ତିହିଡିରେ ବିଭିନ୍ନ ସ୍ଥାନରେ ଛିନ୍ତାଇ, ପୋଲିସର ଖୋଳତାଡ ଆରମ୍ଭ।

296

କଟକ (ଉତ୍କଳ ନ୍ୟୁଜ ) ୧୧-୦୪-୨୦୧୩ : ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ବିଭିନ୍ନ ସ୍ଥାନରେ ଛିନ୍ତାଇ ହୋଇଥିବାର ସୂଚନା ମିଳିଛି। ବିଗତ ୫ ଦିନ ମଧ୍ୟାହ୍ନରେ ୪ଟି ସ୍ଥାନରେ ଏପରି ଛିନ୍ତାଇ ହୋଇଛି ଏବଂ ଲଗାତର ଏପରି ଛିନ୍ତାଇର ମୁକାବିଲା କରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଦିନଦହାଡେ ଉଶୃଙ୍ଖଳିତ ତଥା ପଥଭ୍ରଷ୍ଟ ଯୁବକ ନିଜର ନିଶା ଲାଳସାକୁ ଚରିତ୍ରାର୍ଥ କରିବା ଉଦ୍ଦେଶ୍ଯରେ ଏପରି ଜଘନ୍ଯ ଅପରାଧ କରୁଥିବା ପୋଲିସ ଜାଣିବାକୁ ପାଇଛି। ସୂଚନା ମୁତାବକ, ମଙ୍ଗଳବାର ଦୁଇ କଲେଜ ଛାତ୍ରୀ ନିଜ ସାଇକେଲରେ ଘର ନନ୍ଦପୁରକୁ ଫେରୁଥିବା ବେଳେ ଦିବା ପ୍ରାୟ ଦେଢ ଘଟିକା ସମୟରେ ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥ ସ୍ଥାନୀୟ ଜୟଗୁରୁ ମନ୍ଦିର ନିକଟରେ ଲୁଟର ଶିକାର ହୋଇଥିଲେ। ପଛ ପଟରୁ ୩ ଜଣ ଏକ କଳା ବାଇକରେ ଆସି ସାଇକେଲ ବାସକେଟରେ ଥିବା ଦୁଇଟି ବ୍ୟାଗ ନେଇ ଭଦ୍ରକ ଅଭିମୁଖେ ଚମ୍ପଟ ମାରିଥିଲେ। ବିଚରା କଲେଜ ଛାତ୍ରୀ ଦ୍ବୟ ତତକ୍ଷଣାତ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଗକାକାଲି ଏହି ରାଜ୍ଯ ରାଜପଥ ରାଣିପୁର ଠାରେ ଜଣେ ଛିନ୍ତାଇର ଶିକାର ହୋଇଥିବା ବେଳେ ଆରସା ଓ ବାରୋ ଅଞ୍ଚଳରେ ପୃଥକ ଭାବେ ଦୁଇଜଣ ଏପରି ଛିନ୍ତାଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ବ୍ୟାଗରୁ ମୋବାଇଲ ଓ ନଗଦ ଟଙ୍କା ନେଇ ରାସ୍ତାରେ ବ୍ୟାଗକୁ ଫିଙ୍ଗି ଦେଉଥିବା ଜଣା ଯାଇଛି। ତେବେ ପୋଲିସ ଆଗକୁ କି ପ୍ରକାର ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ | ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।