କଳା ପଲସରରେ ଛିନତାଇ ଆତଙ୍କର ପର୍ଦ୍ଦାଫାସ, ଅଭିଯୁକ୍ତ ନାବାଳକକୁ ସୁଧାର ଗୃହକୁ ପ୍ରେରଣ, ପଲସର ଓ ୬ ମୋବାଇଲ ଫୋନ ଜବତ।

341

କଟକ (ଉତ୍କଳ ନ୍ୟୁଜ) ୧୫-୦୪-୨୦୨୩ : ବିଗତ ଏକ ସପ୍ତାହ ଧରି ଭଦ୍ରକ ଜିଲ୍ଲା ତିହିଡ଼ି ଥାନାଧିନ ବିଭିନ୍ନ ସ୍ଥାନରେ ଛିନତାଇ କରି ଆତଙ୍କ ସୃଷ୍ଟି କରିଥିବା ଗୋଷ୍ଠୀର ପର୍ଦ୍ଦଫାସ କରିଛି ପୋଲିସ। ତେବେ ଏହି ଗୋଷ୍ଠୀର ନୂଆନନ୍ଦ ଅଞ୍ଚଳର ଜଣେ ନାବାଳକୁ ପୁଲିସ ଧରିଥିବା ବେଳେ ଏହି ଗୋଷ୍ଠୀରେ ଅନ୍ୟ ଦୁଇଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଚାନ୍ଦାବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ତିହିଡ଼ି ଥାନାଧିନ ସତସଙ୍ଗ ବିହାର, ଆଇଟିଆଇ, ରାଣୀପୁର, କଲେଜ ଛକ-ହରିପୁର ରାସ୍ତା, କୁବେରା, ବଉଳପାଳ- କାଳୀମେଘା ରାସ୍ତାରେ ନିରୋଳା ସମୟରେ ଦୁର୍ବୁତ୍ତମାନେ ଏକ ସପ୍ତାହ ମଧ୍ୟରେ କଲେଜ ଛାତ୍ରୀଙ୍କ ଠାରୁ ବହୁ ମୋବାଇଲ ଫୋନ ଓ ସେମାନଙ୍କର ବ୍ୟାଗ ଛଡ଼ାଇନେଇଥିଲେ । ମୋବାଇଲ ଫୋନରେ କଥା ହେଉଥିବା କେତେକ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରି ସଫଳ ହୋଇଥିଲେ । ଦୁର୍ବୁତ୍ତମାନେ ମୁହଁରେ କପଡ଼ା ବାନ୍ଧି ଛିନତାଇ କରିବା ପରେ ଯେଉଁ ବେଗରେ ଗାଡ଼ି ଚଳାଉଥିଲେ ସେଥିରେ ସାଧାରଣ ଲୋକେ ଭୟଭୀତ ହୋଇ ଯାଉଥିଲେ । ଲଗାତାର ଛିନତାଇକୁ ନେଇ ଜନସାଧାରଙ୍କ ମଧ୍ୟରେ କ୍ରମଶଃ କ୍ଷୋଭ ବୃଦ୍ଧି ପାଉଥିବା ବେଳେ ପୁଲିସ ପାଇଁ ମଧ୍ୟ ଏହା ମୁଣ୍ଡବ୍ୟଥାର କାରଣ ସାଜିଥିଲା । ତେବେ ତିହିଡ଼ି ଥାନା ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ହାଫିଜଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମଙ୍ଗରାଜପୁର ଛକରୁ ସଂପୃକ୍ତ ନାବାଳକକୁ ଧରା ଯାଇଥିଲା । ତେବେ ତାହା ସହ ଉପସ୍ଥିତ ଥିବା ଅନ୍ୟ ଜଣେ କୌଶଳ କ୍ରମେ ଖସି ଯାଇଥିଲା । ନାବାଳକ ଠାରୁ ତଥ୍ୟ ହାସଲ କରି ଜଣେ ମୋବାଇଲ ଦୋକାନୀକୁ ମଧ୍ୟ ପଚରା ଉଚୁରା କରାଯାଇଛି । ଆହୁରି ମଧ୍ୟ ଛିନତାଇ କରିଥିବା ଏକ ବ୍ୟାଗରୁ ମିଳିଥିବା ଏକ ଏଟିଏମ କାର୍ଡ଼ରୁ ଦୁଇ ହଜାର ଟଙ୍କା ଉଠାଇଥିବା ନାବାଳକ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।