ଚେକ ବାଉନ୍ସ ମାମଲାରେ ଶିକ୍ଷକ ନେତା ଉତ୍ତମ ଦାସଙ୍କୁ ଜେଲ ଦଣ୍ଡ |

761

କଟକ(ଉତ୍କଳ ନିଉଜ)୧୨/୦୯/୨୦୨୨ :ଚେକ ବାଉନ୍ସ ମାମଲାରେ ଶିକ୍ଷକ ନେତା ଉତ୍ତମ ଦାସଙ୍କୁ ଜେଲ ଦଣ୍ଡ । ଶ୍ରୀ ଦାସ ଧାମନଗର ବ୍ଲକ ଅଧିନ ଦୋବଲ ଗ୍ରାମ ଭାଗିରଥି ଦାସଙ୍କ ପୁଅ ଅଧୁନା ଭଦ୍ରକ ବାଇପାସରେ ଘର ଭଡା ନେଇ ରହୁଥିବା ଜଣାଯାଇଛି । ସୋମବାର ଭଦ୍ରକ ମାନ୍ୟବର ଏସଡିଜେଏମ କୋର୍ଟରେ ତାଙ୍କ ବିରୋଧରେ ଆଗତ ଦୁଇ ଗୋଟି ଚେକ ବାଉନ୍ସ ମାମଲାରେ ବିଚାର ହୋଇଥିଲା । ଉକ୍ତ ମାମଲାରେ ଉତ୍ତମ ଦାସଙ୍କୁ ଚରମ୍ପା ବିଶାଣି ଖରିଦା ଗ୍ରାମର ପ୍ରମୋଦ କୁମାର ବନ୍ଧଙ୍କୁ ଚେକ୍ ଦେଇ ତାଙ୍କ ପାଖରୁ ୩ ଲକ୍ଷ ଟଙ୍କା ନେଇଥିବା ଓ କୋଡବରୁଁଆ ଗ୍ରାମର ରମେଶ ପଣ୍ଡିତଙ୍କୁ ଚେକ ଦେଇ ୨ ଲକ୍ଷ ପଚାଶ ହଜାର ଟଙ୍କା ନେଇ ଫେରେଇ ନଥିବା ଅପରାଧରେ ୩ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭଦ୍ରକ ମାନ୍ୟବର ଏସ.ଡି.ଜେ.ଏମ. ଶ୍ରୀ ଚିନ୍ମୟ କୁମାର ପାଢୀ । ଭଦ୍ରକରେ ଏହି ଶିକ୍ଷକ ନେତା ତଥା ଚରମ୍ପା ଡାହାଣି ଗଡିଆ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଉତ୍ତମ କୁମାର ଦାସ ନିଜର ଗୃହ ନିର୍ମାଣ ପାଇଁ ଜମି କ୍ରୟ କରିବାକୁ ପ୍ରମୋଦ କୁମାର ଦାସଙ୍କ ପାଖରୁ ୩ ଲକ୍ଷ ଟଙ୍କା ଗତ ୨୦୧୯ ମସିହା ଡିସେମ୍ବର ମାସ ୫ ତାରିଖରେ ନେଇଥିଲା ଓ ସେ ପରିଶୋଧ ପାଇଁ ମାଗିବାରୁ ଉତ୍ତମ ଭଦ୍ରକ କଚେରୀ ବଜାର ମୁଖ୍ୟ ଶାଖାର ଏକ ଚେକ୍ ପ୍ରଦାନ କରିଥିଲା । ଯାହା ବାଉନ୍ସ ହୋଇ ଯାଇଥିଲା । ସେଥିପାଇଁ ସେ ଏସଡିଜେଏମ କୋର୍ଟରେ ଏକ କେସ ନମ୍ବର ୪୭/୨୧ରେ ଏକ ମାମଲା ରୁଜୁ କରିଥିଲେ । ସେହିପରି ରମେଶ ପଣ୍ଡିତଙ୍କର ୨ ପୁଅଙ୍କୁ ଚାକିରୀ କରାଇ ଦେବା କହି ତାଙ୍କ ପାଖରୁ ୨ ଲକ୍ଷ ୫୦ ହଜାର ଟଙ୍କା ନେଇ ଚାକିରୀ ଦେଇ ନ ଥିଲା । ପରେ ସେ ଟଙ୍କା ଦାବି କରିବାରୁ ତାଙ୍କୁ ମଧ୍ୟ ସେହିପରି ଚେକ୍ ଦେଇଥିଲା ଯାହା ପରେ ବାଉନ୍ସ ହୋଇ ଯାଇଥିଲା । ସେ ମଧ୍ୟ ତାଙ୍କ ବିରୁଦ୍ଧରେ ଏସଡିଜେଏମ କୋର୍ଟରେ ଅନ୍ୟ ଏକ କେସ ନମ୍ବର ୭୮/୨୧ ରେ ଏକ ମାମଲା ରୁଜୁ କରିଥିଲେ । ଉଭୟ ମାମଲାକୁ ବିଚାର କରି ମାନ୍ୟବର କୋର୍ଟ ଅଲଗା ଅଲଗା ଭାବରେ ଉତ୍ତମକୁ ୩ ମାସ ସଶ୍ରମ କାରାଦଣ୍ଡ ସହିତ ସୁଧ ସହ ମୋଟ ଟଙ୍କା ଫେରେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୋଦ ବନ୍ଧଙ୍କ ପାଇଁ ଭଦ୍ରକର ଆଇନଜୀବୀ ଗଦାଧର ବଳ ଓ ଜୟନ୍ତ କୁମାର ଭୋଇ ମାମଲା ପରିଚାଳନା କରୁଥିଲେ । ପ୍ରକାଶ ଥାଉକି ଉତ୍ତମ ଦାସ ଭଦ୍ରକର ବହୁ ଲୋକମାନଙ୍କ ପାଖରୁ ବିଭିନ୍ନ କାମ କରେଇ ଦେବା କହି ଠକେଇ କରି ଲକ୍ଷାଧିକ ଟଙ୍କା ହଡପ କରିଥିଭା ଚର୍ଚ୍ଚାକୁ ଆସୁଛି । ସେମାନେ ଟଙ୍କା ଫେରସ୍ତ ପାଇଁ ଦାବି କଲେ ଏମିତି ଚେକ୍ ଦେଇ ସେମାନଙ୍କୁ ସନ୍ତୁଷ୍ଟ କରି ଦେଉଥିଲା ଏହି ଶିକ୍ଷକ ନେତା । ଠକେଇ ଅପରାଧରେ ବିଭିନ୍ନ ସମୟରେ ଜେଲରେ ମଧ୍ୟ ରହି ଜାମିନରେ ମୁକ୍ତ ହୋଇଛନ୍ତି ଏବଂ ଉପରିସ୍ଥ ଅଧିକାରୀଙ୍କୁ ହାତବାରିଶି କରି ଅଦ୍ୟାବଧି ତାଙ୍କର ଚାକିରୀରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନି । ଜିଲ୍ଲା ଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ୱ ସହ ବହନ କରିବା ସହିତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଆଲୋଚନା ଜୋର ଧରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |