କ୍ଲାସ ରୁମରେ ଛାତ୍ରୀଙ୍କୁ ଦୁଇ ଛାତ୍ରଙ୍କ ପକ୍ଷରୁ ର୍ଦୁବ୍ୟବହାର ଘଟଣା, ପ୍ରତିକ୍ରିୟାଶୀଳ ହୋଇ ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ଧମକ ଓ ଆକ୍ରମଣ |

528

କଟକ(ଉତ୍କଳ ନିଉଜ)୦୩/୦୮/୨୦୨୨ : କ୍ଲାସ ରୁମରେ ଛାତ୍ରୀଙ୍କୁ ଦୁଇ ଛାତ୍ରଙ୍କ ପକ୍ଷରୁ ର୍ଦୁବ୍ୟବହାର ଘଟଣା, ପ୍ରତିକ୍ରିୟାଶୀଳ ହୋଇ ଅପରପକ୍ଷ ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ଧମକ ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଉଭୟଙ୍କ ଏତଲା କ୍ରମେ ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋରେ ସ୍କୁଲ ପରିସରରେ ଜଣେ ୭ମ ଶ୍ରେଣୀର ଛାତ୍ରୀଙ୍କୁ ସେହି କ୍ଲାସର ୨ ଜଣ ଛାତ୍ର ର୍ଦୁବ୍ୟବହାର କରିବା ସହିତ ଅତି କଦର୍ଯ୍ୟ ତଥା ଅଭଦ୍ର ଭାଷାରେ ଗାଳିଗୁଲଜ କରି ବଳପୂର୍ବକ ଭାବେ ତା’ର ପୋଷାକଟିକୁ ଚିରି ଦେଇଥିଲେ । ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହିତ ଆଉ କ୍ଲାସ ନଆସିବାକୁ ଚେତାବନି ଦେଇଥିଲେ । ଉକ୍ତ ଘଟଣାକୁ ନେଇ ଛାତ୍ରୀଙ୍କ ବାପା ଭିନ୍ନକ୍ଷମ ଚିନ୍ତାମଣି ଦାସ ମତୋ ପାଣ୍ଡିରେ ଏତଲା ଦେଇଥିଲେ । ଏତଲା ଦେବାପରେ ଫାଣ୍ଡି ପୋଲିସ ପକ୍ଷରୁ ମଧ୍ୟ ଧମକ ପାଇଥିଲେ । ମାତ୍ର ଉକ୍ତ ଘଟଣାକୁ ନେଇ ସଂଧ୍ୟାରେ ଛାତ୍ରଙ୍କ ପରିବାରର ୨୦ରୁ ୨୫ ଲୋକ କ୍ରୋଧାନ୍ୱିତ ହୋଇ ସଂଧ୍ୟାରେ ଛାତ୍ରୀଙ୍କ ଭିନ୍ନକ୍ଷମ ବାପାଙ୍କୁ ମତୋ ବଜାରସ୍ଥିତ ଦୋକାନରେ ବଳ ପୂର୍ବକ ପଶି ତାଙ୍କୁ ସଂଘବଦ୍ଧଭାବେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ନାନାଦି ଧମକ ଚମକ ଦେଇଥିଲେ ।

ଏଥିସହ ଭିନ୍ନକ୍ଷମ ମାଡ ମାରି ଦୋକାନ ସାମଗ୍ରୀ ଲୁଟି ନେବା ସହିତ ପୂନଶ୍ଚ ଦୋକାନ ଖୋଲିଲେ ନିଆଁ ଲଗେଇ ଦିଆଯିବ ବୋଲି ଚେତାବନି ଦିଆଯାଇଥିଲା । ପରେ ମତୋ ଫାଣ୍ଡି ପକ୍ଷରୁ ଭିନ୍ନକ୍ଷମଙ୍କୁ ଡକା ଯାଇଥିଲା । ସେ ଫାଣ୍ଡିରେ ପହଁଞ୍ôଚବା ବେଳକୁ ତାଙ୍କ ବିରୋଧରେ ଅପରପକ୍ଷ ଏତଲା ଦେଇଥିବା ଜାଣିବାକୁ ପାଇଥିଲେ । ଭିନ୍ନକ୍ଷମ ଅପରପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ଯାଇ ନିରାଶରେ ଫେରିଥିଲେ । ପରେ ରାତିରେ ନ୍ୟାୟ ପ୍ରଦାନ ଦାବିରେ ଭିନ୍ନକ୍ଷମ ଚିନ୍ତାମଣି ଅପରପକ୍ଷଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଏତଲା ଦେବା ସହିତ ମତୋ ଫାଣ୍ଡି ପୋଲିସର କାର୍ଯ୍ୟଧାରା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ତେବେ ମଙ୍ଗଳବାର ଚାନ୍ଦବାଲି ପୋଲିସ ଏହାର ତଦନ୍ତ କରିବା ଆଳରେ ଭିନ୍ନକ୍ଷମକୁ ଥାନାକୁ ଡକାଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାବଣା କରିବା ଲାଗି ଭଦ୍ରବ୍ୟକ୍ତି ଜରିଆରେ ପ୍ରସ୍ତାବ ଦେଇଥିଲା । ମାତ୍ର ଭିନ୍ନକ୍ଷମ ସେଥିରେ ରାଜି ହୋଇନଥିଲେ । ଏହି ଘଟଣାକୁ ନେଇ ବୁଧବାର ହିନ୍ଦୁ ସୁରକ୍ଷା ମଞ୍ଚ ଓ ଏବିଭିପି ସଂଗଠନ ପକ୍ଷରୁ ଭିନ୍ନକ୍ଷମ ଚିନ୍ତାମଣି ଦାସଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଅପରପକ୍ଷଙ୍କ ଅଭିଯୋଗ ମୂଳେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ସଠିକ୍ ତଦନ୍ତର ଆବଶ୍ୟକତା ଥିବା ସେମାନେ ଦାବି କରିଛନ୍ତି । ଛାତ୍ରଙ୍କ ପରିବାର ପକ୍ଷରୁ ଜାହାଙ୍ଗିର ସାହାଙ୍କ ସ୍ତ୍ରୀ ମୁସ୍ତାଜୀ ବିବିଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ୧୪୯/୨୨, ଦଫା ୩୪୧, ୩୨୩, ୨୯୪, ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି । ସେହିପରି ଚିନ୍ତାମଣି ଦାସଙ୍କ ଏତଲାକ୍ରମେ ଅପରପକ୍ଷଙ୍କ ବିରୋଧରେ ଅନ୍ୟ ଏକ ମାମଲା ୨୪୭/୨୨, ୪୪୮, ୩୨୩, ୨୯୪, ୩୮୦, ୩୫୪, ୫୦୬ ଓ ୩୪ ଆଇପିସି ରୁଜୁ ହୋଇ ଆବଶ୍ୟକୀୟ ତଦନ୍ତ ଚାଲୁ ରହିଛି ବୋଲି ଆଇଆଇସି କରୁଣାକର ରାଉତ ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |