ଖପରାଡିହରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷରୁ ୧୦ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ ।

506

କଟକ (ଉତ୍କଳ ନ୍ୟୁଜ) ୮-୦୮-୨୦୨୨ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ଖପରାଡିହ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏନେଇ ଉଭୟ ପକ୍ଷରୁ ୧୦ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ତେବେ ଗତ ନିର୍ବାଚନ ଠାରୁ ଏହି ଗାଁରେ ବିଭିନ୍ନ ପ୍ରସଙ୍ଗରେ ଝାମେଲା ଦେଖା ଦେଇଛି । ପୂର୍ବରୁ ମଧ୍ୟ ୨ଟି ମାମଲା ରୁଜୁ ହୋଇଥିବା ବେଳେ ସଂପ୍ରତି ଏହି ୨ଟି ମାମଲାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ଗୟାଧର ବେହେରାଙ୍କ ଠାରୁ ସୂଚନା ମିଳିଛି । ସୂଚନା ମୁତାବକ, ଏହି ଗାଁର ପ୍ରଭାକର ମାଝୀଙ୍କ ସ୍ତ୍ରୀ ରେବତୀ ମାଝୀଙ୍କ ଏତଲା କ୍ରମେ ମେଘନାଦ ମାଝୀ, ଝୁନୁ ମାଝୀ ଓ ମିନତୀ ମାଝୀଙ୍କ ବିରୋଧରେ ଏକ ମାମଲା ୧୨୬/୨୨, ଦଫା ୩୪୧, ୩୨୩, ୨୯୪, ୩୫୪, ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି ।

ଗତକାଲି ତାଙ୍କ ଘର ନିକଟରେ ଛିଡା ହୋଇଥିବା ବେଳେ ଅପରପକ୍ଷ ଅଶ୍ଳିଳ ଭାଷାରେ ଗାଳି ଗୁଲଚ କରିଥଲେ । ଉକ୍ତ ଘଟଣାକୁ ନେଇ ସୋମବାର ସକାଳେ ରେବତୀ ତାଙ୍କୁ ପଚାରିବାରୁ ବିବାଦ ଦେଖା ଦେଇଥିଲା । ସେମାନେ ରେବତୀଙ୍କ ନାବାଳିକା ଝିଅକୁ ଚାପୁଡା ଓ ଧକ୍କା ମାରି ତଳେ ପକେଇବା ସହିତ ଅସଦାଚରଣ କରିଥିଲେ । ରେବତୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଉଥିବା ସମୟରେ ଜୋର ପାଟିକରି ଗ୍ରାମବାସୀଙ୍କ ସହଯୋଗ ଲୋଡିଥିଲେ । ଅପରପକ୍ଷ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏବଂ ଗ୍ରାମର କେତେକ ଯୁବକ ଘଟଣା ସ୍ଥଳରେ ପହଁଞ୍ôଚ ମାଆ ଓ ଝିଅଙ୍କୁ ଉଦ୍ଧାର କରିଥିବା ରେବତୀଙ୍କ ଏତଲାରେ ଦର୍ଶାଯାଇଛି ।

ଅନ୍ୟପଟେ ମେଘନାଦ ମାଝୀଙ୍କ ଏତଲା କ୍ରମେ କଟିଆ ମାଝୀ, ରେବତୀ ମାଝୀ, ବର୍ଷା ମାଝୀ, ଗଣେଷ ମାଝୀ, ଟିକି ମାଝୀ ଓ ମୁନା ମାଝୀଙ୍କ ବିରୋଧରେ ଅନ୍ୟ ଏକ ମାମଲା ୧୨୭/୨୨, ଦଫା ୩୪୧, ୩୨୩, ୨୯୪, ୩୫୪, ୩୭୯, ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି । ମେଘନାଦ ସୋମବାର ସକାଳେ ଶୌଚ ହୋଇ ହରିପୁର ରାସ୍ତା ପାଖରୁ ଫେରୁଥିବା ବେଳେ ତାଙ୍କୁ ଅପରପକ୍ଷ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ବେକରେ ପଡିଥିବା ଗାମୁଛା ଧରି ଘୋଷାରି ଘୋଷାରି ନେଇ ନିକଟସ୍ଥ ନାଳରେ ପକାଇ ପିଟିଥିଲେ । ସ୍ଥାନୀୟ କେତେକ ବ୍ୟକ୍ତି ଉଦ୍ଧାର କରିବାକୁ ଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ ମରାଯାଇଥିଲା । ଏହି ସମୟରେ ମିନତୀ ମାଝି ଛଡାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଚୁଟିକୁ ଧରି ତଳେ ପକାଇ ଗଡାଇ ଗଡାଇ ବିଧା ଗୋଇଠା ମାରି ତାଙ୍କ କାନକୁ ଛିଡାଇ କାନଫୁଲ ଛଡାଇ ନେବା ସହିତ ମେଘନାଦଙ୍କ ପାଖରେ ୨ଟି ମୋବାଇଲ ନେଇ ଯାଇଛନ୍ତି ।

ବାଡି ଠେଙ୍ଗା ଧରି ଅଶ୍ଳିଳ ଭାଷାରେ ଗାଳି ଗୁଜିଚ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ଏଲତାରେ ଦର୍ଶାଯାଇଛି । ସେହିପରି ଗତ ୬ ତାରିଖରେ ସୁରେଶ ମାଝୀଙ୍କ ସ୍ତ୍ରୀ ଗୀତାଞ୍ଜଳୀ ମାଝୀଙ୍କୁ ରାଜନୈତିକ ଶତୃତା ରଖି କେତେକ ଗାଳି ଗୁଲଚ କରିବା ସହିତ ଚୁଟିକୁ ଧରି ଶାଢୀକୁ ଟଣାଓଟରା କରିଥିଲେ । ତଳେ ପକାଇ ବିଧା ଗୋଇଠା ମାରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ଘଟଣାରେ ପୋଲିସ ଏକ ୧୦୭ ରୁଜୁ କରି ଅପରପକ୍ଷ ୧୪ ଜଣଙ୍କୁ ନୋଟିସ୍ ଜାରି କରିଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ଗୀତାଞ୍ଜଳୀଙ୍କ ସ୍ୱାମୀ ବାହାରେ ରୁହନ୍ତି ଦୁଇ ପିଲାଙ୍କୁ ଧରି ଅତି ଭୟଭିତ ଅବସ୍ଥାରେ କାଳାତିପାତ କରୁଥିବା ଏତଲାରେ ଦର୍ଶାଯାଇଛି । ତେବେ ସମୂଦାୟ ଘଟଣାକୁ ଦେଖିବାକୁ ଗଲେ ଏକ ପ୍ରକାର ରାଜନୈତିକ ଏବଂ ଚୋରା ମଦ କାରବାରକୁ ନେଇ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଥିବା ବେଶ ବାରି ହେଉଛି । ପୀରହାଟ ପୋଲିସ ଅଭିଯୋଗକୁ ସମ୍ମାନ ଦେବା ସହିତ ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |