ବାଇକ ଚୋରି ଘଟଣାରେ ୨ ଜଣ ଗିରଫ, ୧୦ଟି ବାଇକ ଉଦ୍ଧାର।

309

କଟକ(ଉତ୍କଳ ନିଉଜ)୧୭/୦୭/୨୦୨୨ : ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ମିଳିଛି ସଫଳତା। ୧୦ ଟି ବାଇକ ଉଦ୍ଧାର ହୋଇଥିବା ବେଳେ ଏହି ରାକେଟର ୨ ଜଣ ଅଭିଯୁକ୍ତ ଗିରଫ। ଚୋରି ହୋଇଥିବା ଆହୁରି ଅନେକ ବାଇକ୍ ଉଦ୍ଧାର ହେବା ସହ ରାକେଟର ଅନ୍ୟ ଅଭିଯୁକ୍ତ ଖୁବ ଶୀଘ୍ର ଗିରଫ ହେବେ ବୋଲି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି। ଖବର ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଅଞ୍ଚଳର ଅଜୟ କୁମାର ମଲ୍ଲିକଙ୍କ ଏକ ବାଇକ ଗତ ଜୁନ ୨୨ ତାରିଖରେ ଚୋରୀ ହୋଇଥିଲା। ଏନେଇ ଅଜୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା ପୁଲିସ। ପରେ କୌଣସି ସୂତ୍ରରୁ ଖବର ପାଇ ଚରମ୍ପା ରେଲୱେ କଲୋନୀର ରଞ୍ଜନ ପାତ୍ର ଓ ଝିମିତିରା ଗ୍ରାମର ବିଜୟ ଜେନାକୁ ଆଣି ପଚାର ଉଚରା କରିଥିଲା।

ଉଭୟ ବାଇକ ଓ ସାଇକେଲ ଚୋରୀରେ ସମ୍ପୃକ୍ତ ଥିବା ଏବଂ ଅନ୍ୟ କେତେକ ସହଯୋଗୀ ଏହି ଘଟଣାରେ ସାମିଲ ଥିବା ଉଭୟ ମାନିଥିଲେ। ସେମାନଙ୍କ ବୟାନ ଭିତ୍ତିରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଅଦ୍ୟାବଧି ୧୦ଟି ବାଇକ ଉଦ୍ଧାର କରିବା ସହ ସେସବୁର ମାଲିକାନା ସତ୍ତ୍ଵକୁ ପୁଲିସ ପକ୍ଷରୁ ଯାଞ୍ଚ କରା ଯାଉଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ରଞ୍ଜନ କେରକେଟା। ତେବେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।  ତିହିଡିରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |