ପଦାରେ ପଡିଲା ଦିବ୍ୟାଙ୍ଗ ସଂଘ ବିବାଦ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗ ମହିଳାଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ।

242

କଟକ(ଉତ୍କଳ ନିଉଜ)୨୧/୦୮/୨୦୨୨ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗଙ୍କ ହାଇଡ୍ରାମା । ନିଶାସକ୍ତରେ ଥିବା କୁହାଯାଉଥିବା ଜଣେ ଦିବ୍ୟାଙ୍ଗ ନିଜର କୃତ୍ତିମ ଗୋଡ ବାହାର କରି ଜନୈକା ମହିଳାଙ୍କୁ ତୁହାକୁ ତୁହାକୁ ଆକ୍ରମଣ କରିଥିବା ଏବଂ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ ମାରିବା ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମାଡ ଖାଇଥିବା ମହିଳା ଦିବ୍ୟାଙ୍ଗ ଗୋଟିଏ ସଂଘର ହୋଇଥିବା ବେଳେ ମାଡ ମାରିଥିବା ଦିବ୍ୟାଙ୍ଗ ଅନ୍ୟ ଏକ ସଂଘର ବୋଲି ଜଣାଯାଇଛି। କାହାରି ପ୍ରରୋଚନାରେ ଦିବ୍ୟାଙ୍ଗ ଜଣକ ମଦ ପିଇ ଏହି ସଂଘର କର୍ମକର୍ତ୍ତାଙ୍କୁ ଏପରି ମାଡ ମାରିଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ତେବେ ଉକ୍ତ ମାରପିଟକୁ ଛଡେଇ ଦେବାଲାଗି ଆଗଭର ହୋଇଥିବା କେତେକ ପୋଲିସ ଓ ସାମ୍ବାଦିକ ମଧ୍ୟ ଆକ୍ରମଣରୁ ବାଦ୍ ପଡିନଥିବା ମଧ୍ୟ ବେଶ ବାରି ହୋଇଛି ।

ଶେଷରେ ପୋଲିସ ଉକ୍ତ ଦିବ୍ୟାଙ୍ଗୁ ଉଠେଇ ନେଇଥିବା ବେଳେ ମାଡ ଖାଇ ଗୁରୁତର ହୋଇଥିବା ଦିବ୍ୟାଙ୍ଗ ଭଗବତୀ ମହାଳିକ ଥାନରେ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଏତଲାକୁ ଭିତ୍ତିକରି ମାଡ ମାରିଥିବା ଦିବ୍ୟାଙ୍ଗଙ୍କ ବିରୋଧରେ ଭଦ୍ରକ ଟାଉନ୍ ଥ।।ନାରେ ଏକ ମାମଲା ୩୩୩/୨୨, ଦଫା ୩୪୧, ୨୯୪, ୩୨୩ ଓ ୩୫୪ ଆଇପିସି ରୁଜୁ ହୋଇଛି । ତେବେ ବିଡମ୍ବନାର ବିଷୟ ଏହି ଯେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆକ୍ରମଣକାରୀ ଦିବ୍ୟାଙ୍ଗଙ୍କୁ ପୋଲିସ ଧରି ଆଣିଥିବା ବେଳେ ସଂପ୍ରତି ତାର କୌଣସି ଖୋଜ୍ ଖବର ନାହିଁ ।

୧୪୧ରେ ତାଙ୍କୁ ପୋଲିସ ଛାଡି ଦେଇଥିବା ମଧ୍ୟ କଥା ଉଠୁଛି । ହେଲେ ମାମଲାର ତାଙ୍କର କୌଣସି ଠିକଣା ଉଲ୍ଲେଖ ନରହିବା ପୋଲିସ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଶାସନିକ ଅଧିକାରୀଙ୍କ ଚାପରେ ଏପରି କରାଯାଇଥିବା ଅଭିଯୋଗ ହୋଇଛି । ଆସନ୍ତାକାଲି ମଧ୍ୟରେ ତାକୁ ଥାନାରେ ହାଜର କରାନଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଏତଲାକାରିଣୀଙ୍କ ସଂଘ ପକ୍ଷରୁ ଚେତାବନି ଦିଆଯାଇଛି । ସୂଚନା ମୁତାବକ, ସୋମବାର ସକାଳେ “ଓଡିଶା ଭିନ୍ନକ୍ଷମ ସଂଘ” ପକ୍ଷରୁ ଦିବ୍ୟାଙ୍ଗମାନଙ୍କର କେତେକ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିବାକୁ ସଂଘର ସଭାପତି ଚିନ୍ତାମଣି ରାଉତ, ସମ୍ପାଦକ ବେଣୁଧର ପଣ୍ଡା, ଭଗବତୀ ମହାଳିକ, ଝୁନୁଲତା ଦାସ, ବିଳାସିନୀ ଦାସ, ରଞ୍ଜନ ପାଢୀ, ନାରାୟଣ ରାଉତ, ଲକ୍ଷ୍ମୀକାନ୍ତ ମହାଳିକ, ପ୍ରଦୀପ ନାୟକ ଓ ଏସକେ ରଞ୍ଜନ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ବେଳେ ଜଣେ ଦିବ୍ୟାଙ୍ଗ ସେମାନଙ୍କୁ ଆକ୍ଷେପକରି ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ବେଳେ ଭଗବତୀ ଏହାର ପ୍ରତିବାଦ କରିଥିଲେ ।

ଏହି ସମୟରେ ସଂପୃକ୍ତ ଦିବ୍ୟାଙ୍ଗ ଜଣଖ ଉଦ୍‌କ୍ଷିପ୍ତ ହୋଇ ତାଙ୍କୁ ଗଡେଇ ପଡେଇ ମାଡ ମାରି ତଳେ ପକାଇବା ସହିତ ପିନ୍ଧିଥିବା କୃତ୍ତିମ ଗୋଡ ବାହାର କରି ସମ୍ବେଦନଶୀଳ ଜାଗାକୁ ମାଡ ମାରିଥିଲା । ପ୍ରତ୍ୟକ୍ଷଦର୍ଶୀଭାବେ ଉପସ୍ଥିତ ଥିବା ପୋଲିସ ଓ କେତେକ ସାମ୍ବାଦିକ ଏହାକୁ ରୋକିବାକୁ ଯାଇ ମଧ୍ୟ ମାଡ ଖାଇଥିବା ଜଣାଯାଇଛି । ପ୍ରଶାସନିକ ଅଧିକାରୀଙ୍କ ତୃଟିକୁ ଏହି ସଂଘ ଜିଲ୍ଲାପାଳଙ୍କୁ ଅବଗତ କରୁଥିବା ବେଳେ ଏପରି ଲଗାତର ଆକ୍ରମଣ କରାଯାଉଛି ବୋଲି ଏହି ସଂଘ ଦାବି କରିଛି । ଏହି ଘଟଣାଟି ସଂପ୍ରତି ଜିଲ୍ଲାବ୍ୟାପୀ ବେଶ ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |