୍ରାମର ଜଗନ୍ନାଥ ମନ୍ଦିରରେ ଏହି ପୂଜା ଯଥାବିଧିରେ ପାଳିତ ହୋଇ ଆସୁଅଛି । ଏହି ପୂଜା ୧୧ ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ପ୍ରଭୁଙ୍କ ନାମରେ ଥିବା ଜମିବାଡିର ଆୟ ତଥା ଭକ୍ତ ଓ ଗ୍ରାମବାସୀଙ୍କ ସହଯୋଗରେ ବରଷକର ଏହି ଗୋଟିଏ ପର୍ବ ପାଳିତ ହୋଇଥାଏ । ଏହି ପୀଠର ବହୁ ମାହାତ୍ମ ରହିଛି । ଏହି ପୂଜା ପାଳନ କରାଯିବା ସହ ଗାଁର ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିଦ୍ୟାଧରପୁର କଣ୍ଟାବଣିଆରେ ବିଗତ ୩ ପୁରୁଷ ଧରି ସପ୍ତାପୂଜା ପାଳିତ ହେଉଅଛି । ଏଠାରେ କେବଳ ଜଗନ୍ନାଥଙ୍କ ବିଗ୍ରହ ପୂଜା କରାଯାଇଥାଏ । କମିଟିର ସଭାପତି ଜଗନ୍ନାଥ ନାଥ, ସମ୍ପାଦକ କୃପାସିନ୍ଧୁ ଦାସ, ପ୍ରସନ୍ନ ସାହୁ, ଗଦାଧର ନାୟକ, ହୃଷିକେଶ ସାହୁ, ରତ୍ନାକର ପାଣିଗ୍ରାହୀ, ବାବାଜୀ ଦାସ, ହୃଷିକେଶ ନାୟକ, ଜୟକୃଷ୍ଣ ସାହୁଙ୍କ ସମେତ ପୂଜକ କରୁଣାକର ତ୍ରିପାଠୀ ଓ ପ୍ରଦ୍ୟୁମ୍ନ ହୋତା ପରିଚାଳନା କରୁଛନ୍ତି । ଦୈନିକ ଭକ୍ତମାନଙ୍କ ସମାଗମ ଓ ପ୍ରସାଦ ସେବନରେ ମନ୍ଦିର ପରିସର ଉତ୍ସରମୁଖର ହୋଇଥାଏ । ସେହିପରି ସିନ୍ଦୋଳ ପଞ୍ଚାୟତ ଅଧିନ ଇନ୍ଦିରିଆ, ଆରୁହା, ଦୋଳସାହି, ତିହିଡି, କୋହ୍ଲ, କମାରିଆ, ସୟା ଆଦି ସ୍ଥାନରେ ସପ୍ତାପୂଜା ଚାଲୁଥିବା ଜଣାଯାଇଛି । ଦୈନିକ ଭାଗବତ ପାଠ, ବୈଠକ, ପ୍ରଭୁଙ୍କ ଋତିନିତି ସହିତ ଭୋଗ ଲାଗିଥାଏ । ଏହି ପରମ୍ପରାରେ ଗଁ ଗଣ୍ଡାରେ ଆଧ୍ୟାତ୍ମିକ ପରିସର ହୃଷ୍ଟି ହୋଇଥିବା ବେଶ ବାରି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।