ଡ୍ରଗ୍‍ସ ସେବନ ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କଲା ପୁଲିସ।

430

କଟକ (ଉତ୍କଳ ନ୍ୟୁଜ ) ୧୫-୦୫-୨୦୨୩ : ଡ୍ରଗ୍‍ସ ସେବନ ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କଲା ଭଦ୍ରକ ଜିଲ୍ଲା ତିହିଡି ପୁଲିସ। ଅଭ୍ୟାସଗତ ଭାବେ ଉଭୟ ଡ୍ରଗ୍ସ କିଣି ସେବନ କରିଥାନ୍ତି ମାତ୍ର ପବ୍ଲିକ ପ୍ଲେସରେ ସେବନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରୁ ସେମାନଙ୍କୁ ଧରି ପଚରା ଉଚୁରା କରିବା ପରେ ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପାଳିଆ ଗାଁର କମଳାକାନ୍ତ ସେଠୀ ଓ ରାଜେନ୍ଦ୍ର ପାତ୍ର ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି। ଏହି ବ୍ଲକ ଅଧିନ ପାଳିଆବିନ୍ଧା, ନୂଆନନ୍ଦ, ଦୋଳସାହି, ଅଚକ, ଭାଟପଡ଼ା ଆଦି ପଞ୍ଚାୟତରେ ଡ୍ରଗ୍ସ ସେବନ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ନୂଆନନ୍ଦ ପଞ୍ଚାୟତରେ ମୁରବୀମାନେ ଏକ କମିଟି ଗଠନ କରିଛନ୍ତି । ଯେଉଁମାନେ ଡ୍ରଗ୍ସ ଖାଉଛନ୍ତି ବା ଚାଲାଣ କରୁଛନ୍ତି ସେମାନଙ୍କୁ କିପରି ଖୋଜି ବାହାର କରାଯିବ ତାହାହିଁ ସେମାନଙ୍କର ଲକ୍ଷ୍ୟ ରହିଛି । ତେବେ ଶନିବାର ରାତ୍ରିରେ ପାଳିଆବିନ୍ଧା ପଞ୍ଚାୟତର ଦୁଇ ଜଣ ଯୁବକ ଡିଆସିଲିରେ କିଛି ପୁଡ଼ିଆ ରଖି ଅନ୍ୟ ଜଣକୁ ବିକ୍ରି କରୁଥିବା ଖବର ପାଇଁ ନୂଆନନ୍ଦ ପଞ୍ଚାୟତର ଏହି କମିଟିର ସଦସ୍ୟମାନେ ଘଟଣା ସ୍ଥଳରେ ପହଂଚିଥିଲେ । ତେବେ କମିଟିର ଅଭିଯୋଗ ଅନୁଯାୟୀ ଡ୍ରଗ୍ସ ନେବାକୁ ଆସିଥିବା ଗୋରାମାଟି ଅଞ୍ଚଳର ଯୁବକ ଜଣକ କୌଶଳରେ ଦୌଡ଼ି ପଳାଇଥିବା ବେଳେ ସଂପୃକ୍ତ ଦୁଇ ଯୁବକଙ୍କୁ ସେମାନେ କାବୁ କରିନେଇଥିଲେ । ଏ ନେଇ କମିଟି ପକ୍ଷରୁ ଅଭିଯୋଗ କରାଯିବା ପରେ ତିହିଡ଼ି ପୁଲିସ ଘଟଣାସ୍ଥଳରେ ପହଂଚି ଅଧିକ ଜେରା କରିବା ପାଇଁ ଉଭୟ ଯୁବକଙ୍କୁ ଥାନାକୁ ନେଇ ଆସିଥିଲା । ତେବେ ଏହି ଯୁବକ ଦୁଇଜଣ ଥାନାରେ ଯେଉଁପରି ଅଭାବନୀୟ କାଣ୍ଡ ଘଟାଇଲେ ତାହା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ଡ୍ରଗ୍ସ ବ୍ୟବସାୟ କରିବା ପାଇଁ ନୁହେଁ ବରଂ ଡ୍ରଗ୍ସ ଖାଇବା ପାଇଁ ସେମାନେ ସଂପୃକ୍ତ ନିରୋଳା ସ୍ଥାନକୁ ଯାଇଥିବା ବେଳେ ଗ୍ରାମ୍ୟ କମିଟି ହାତରେ ଧରା ପଡ଼ିଥିଲେ ବୋଲି ପୁଲିସ ଜେରା ସମୟରେ ଜାଣିବାକୁ ପାଇଥିଲା । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଡ୍ରଗ୍ସ ଖାଇଥିବା ବା ଖାଇନଥିବା କାରଣରୁ ଥାନା ଭିତରେ ଏହି ଦୁଇ ଯୁବକଙ୍କ ମାନସିକ ଓ ଶାରିରୀକ ଅବସ୍ଥା ଦେଖିବା ପରେ ପୁଲିସ ସେମାନଙ୍କୁ ଥାନା ପରିସରରେ ଅଧିକ ସମୟ ଅଟକାଇ ନଥିଲା। ସୂଚନା ଯୋଗ୍ୟ, ଚୋରା କୋଇଲା ମାଫିଆମାନେ ସ୍ଥାନୀୟ ଯୁବକଙ୍କୁ ଡ୍ରଗ୍ସ ଦେଇ ନିଜ ଅଧୀନକୁ ଆଣୁଛନ୍ତି ଓ ପରେ ସେମାନଙ୍କୁ ଚୋରା କୋଇଲା ବ୍ୟବସାୟରେ ନିୟୋଜିତ କରୁଛନ୍ତି । ଡ୍ରଗ୍ସ ଖାଇବା ପାଇଁ ଯାହା ଅର୍ଥ ଆବଶ୍ୟକ ତାହା ଚୋରା କୋଇଲା ବ୍ୟବସାୟରୁ ମିଳିଯାଉଛି । ଆଖପାଖ ଗ୍ରାମରେ ବହୁ ଯୁବକ ଡ୍ରଗ୍ସ କବଳରେ ଫସିଯିବା ପରେ ସେମାନଙ୍କୁ ସଠିକ ରାସ୍ତାକୁ ଆଣିବା ପାଇଁ ପାଇଁ ନୂଆନନ୍ଦରେ ଆଣ୍ଟି ଡ୍ରଗ୍ସ କମିଟି ଗଢ଼ାଯାଇ ନିଜ ଅଞ୍ଚଳର ଯୁବକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି । ପୁଲିସର କ୍ଷମତା ସୀମିତ ଓ ସେମାନେ ବିଭିନ୍ନ କାର୍ଯ୍ୟ ନେଇ ଅଧିକ ଭାରାକ୍ରାନ୍ତ ରହୁଥିବା କାରଣରୁ ଧଳା ଜହର ବ୍ୟବସାୟକୁ ନିରୁତ୍ସାହିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କର ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନୂଆନନ୍ଦ ପରି ଅନ୍ୟ ପଞ୍ଚାୟତରେ ଯଦି ଏହିପରି କମିଟି ଗଠନ କରାଯାଇ ଡ୍ରଗ୍ସ ବ୍ୟବସାୟ ଓ ଖାଇବା ଉପରେ ନଜର ରଖାଯାଇ ପାରନ୍ତା ଯୁବକମାନେ ଅଧିକ ପଥଭ୍ରଷ୍ଟ ହୁଏନ୍ତେ ନାହିଁ ବୋଲି ମତ ପ୍ରକାଶ ପାଉଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।