ବାଇକ ଚୋରୀ ରାକେଟ ଠାବ, ୭ ଚୋର ଗିରଫ, ୫ଟି ବାଇକ ଜବତ ।

329

କଟକ (ଉତ୍କଳ ନ୍ୟୁଜ) ୧୩-୦୯-୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ବିଭିନ୍ନ ସମୟରେ ବାଇକ୍ ଚୋରୀକୁ ନେଇ ପୋଲିସ ପକ୍ଷରୁ ଚାଲୁ ରହିଥିବା ତନାଘନାରେ ୭ ଜଣ ଚୋରକୁ ଗିରଫ କରା ଯାଇଛି। ତଦନ୍ତ ବେଳେ ସେମାନଙ୍କ ମଧ୍ଯରୁ ଅଧିକାଂଶ ଅଭ୍ୟାସ ଗତ ବୋଲି ପୋଲିସ ଜାଣିବାକୁ ପାଇଛି। ୨ଟି ମାମଲାରେ ଏକସଂଗେ ୭ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରା ଯାଇଛି। ଏଥିସହ ସେମାନଙ୍କ ନିକଟରୁ ୫ଟି ବାଇକ ସହ ନଗଦ ଟଙ୍କା ବାଇକ୍ ଗ୍ୟାରେଜ ରେ ଖୋଲା ଯାଇଥିବା ବାଇକ୍ ଗୁଡିକର ପାର୍ଟସ ମଧ୍ଯ ଜବତ ହୋଇଛି। ସୂଚନା ମୁତାବକ, ଚଳିତ ମାସ ୧୦ ତାରିଖ ରାତିରେ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆରେ ଏକ ଚାହା ପାନ ଦୋକାନ ଭଙ୍ଗାଯାଇ ନଗଦ୍ ଟଙ୍କା ସମେତ ସାମଗ୍ରୀ ଚୋରୀ ହୋଇଥିବା ଦୋକାନୀ ସୁରେଶ ନାୟକ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଚୋରୀ ସମୟର ଭିଡିଓ ହସ୍ତଗତ ହେବାପରେ ପୋଲିସ ରାଢଙ୍ଗ ଗ୍ରାମର ଚୁଂଚୁଲା ଓରଫ ପରମେଶ୍ୱର ନାୟକ ସମେତ ତାଳପଦା ଗ୍ରାମର ଚନ୍ଦନ ବେହେରାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ନଗଦ୍ ଟଙ୍କା ସମେତ ଏକ ଚୋରା ବାଇକ (ଆପାଚି) ଜବତ କରା ଯାଇଥିଲା। ପଚରା ଉଚୁରା ସମୟରେ ବାଇକ ଚୋରୀର ଏକ ରାକେଟ ସମ୍ପର୍କରେ ସୂଚନା ପାଇ ତାଳପଦା ଗ୍ରାମରେ କାଳିଆ ଓରଫ ଦୀପକ ନାୟକଙ୍କ ଘରେ ଅଚାନକ ରାତିଅଧିଆ ଚଢାଉ କରା ଯାଇଥିଲା। ସେଠାରେ ଯାଜପୁର ଅଞ୍ଚଳର ରାଜୁ ଓରଫ ରାଜେଶ ମଳିକ, ହିମାଂଶୁ ଶେଖର ମଳିକ ଓ ପପୁନୁ ସେଠୀ ପ୍ରମୁଖକୁ ଧରା ଯାଇଥିଲା। ତଦନ୍ତ ବେଳେ ସେମାନେ ସମସ୍ତେ ମିଳିମିଶି ବାଇକ ଚୋରୀ କରି ଅନ୍ଯତ୍ର ବିକିଥାନ୍ତି ବୋଲି ସତ ଓଗାଳିଥିଲା କାଳିଆ। କାଳିଆ ଘରୁ ୫ଟି ଚୋରା ବାଇକ୍ ଜବତ ହୋଇଥିଲା। ଏଥିସହ ସେମାନଙ୍କ ନିକଟରୁ ସୂଚନା ନେଇ ଦୋଳସାହିସ୍ଥିତ କେଦାରପୁର ଗାଁର ବାଇକ ଦୋକାନୀ ସୂର୍ଯ୍ୟକାନ୍ତ ଦାସଙ୍କୁ ଗିରଫ କରା ଯାଇଛି। କିଛିଦିନ ତଳେ ଏହି ଚୋରମାନେ ସୂର୍ଯ୍ୟକାନ୍ତଙ୍କୁ ୨ଟି ବାଇକ ବିକିଥିଲେ। ସେଗୁଡିକ ସେ ଖୋଲି ଗୋଟି ଗୋଟି ପାର୍ଟସ୍ ବିକୁଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଚଢାଉ ସମୟରେ ମଧ୍ଯ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ପୁରୁଣା ପାର୍ଟସ୍ ଜବତ କରିଛି। ଏତଦବ୍ୟତିତ ଏହି ଚୋର ମାନଙ୍କର ଭଦ୍ରକ ଜିଲ୍ଲା ସମେତ ଅନ୍ଯ ଜିଲ୍ଲାରେ ଚୋରୀ ଘଟଣାରେ ଏକାଧିକ ମାମଲା ରୁଜୁ ହୋଇଥିବା ତିହିଡି ପୋଲିସ ଏହି ଦୁଇ ମାମଲାର ତଦନ୍ତ ସମୟରେ ଜାଣିବାକୁ ପାଇଛି ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |