ଗର୍ଭବତୀଙ୍କୁ ହତ୍ୟା ଘଟଣା, ଶ୍ୱଶୁର ଓ ଦିଅର ଗିରଫ୍ |

1178

କଟକ(ଉତ୍କଳ ନିଉଜ)୧୧/୦୯/୨୦୨୨ : ଗର୍ଭବତୀଙ୍କୁ ହତ୍ୟା ଘଟଣା, ଶ୍ୱଶୁର ଓ ଦିଅର ଗିରଫ୍ । ତେବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଧରାନଗଲେ ଆଗାମି ଦିନରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି କରାଯିବ ବୋଲି ମୃତାଙ୍କ ବାପ ଘର ଲୋକଙ୍କ ପକ୍ଷରୁ ଚେତାବନି ଦିଆଯାଇଛି । ଏଥିସହ ଯୌତୁକ ସାମଗ୍ରୀ ଫେରସ୍ଥ କରାଯିବାକୁ ଦାବି ମଧ୍ୟ କରାଯାଇଛି । ସୂଚନା ମୁତାବକ, ଚାନ୍ଦବାଲି ଥାନାଧିନ ବାଲିଗାଁ ଗଜଗିରି ଗାଁର ଜଣେ ନବ ବିବାହିତ ତଥା ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ୱାମୀଙ୍କ ଅନୁପସ୍ଥିତିରେ ଶାଶୁ, ଶ୍ୱଶୁର, ନଣଦ ଓ ଦିଅର ପ୍ରମଖ ଏକ ପ୍ରକାର ସୁପରିକଳ୍ପିତ ହତ୍ୟା କରିଥିବା ନେଇ ଥାନାରେ ଏକ ମାମଲା ୨୮୬/୨୨, ଦଫା ୪୯୮(ଏ), ୩୦୨, ୩୦୪(ବି) ଓ ୩୪ ଆଇପିସି ସମେତ ୪ ଡିପି ଏକ୍ଟ ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତାଙ୍କ ଶ୍ୱଶୁର ଅଜୟ ଦାସ ଓ ଦିଅର ଶ୍ରୀନାଥ ଦାସଙ୍କୁ ପୋଲିସ ଗିରଫ୍ କରିଛି । ସୂଚନା ମୁତାବକ, ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ଦପା ଗ୍ରାମର ପିତବାସ ଦାସଙ୍କ ଝିଅ ମଞ୍ଜୁଲତା ଦାସ ସହିତ ଚାନ୍ଦବାଲି ବାଲିଗାଁ ଗଜଗିରି ଗାଁର ଅଜୟ ମଳିକଙ୍କ ପୁଅ ସହିତ ଚଳିତ ବର୍ଷ ଜୈଷ୍ଠ ମାସରେ ବୈଦ୍ଦିକ ଋତିରେ ବିବାହ ହୋଇଥିଲା । ନଗତ ୫୦ ହଜାର ଟଙ୍କା ସମେତ ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଯୌତୁକ ଭାବେ ଦେଇଥିଲେ ।

ବିବାହର ମାତ୍ର ଆଠ ଦିନ ପରେ ଅଧିକ ଯୌତୁକ ଦାବିରେ ସ୍ୱାମୀ ସମେତ ପରିବାର ସମସ୍ତ ସଦସ୍ୟ ମଞ୍ଜୁଲତାଙ୍କୁ ନାନାଦି ଅତ୍ୟାଚାର କରୁଥିବା ବାପ ଘର ଲୋକେ ମଞ୍ଜୁଲତାଙ୍କ ଠାରୁ ଫୋନ୍ ଯୋଗେ ଜାଣିବାକୁ ପାଇଥିଲେ । ତେବେ ବୁଝାସୁଝା କରାଇ ମଞ୍ଜୁଲତାକୁ ସେଠାରେ ରହିବାକୁ ବାପଘର ଲୋକେ ପରାମର୍ଶ ଦେଇ ଆସୁଥିଲେ । ଗତ ୭ ତାରିଖରେ ମଞ୍ଜୁଲତା ବାପଘର ଲୋକଙ୍କ ସହିତ ଭଲଭାବେ କଥା ହୋଇଥିଲା ଏବଂ ଅଧିକ ଯୌତୁକ ୫୦ ହଜାର ଟଙ୍କା ଦିଆନଗଲେ ତାକୁ ଜୀବନରୁ ମାରି ଦେବାକୁ ଶ୍ୱଶୁର ଘର ଲୋକେ ଯୋଜନା କରୁଥିବା କହିଥିଲା । ଏପରିସ୍ଥଳରେ ଗତ ଗୁରୁବାର ସକାଳେ ମଞ୍ଜୁଲତା ରଶି ଲଗେଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘରଲୋକେ ମଞ୍ଜୁଲତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ । ଚାନ୍ଦବାଲି ମେଡିକାଲ ଯାଇ ଦେଖନ୍ତି ତ ମଞ୍ଜୁଲତାର ଶବ ପଡିଛି । ତେବେ ପଚରା ଉଚୁରା କରିବା ପରେ ଘରେ ରଶି ଲଗେଇ ଆତ୍ମହତ୍ୟା କରିଥିବା କୌଣସି ପ୍ରମାଣ ବାପ ଘର ଲୋକେ ଜାଣିବାକୁ ପାଇନଥିଲେ । ଯୋଜନାବଦ୍ଧ ଭାବେ ତାକୁ ହତ୍ୟା କରାଯାଇଥିବା ନେଇ ମଞ୍ଜୁଲତାର ବାପା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |