ବୃଦ୍ଧଙ୍କୁ ଅପହରଣ କରି ହତ୍ୟା ଘଟଣା, କ୍ରାଇମ ସିନ୍ ରିକ୍ରିଏସନ୍ କରିବା ପରେ କୋର୍ଟ ଚାଲାଣ, ୫ ଦିନ ପାଇଁ ରିମାଣ୍ଡ ଆବେଦନ କଲା ପୋଲିସ।

390

କଟକ (ଉତ୍କଳ ନ୍ୟୁଜ) ୧୩-୦୬-୨୦୨୨: ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଉପରଦୁମୁକା ଗାଁର ଧରଣୀଧର କୁଅଁର ନାମକ ଜଣେ ବୃଦ୍ଧଙ୍କୁ ଅପହରଣ କରି ହତ୍ୟା ଘଟଣା, କ୍ରାଇମ ସିନ୍ ରିକ୍ରିଏସନ୍ କରିବା ପରେ ଆଜି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିବା ସହିତ ୫ ଦିନ ପାଇଁ ରିମାଣ୍ଡ ଆବେଦନ କଲା ପୋଲିସ। ତେବେ ଅଭିଯୁକ୍ତ ଦେଇଥିବା ବୟାନରେ ସେ ଏକୁଟିଆ ବେକରେ ସୁତୁଲୀ ଲଗାଇ ବୃଦ୍ଧଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଏକ ବସ୍ତାରେ ପୂରାଇ ପ୍ରମାଣ ନଷ୍ଟ କରିବା ଲାଗି ନଦୀରେ ଫିଙ୍ଗିଥିବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି।

ଅଭିଯୁକ୍ତର ବୟାନରେ ତୃଟି ରହୁଛି ଏବଂ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ହୋଇଥିବା ମୃତକ ପରିବାର ପକ୍ଷରୁ ଅଗ୍ରାହ୍ଯ କରାଯାଉଛି । ଯାହାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲୁ ରହିଛି । ସୂଚନା ମୁତାବକ, ଗତ ତା ୨୮.୦୫.୨୨ରିଖରେ ଉପରଦୁମୁକାର ଗାଁରୁ ଧରଣୀଧର କୁଅଁରଙ୍କୁ ଧୁଷୁରୀ ଥାନାଧିନ ଭଣ୍ଡାରୀପଡା ଗାଁର ଶୁଭେନ୍ଦୁ ଓରଫ ପପୁ ପଣ୍ଡା ନାମକ ଜଣେ ଯୁବକ କୋଲକାତାରେ ଥିବା ଦୋକାନ ଘରର ଭଡା ଦେବା କଥା କହି ତାଙ୍କ ଘରକୁ ନେଇଥିଲା । ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ପଚାରିଥିଲେ । କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ତହିଁ ପରଦିନ ଧୁଷୁରୀ ଥାନାରେ ବୃଦ୍ଧ ଅପହରଣ ହୋଇଥିବା ନେଇ ତାଙ୍କ ପୁଅ ପ୍ରଦୀପ କୁଅଁର ଏତଲା ଦେଇଥିଲେ । ୩୧ ତାରିଖରେ ଅପହରଣକାରୀଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ପୂର୍ବକ ପୀରହାଟ ଥାନାରେ ଏତଲା ଦିଆଯାଇଥିଲା । ଯାହାକୁ ନେଇ ଥାନାରେ ଏକ ଅପହରଣ ମାମଲା ରୁଜୁ କରାଯାଇ ତଦନ୍ତଧିନ ଥିଲା । ପରେ ୨ ତାରିଖରେ ଏକ ବସ୍ତାରେ ବନ୍ଧା ହୋଇଥିବା ଧରଣୀଧରଙ୍କର ଗଳିତ ଶବ ଧୁଷୁରୀ ଥାନା କୁଚିଳା ନଦୀ ପଙ୍ଗଟା ନିକଟରୁ ଉଦ୍ଧାର ହୋଇଥିଲା। ଏହା ପରେ ହତ୍ୟା ଦଫା ଯୋଡାଯାଇ ପୀରହାଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଶେଷରେ ତାମିଲନାଡୁ ରାଜ୍ୟ କନକପାଲାୟନ ତିରୁପୁରମରୁ ଅଭିଯୁକ୍ତକୁ ଧରିଛି ପୋଲିସ। ବୃଦ୍ଧଙ୍କ କୋଲକାତାରେ ଥିବା ଦୋକାନ ଗୃହ ବିକ୍ରିକୁ ନେଇ ବିବାଦ ଉପୁଜିଥିବା ଏବଂ ଶେଷରେ ଅଭିଯୁକ୍ତ ହତ୍ୟା କରିଥିବା ସ୍ୱିକାର କରିଛି । ପପୁ ପଣ୍ଡା ସେଦିନ ସକାଳେ ବୃଦ୍ଧଙ୍କୁ ଧୁଷୁରୀକୁ ନେଇ ଦୋକାନ କିଣିବା ସମ୍ପର୍କରେ ଆଲୋଚନା କରିଥିଲା ।

୧୧ ଲକ୍ଷ ଟଙ୍କା ଟଙ୍କା ଉକ୍ତ ଦୋକାନ ବିକ୍ରି କରିବ ବୋଲି ବୃଦ୍ଧ କହିବା ପରେ ପପୁ ସେଥିରେ ରାଜି ହୋଇନଥିଲା। ସଂଧ୍ୟାରେ ଭଡା ଦେବା କହି ଘରୁ ଡାକିନେଇ ଆରଡିସ୍ଥତ ସାହୁସାହି ନିକଟସ୍ଥ ନଦୀ କୂଳକୁ ନେଇଥିଲା । ସେଠାରେ ପାଇଖାନା ଯିବ ବୋଲି କହି କିଛି ସମୟରେ ପରେ ପଛପଟୁ ଯାଇ ଟେଣ୍ଟ ବନ୍ଧା ସୁତୁଲୀରେ ବେକରେ ଚାପି ମାରିଥିଲା ଏବଂ ପ୍ରମାଣଶୂନ୍ୟ କରିବା ଲାଗି ଏକ ବସ୍ତାରେ ବାନ୍ଧି ନଦୀକୁ ଫିଙ୍ଗି ଦେଇଥିବା କ୍ରାଇମ୍ ସିନ୍ ରିକ୍ରିଏସନରେ ଉପସ୍ଥାପନ କରିଛି । ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ୍ କରି ତଦନ୍ତ ଚଳାଇଛି । ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |