ସାମ୍ବାଦିକଙ୍କ ଔଧତ୍ୟ ଓ ଦବଙ୍ଗଗିରି ବିରୋଧରେ ବିଜେଡିର ରଣହୁଙ୍କାର, କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନକୁ ଉହ୍ଲାଇବେ ଦଳିତ |

874

କଟକ (ଉତ୍କଳ ନ୍ୟୁଜ) ୧୦-୦୮-୨୦୨୨ :ସାମ୍ବାଦିକଙ୍କ ଔଧତ୍ୟ ଓ ଦବଙ୍ଗଗିରି ବିରୋଧରେ ବିଜେଡିର ରଣହୁଙ୍କାର । କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନକୁ ଉହ୍ଲାଇବେ ଦଳିତ ବୋଲି ସୂଚନା ମିଳିଛି । ଦଳୀୟ ପଦପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଜନୈକ ସାମ୍ବାଦିକଙ୍କ କଟୁ ମନ୍ତବ୍ୟ ଓ ଅଶାଳୀନ ବ୍ୟବହାରକୁ କଦାପି ବରଦାସ୍ତ କରାଯିବନି ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର କାର୍ଯ୍ୟକର୍ତ୍ତାମାନେ ସୂଚନା ଦେଇଛନ୍ତି । ବୁଧବାର ଅପରାହ୍ନରେ ତିହିଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ନେତା ଶରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର କାର୍ଯ୍ୟକର୍ତ୍ତା ମାନେ ମିଳିତ ହୋଇ ଏପରି ସୂଚନା ଦେବା ସହ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏଥିନେଇ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆ ଯାଇଛି । ସୂଚନା ଅନୁସାରେ, ଅବନ୍ତୀ ଦାସ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ତିହିଡିରେ କାର୍ଯ୍ୟରତ ତଥା ନିଜକୁ ପ୍ରଭାବଶାଳୀ ବୋଲାଉଥିବା ଅଭୟ ପତି ନାମକ ଜଣେ ସାମ୍ବାଦିକ ତାଙ୍କୁ ନିଜ ଅଫିସକୁ ଡାକିଥିଲେ । ମାତ୍ର ଶ୍ରୀମତୀ ଦାସ ସେଠାକୁ ନଯିବାରୁ ସଂପୃକ୍ତ ସାମ୍ବାଦିକ ରାଗରେ ତାଙ୍କ ନାମରେ ବିଭିନ୍ନ ଆଡେ ବିଭିନ୍ନ କଟୁ ମନ୍ତବ୍ୟ ପ୍ରୟୋଗ କରିବା ସହ କୁତ୍ସାରଟନା କରୁଥିବା ଶୁଣିବାକୁ ମିଳିଥିଲା । ଏବେ ଶ୍ରୀ ପତିଙ୍କ ଫୋନ କଲ୍‌ର ଏକ ଭଏସ ରେକଡିଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ହସ୍ତଗତ ହୋଇଛି ଯେଉଁଥିରେ ସେ ବ୍ଲକ ଅଧ୍ୟକ୍ଷା, ପ୍ରାକ୍ତନ ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାସହ ସେମାନଙ୍କ ଚେର ଉପାଡି ଦେବେ ବୋଲି କହିଛନ୍ତି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ତାଙ୍କୁ ଡରୁଛନ୍ତି ବୋଲି ସଂପୃକ୍ତ ସାମ୍ବାଦିକ କହୁଥିବା ବେଳେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ କମଳାକାନ୍ତ ଭୋଇ ଓ ବିଜୟ ନାୟକଙ୍କୁ କିଭଳି ବରବାଦ କରି ଦେଇଥିଲେ ତାହା ଫୋନ୍‌ରେ କହୁଥିବା ଜଣାଯାଇଛି । ଏପରିକି ସେ ଜଣେ କ୍ଷମତାଶାଳୀ ସାମ୍ବାଦିକ ଭାବେ ତୃତୀୟ ମହଲା ପର୍ଯ୍ୟନ୍ତ ତାଙ୍କର ହାତ ଥିବା କହିବା ସହିତ ଧାମନଗର ପୂର୍ବତନ ବିଧାୟକଙ୍କ ଟିକେଟ୍ କାଟ୍ କରିବେ ବୋଲି ଚେତାବନି ଦେଇଛନ୍ତି ।

ଖାଲି ସେତିକି ନୁହେଁ ବ୍ଲକ ଅଧ୍ୟକ୍ଷାଙ୍କ ପଦବୀ ରଦ୍ଦ କରିପାରିବେ ବୋଲି ମଧ୍ୟ କହିଛନ୍ତି । ପୂର୍ବରୁ ଶ୍ରୀ ପତି ଦୈନିକ ଖବର କାଗଜ ସମ୍ବାଦର ରିପୋର୍ଟର ଥିବାବେଳେ ଚାନ୍ଦବାଲିର ପୂର୍ବତନ ବିଧାୟକ, ଭଦ୍ରକ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ, ତିହିଡ଼ି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାୟକଙ୍କ ବିରୁଦ୍ଧରେ ଏତାଦୃଶ ଅଶାଳୀନ ଶବ୍ଦ ବ୍ୟବହାର କରିବା ଓ ମିଥ୍ୟା ସମ୍ବାଦ ପରିବେଶଣ କରିଥିବା ହେତୁ ତାଙ୍କ ବିରୁଦ୍ଧରେ ଏକ ମାନହାନୀ ମାକଦ୍ଦମା ରୁଜୁ କରା ଯାଇଥିଲା । ଏପରି ନିଜକୁ ଦୁର୍ବାର ସାମ୍ବିଦିକ ବୋଲି ମିଥ୍ୟା ଓ ଧମକପୂର୍ଣ୍ଣ ସମ୍ବାଦ ପରିବେଶଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି ଉକ୍ତ ଅଭିଯୋଗ ପତ୍ର ପ୍ରାପ୍ତିର ୧୫ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଅଭିଯୋଗ ପତ୍ର ‘ପ୍ରମେୟ’ର ସଂପାଦକଙ୍କ ନିକଟକୁ ଦଳ ପକ୍ଷରୁ ପ୍ରେରଣ କରାଯାଇଥିବା ବେଳେ ବିଧାୟକ ଗଣ ଓ ସାଂସଦଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର ନାୟକ, ଚିନ୍ତାମଣି ଦାସ, କୁନ୍ତଳା ମଳିକ, କମଳାକାନ୍ତ ଦାସ, ଗଣେଶ ବିଶ୍ୱାଳ, ହରେକୃଷ୍ଟ ଜେନା, ଗଣେଶ ପ୍ରସାଦ ନାୟକ, ପ୍ରଦୀପ କୁମାର ପଣ୍ଡା, ଭୀମସେନ ବାରିକ, ଅମର ଦାସ, ପ୍ରଦୀପ କୁମାର ପଣ୍ଡା, ଶଶଧର ସାମଲ, ତାପସ ବେହେରା, ପ୍ରଶାନ୍ତ ବେହେରା, ଜୀବନଜ୍ୟୋତି ପଲେଇ, ପ୍ରିୟବନ୍ଧୁ ମାଝି, ଧର୍ମାନନ୍ଦ ବେହେରା, ପ୍ରଫୁଲ ଦାସ, ଅମର ଦାସ, ବିଷ୍ଣୁ କୁଅଁର ଓ ସୌମ୍ୟରଞ୍ଜନ ପରିଡା ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |