ଗୋଟିଏ ରାତି ରେ 6 ଟି ଦୋକାନରୁ ଚୋରି "ଚୋରଙ୍କ ଟେର ପାଉ ନାହିଁ ପୁଲିସ

155

11.04.2020(ଭୁବନେଶ୍ୱର )ରାଜଧାନୀ ଉପକଣ୍ଠ ତମାଣ୍ଡ ବଜାରରେ ସିରିଜ୍‌ ଚୋରି ହୋଇଛ । ଦୁର୍ବୃତ୍ତମାନେ ଗୋଟିଏ ରାତିରେ ୬ଟି ଦୋକାନରୁ ୨ ଲକ୍ଷରୁ ଅଧିକ ଟଙ୍କାର ସମଗ୍ରୀ ଲୁଟି ନେଇଛନ୍ତି । ଅଭିଯୋଗ ପାଇ ତମାଣ୍ଡୋ ଥାନା ପୁଲିସ ତନାଘନା ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍‌ ପାଇନାହିଁ ।ଲକ୍‌ ଡାଉନ୍‌ ଯୋଗୁଁ ତମାଣ୍ଡୋ ବଜାରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି । ରାତି ୧୦ଟା ସୁଦ୍ଧା ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀମାନେ ଦୋକାନ ବନ୍ଦ କରି ଘରକୁ ପଳାଉଛନ୍ତି । ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମାତିଛନ୍ତି । ଆଜି ଭୋର ସମୟରେ ତମାଣ୍ଡୋ ଲକ୍ଷ୍ମୀବଜାରସ୍ଥିତ ଅମୀୟ ବେହେରାଙ୍କ ଓମ୍‌ଫେଡ୍‌ ପାର୍ଲର ନିକଟରେ ଓମ୍‌ଫେଡ୍‌ ଗାଡ଼ି ଆଣି ୧୦ କ୍ୟାରେଟ୍‌ କ୍ଷୀର ରଖି ଅମୀୟଙ୍କୁ ଫୋନ୍‌ କରିଥିଲେ । ଅମୀୟ କ୍ଷୀର ଥୋଇ ଦେଇ ପଳାଇବାକୁ କହିଥିଲେ । ୧୦ ମିନିଟ୍‌ ପରେ ଅମୀୟ ଦୋକାନରେ ପହଞ୍ଚିବାବେଳକୁ ୧୦ କ୍ୟାରେଟ୍‌ କ୍ଷୀର ନଥିଲା । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଏକ ଅଟୋରେ ଦୁର୍ବୃତ୍ତମାନେ କ୍ଷୀର କ୍ୟାରେଟ୍‌ ଲଦି ନେଇଥିବା ଜଣା ପଡ଼ିଥିଲା ।ସେହିପରି ଗତକାଲି ରାତିରେ ଦୁର୍ବୃତ୍ତ ଉକ୍ତ ଓମ୍‌ଫେଡ୍‌ ପାର୍ଲର ନିକଟସ୍ଥ ଚିଣ୍ଟୁ ସାହୁଙ୍କ ଭେରାଇଟି ଦୋକାନ କ୍ୟାବିନ ତାଡ଼ି ସର୍ବସ୍ୱ ଲୁଟି ନେଇଥିବା ଜଣା ପଡ଼ିଛି । ଦୋକାନରୁ ବିସ୍କୁଟ୍‌, ମିକ୍ସଚର, ଦାମୀ ଚକୋଲେଟ୍‌, କୋଲ୍ଡ ଡ୍ରିଙ୍କ୍‌ସ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସବୁ ଲୁଟି ନେଇଛନ୍ତି । ୨୦ ହଜାରରୁ ଅଧିକ ଟଙ୍କାର ସମଗ୍ରୀ ଚୋରି ହୋଇଥିବା ଚିଣ୍ଟୁ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ତାଙ୍କ ଦୋକାନ ନିକଟ ପରିବା ଦୋକାନରୁ ଦୁର୍ବୃତ୍ତମାନେ ପରିବା ସହ କ୍ୟାସ୍‌ ବକ୍ସରୁ ଖୁଚୁରା ଟଙ୍କା ସବୁ ନେଇ ଯାଇଛନ୍ତି । ନିକଟରେ ଥିବା ଅନ୍ୟ ଏକ ସ୍ନାକ୍ସ ଦୋକାନରେ ଦୁର୍ବୃତ୍ତ କଳାକନା ବୁଲାଇ ଦେଇଛନ୍ତି । ତମାଣ୍ଡୋ ବଜାରସ୍ଥିତ ବିଜୟ ବିଶ୍ୱାଳଙ୍କ ଆଜବେଷ୍ଟସ ଦୋକାନ ‘ମା’ ବିଲ୍‌ମାର୍ଟ’ରୁ ଦୁର୍ବୃତ୍ତମାନେ ୧୦୦ ପିସ୍‌ ଆଜବେଷ୍ଟସ ଚୋରି କରି ନେଇଥିବା ଜଣାପଡ଼ିଛି । ଶ୍ରୀ ବିଶ୍ୱାଳ ଦୋକାନ ସମ୍ମୁଖରେ ଆଜବେଷ୍ଟସ ସବୁ ଗଦା କରି ରଖିଥିଲେ । ତେବେ କେହି ଦୁର୍ବୃତ ଗାଡ଼ି ଲଗାଇ ତାଲା ତାଡ଼ି 100 ପିସ ଆଜବେଷ୍ଟସ ଲୁଟି ନେଇଛନ୍ତି |ଏନେଇ ଶ୍ରୀ ବିଶ୍ୱାଳ ତମାଣ୍ଡ ଥାନା ରେ ଅଭିଯୋଗ କରିଛନ୍ତି |ପୁଲିସ ଚୋରି ଯାଇଥିବା ସମସ୍ତ ଦୋକାନ ରେ ପହଞ୍ଚି ତଦନ୍ତ କରି ଫେରିଛି, ହେଲେ ଦୂର୍ବତ୍ତଙ୍କ ଟେର ପାଇନାହିଁ |