କୋଇଲା ମାଫିଆ ତଥା ବିଜେଡି କର୍ମୀଙ୍କ ସମେତ ୩ ଗିରଫ୍‌ |

1149

କଟକ(ଉତ୍କଳ ନିଉଜ)୦୮/୦୯/୨୦୨୨ : କୁଖ୍ୟାତ କୋଇଲା ମାଫିଆ ତଥା ବିଜେଡି କର୍ମୀ ବାପି ଓରଫ୍ ବସନ୍ତ ସାମଲଙ୍କ ସମେତ ଚାଳକ ଓ ସହଯୋଗି ମୋଟ୍ ୩ ଜଣ ଗିରଫ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ବାପି ବିରୋଧରେ ତିହିଡି, ପୀରହାଟ, ବାଂଶଡା, ଚାନ୍ଦବାଲି ଓ ରାଜକନିକା ଥାନାରେ ୧୦ରୁ ଉର୍ଦ୍ଧ ଚୋରା କୋଇଲା ବେପାର କରୁଥିବା ନେଇ ମାମଲା ରୁଜୁ ହୋଇଥିଲା । ମାତ୍ର ବିଭିନ୍ନ ଶୈଳୀରେ ସେ ଖସି ପଳେଇ ଯାଉଥିଲା । ମାତ୍ର ଗତକାଲି ଚୋରା କୋଇଲା କାରବାରରେ ସଂପୃକ୍ତ ଚାଳକ ଓ ସହଯୋଗି ଗିରଫ୍ ହେବା ପରେ ପୋଲିସ ଖୋଜିଥିଲା ବାପିକୁ । ମାଫିଆରାଜ ପରି ଘରେ ବସି ବିଭିନ୍ନ ଲୋକଙ୍କ ଜରିଆରେ ଚୋରା କୋଇଲା ଚାଲାଣ କରୁଥିଲା । ଯାହାକୁ ପୀରହାଟ ପୋଲିସ ଧରିବାରେ ସକ୍ଷମ ହୋଇଛି । କୌଣସି ସୂତ୍ରରୁ ଖବର ପାଇଁ ବାପିର ପିଛା କରିଥିଲା ପୋଲିସ । ବାପି ଏକ କାରରେ ଭଦ୍ରକ ଯାଉଥିବା ବେଳେ ସିନ୍ଦୋଳ ଛକରେ ମାଡି ବସିଥିଲା ପୋଲିସ । ଏବଂ ଯେଉଁ ଦଫା ବଳରେ କୋର୍ଟ ଚାଲାଣ ହୋଇଛି ସେଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାର ସମ୍ଭାବନା ରହିଥିବା ବେଶ ବାରି ହେଉଛି ।

ବାପିର ଘର ବାଂଶଡା ଥାନା ମାଣିପୁର ନୂଆସାହି ଗାଁର । ଗତକାଲି ଏକ ଚୋରା କୋଇଲା ଚାଲାଣ କରୁଥିବା ଏକ ପିକ୍‌ଅପ୍ ଭେନକୁ ଧରିଥିଲା ପୀରହାଟ ପୋଲିସ । ମାଣିପୁରରୁ କୋଇଲା ବୋଝେଇ କରି ବାହାରକୁ ଚାଲାଣ ହେଉଥିବା ବେଳେ ପୀରହାଟ ପୋଲିସ ହାବୁଡରେ ପଡିଥିଲା । ଗାଡିକୁ ଜବତ୍ କରିବା ସହିତ ଚାଳକ ବାଟୁଆ ଓରଫ୍ ବାସୁଦେବ ଦାସ ଓ ସହଯୋଗି ଜଳୁ ଓରଫ୍ ତମ୍ବୁ ରାମକୁ ପୋଲିସ ଗିରଫ୍ କରିଛି । ଏନେଇ ଥାନାରେ ଏକ ମାମଲା ୧୪୫/୨୨, ଦଫା ୩୭୯, ୪୧୧, ୪୧୩ ଓ ୩୪ ଆଇପିସି ରୁଜୁ କରାଯାଇଛି । ଏପରି ଚୋରା କାରବାରରେ କୁଖ୍ୟାତ ମାଫିଆ ବାପିର ବାରମ୍ବାର ସଂପୃକ୍ତିକୁ ପୋଲିସ ୪୧୩ ପରି ସଂଗୀନ ଦଫା ରୁଜୁ କରିବାକୁ ବାଧ୍ୟ ହୋଇଥିବା ଜଣାଯାଇଛି । ସୂଚନା ଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଞ୍ଚଳରେ କୋଇଲା ଚୋର ଓ ମାଫିଆଙ୍କ ନିଦ ହଜି ଗଲାଣି । ଲଗାତର ଚଢାଉ କରାଯାଉଥିବା ବେଳେ ଏକାଧିନ ଅଭିଯୁକ୍ତ ମଧ୍ୟ ଧରା ପଡୁଛନ୍ତି । ଏଥିସହ ଚୋରା ଚାଲାଣରେ ଜଡିତ ଗାଡି ମଧ୍ୟ ଜବତ୍ ହେଉଛି । ତେବେ ଚଳନ୍ତା ରେଳରୁ କୋଇଲା ସଂଗ୍ରହ ସଂପ୍ରତି ଏକ ପ୍ରକାର ସାମାଜିକ ବ୍ୟାଧି ସାଜିଲାଣି । ଏହାକୁ ରୋକା ନଗଲେ ଆଗାମି ଦିନରେ ପରିସ୍ଥିତି ଭୟାବହ ହେବାର ସମ୍ଭାବନାକୁ ଏଡେଇ ଦିଆ ଯାଇନପାରେ । ବାପି ଜଣେ ବିଜେଡି କର୍ମୀଭାବେ ବେଶ ଜଣାଶୁଣା । ଗିରଫ୍ ହେବା ପରେ ତାଙ୍କ ଦଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ସେ ଦଳୀୟ ଉତ୍ତରୀ ପକାଇଥିବା ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ବାପି ଗିରଫ ହେବାପରେ ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଥିବା ନିସନ୍ଦେହ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |