ନାବାଳିକା ବେଳେ ପ୍ରେମ ପାଇଁ ଘର ଛାଡିଲେ, ସାବାଳିକା ହେବାପରେ ବାହା ହେଲେ ।

235

କଟକ (ଉତ୍କଳ ନ୍ୟୁଜ) ୧୪-୧୧-୨୦୨୨ : ନାବାଳିକା ବେଳେ ପ୍ରେମରେ ପଡିଲେ। ଘର ଲୋକେ ଜାଣିବା ପରେ ଆକଟ କଲେ । ଏମିତି ସ୍ଥିତିରେ ଘର ଛାଡିଥିଲେ ନାବାଳିକା। ଘର ଲୋକେ ଯୁବକଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିଲେ, କିନ୍ତୁ ନାବାଳିକା ଘରକୁ ଫେରିଲେ ନାହିଁ। ବୟସ ହେବା ପରେ ସେହି ଯୁବକଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଦେଖିବା ଭଦ୍ରକର ଏହି ପ୍ରେମୀ ଯୁଗଳଙ୍କ ଏକାଠି ହେବାର କାହାଣୀ। ପ୍ରାପ୍ତ ବୟସ ହୋଇ ନଥିଲେ କିନ୍ତୁ ପ୍ରେମ ରେ ପଡ଼ିଥିଲେ ପ୍ରୀତିଶ୍ରୀ। ଘର ଲୋକେ ଜାଣିବା ପରେ ଆକଟ କରିଥିଲେ। ଏମିତି କି ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ପ୍ରୀତିଶ୍ରୀ ଘରୁ ପଳାଇଥିଲେ। ପରିବାର ଲୋକେ ପ୍ରୀତିଶ୍ରୀ ଭଲ ପାଉଥିବା ଯୁବକ ଅଶୋକଙ୍କ ବିରୋଧରେ ଧୁଷୁରୀ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ସେତେବେଳେ ନାବାଳିକା ଥିବା ପ୍ରୀତିଶ୍ରୀଙ୍କୁ ତାଙ୍କ ସାଙ୍ଗ ଘରୁ ଉଦ୍ଧାର କରି କୋର୍ଟରେ ହାଜର କରାଇବା ସହ ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲା। କିନ୍ତୁ ପ୍ରୀତିଶ୍ରୀ ଘରକୁ ଯିବାକୁ ରାଜି ନହେବାରୁ ତାଙ୍କୁ ଭଦ୍ରକ ମୁକ୍ତାଶୟ କେନ୍ଦ୍ର ଆସିୟନାକୁ ଛଡ଼ା ଯାଇଥିଲା। ଆଉ ଏବେ ବୟସ ହେବାରୁ ବାହା ହୋଇଛନ୍ତି ପ୍ରେମୀ ଯୁଗଳ । ପ୍ରୀତିଶ୍ରୀଙ୍କୁ ଘର ଲୋକେ ଘରକୁ ଫେରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପ୍ରୀତିଶ୍ରୀ ଘରକୁ ଫେରିନଥିଲେ। ପ୍ରାପ୍ତ ବୟସରେ ପହଂଚିବା ପରେ ତାଙ୍କୁ କାଉଁସିଲିଂ କରା ଯାଇଥିଲା। କିନ୍ତୁ ପ୍ରୀତିଶ୍ରୀ ଅଶୋକଙ୍କୁ ବିବାହ କରିବା ନେଇ କହିଥିଲେ। ଶେଷରେ ଆସିୟନା ତରଫରୁ ଉଭୟ ପରିବାରକୁ ଯୋଗାଯୋଗ କରା ଯାଇଥିଲା । ପ୍ରୀତିଙ୍କ ପରିବାର ବିବାହ ପାଇଁ ଅରାଜି ଥିବା ଲିଖିତ ଭାବେ ଜଣାଇ ଥିଲେ। କିନ୍ତୁ ଅଶୋକଙ୍କ ପରିବାର ତାଙ୍କୁ ବୋହୁ ଭାବେ ଗ୍ରହଣ ପାଇଁ ରାଜି ହୋଇଥିଲେ। ତେଣୁ ଉଭୟଙ୍କ ମତକୁ ନେଇ ଭଦ୍ରକ ସହରର ବାବା ଲୋକନାଥଙ୍କ ମନ୍ଦିରରେ ବିବାହ ହୋଇଛି। ବିଳମ୍ବରେ ହେଲେ ମଧ୍ଯ ଏକାଠି ହୋଇଛନ୍ତି ପ୍ରେମୀ ଯୁଗଳ। ଆଉ ଆସିୟନା ତରଫରୁ ଏହି ପ୍ରୟାସକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |